ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ଦ୍ୱାରା ଆୟୋଜିତ “ଆଇନ ସଚେତନତା ଓ ମାନସିକ ସ୍ୱାସ୍ଥ୍ୟ” ଶୀର୍ଷକ କାର୍ଯ୍ୟକ୍ରମ ନଭେମ୍ବର ୧୫ ତାରିଖ ଶନିବାର ବିଶ୍ୱବିଦ୍ୟାଳୟ ସମ୍ମେଳନ କକ୍ଷରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଅଧ୍ୟକ୍ଷତା କରିଥିଲେ । ପ୍ରଫେସର ଶତପଥୀ ନିଜ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ପ୍ରତି ବିଶ୍ୱବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ସ୍ଥାପନ ଦ୍ୱାରା ଛାତ୍ରୀଙ୍କ ମଧ୍ୟରେ ମହିଳା ସଶକ୍ତିକରଣ ଓ ଏହାର ଆଇନଗତ ସଚେତନତା ବୃଦ୍ଧି ପାଇବା ବୋଲି ଆଶା ପ୍ରକଟ କରିବା ସହିତ ଆଗାମୀ ଦିନରେ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯିବା ସହ ଭବିଷ୍ୟତରେ ସେଫ୍ କ୍ୟାମ୍ପେନ୍ ଓ ବିଭିନ୍ନ କର୍ମଶାଳା ଆୟୋଜନ କରାଯିବ ଯାହା କି ଛାତ୍ରୀମାନଙ୍କୁ ସମାଜର ବିଭିନ୍ନ ଆହ୍ୱାନର ମୁକାବିଲା କରିବାକୁ ଦକ୍ଷ କରିବ ବୋଲି କହିଥିଲେ । ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର କୋଡ଼ ଅଫ୍ କଣ୍ଡକ୍ଟ ଲାଗୁ କରାଯିବ ବୋଲି ସେ କହିଥିଲେ । ମୟୂରଭଞ୍ଜର ମହାରାଣୀ ଶ୍ରୀମତୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ମହିଳା ସଶକ୍ତିକରଣ ଏବଂ ମାନସିକ ସ୍ୱାସ୍ଥ୍ୟ ସହ ଏହାର ଆଇନଗତ ସଚେତନତାର ଘୋର ଅଭାବ ରହିଛି ଏବଂ ଏହି ଦିଗରେ ଛାତ୍ରୀମାନଙ୍କୁ ନିର୍ଭୀକ ହୋଇ ଆଗକୁ ଆସିବାକୁ ପ୍ରେରଣା ଦେଇଥିଲେ । ଛାତ୍ରୀ ମାନଙ୍କୁ ନିଜର ଦୁର୍ବଳତାକୁ ଚିହ୍ନଟ କରି ସେ ଦିଗରେ କାର୍ଯ୍ୟ କଲେ ସଫଳତା ନିଶ୍ଚୟ ମିଳିବ ବୋଲି ସେ କହିଥିଲେ । ବିଶିଷ୍ଟ ସମାଜସେବୀ ଶ୍ରୀମତୀ ନମ୍ରତା ଚଡ୍ଢା ବକ୍ତା ହିସାବରେ ଯୋଗ ଦେଇ ଛାତ୍ରୀମାନଙ୍କୁ ନିଜର ଅଧିକାର ବିଷୟରେ ସଚେତନ ହେବା ସହ ଆତ୍ମନିର୍ଭରଶୀଳ ହେବା ପାଇଁ ଆହ୍ୱାନ କରିଥିଲେ । ସଚେତନତା କେବଳ ଛାତ୍ରୀମାନଙ୍କ ଆବଶ୍ୟକ ନୁହେଁ ବରଂ ଛାତ୍ରଙ୍କ ପାଇଁ ମଧ୍ୟ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । କେବଳ ‘ବେଟି ବଚାଓ ବେଟି ପଢ଼ାଓ’ ନୁହେଁ ବରଂ ‘ବେଟା କୋ ସମଝାଓ’ ନାରାର ଆବଶ୍ୟକତା ରହିଛି ବୋଲି ସେ ଦୃଢ଼ୋକ୍ତି କରିଥିଲେ । ଓଡ଼ିଶା ସରକାରଙ୍କ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଡ . ରେଖା ଭଗତ ମାନସିକ ସ୍ୱାସ୍ଥ୍ୟ ଉପରେ ଏକ ଦୀର୍ଘ ବକ୍ତୃତା ଦେଇଥିଲେ । ଭାରତ ସରକାରଙ୍କ ଟେଲିମାନସ କାର୍ଯ୍ୟକ୍ରମ ଉପରେ ସେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ନିଜ ବକ୍ତବ୍ୟରେ ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶରେ ସହାୟକ ହେବ ଏବଂ ଏହା କ୍ୟାମ୍ପସ୍ରେ ସୁରକ୍ଷିତ ପରିବେଶ ସୃଷ୍ଟି କରିବାରେ ସାହାଯ୍ୟ କରିବ ବୋଲି ମତପୋଷଣ କରିଥିଲେ । ବିଶ୍ୱବିଦ୍ୟାଳୟର ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ରର ଅଧ୍ୟକ୍ଷା ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ସ୍ୱାଗତ ଭାଷଣ ଦେଇଥିଲେ । ଶକ୍ତିଶ୍ରୀ ସଂଯୋଜିକା ଡ. ବିଷ୍ଣୁପ୍ରିୟା ହାଁସଦା ଅତିଥି ପରିଚୟ ପ୍ରଦାନ କରିଥିଲେ । ଶକ୍ତିଶ୍ରୀ ସାଥୀ ସମୀକ୍ଷା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟ ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ରର ଏକ ସ୍ମରଣିକା ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ଅଧ୍ୟାପିକା ଅଭିପ୍ସା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ଅଧ୍ୟାପିକା ସାୟେଦା ଫୌଜିୟା ମାନୋୱାର, ରଶ୍ମି ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ‘ଝରାପତ୍ରର ଲୁହ’ ଶୀର୍ଷକ ନାଟକ ସମେତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

