ଆଗରପଡ଼ା :ସରକାର ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଜମିପଟ୍ଟା ସହ ଆବାସ ଯୋଜନାରେ ଘର ଯୋଗାଇ ଦେଇଛନ୍ତି । ଦୁଃଖ ଓ ପରିତାପର ବିଷୟ ଦୀର୍ଘ ୩୫ ବର୍ଷ ହେବ ଏକ ଦମ୍ପତି ଅନ୍ୟ ଲୋକଙ୍କ ଘର ବାରଣ୍ଡାରେ ଆଶ୍ରୟ ନେଇଥିଲେ ହେଁ ତାଙ୍କ ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ିପାରୁନାହିଁ । ଏହିଭଳି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲା ବନ୍ତ ବ୍ଲକ ବସନ୍ତିଆ ପଂଚାୟତ ସିଲନ୍ଦୀ ଗ୍ରାମରେ ଦେଖିବାକୁ ମିଳିଛି । ବୃଦ୍ଧ କୁଞ୍ଜବିହାରୀ ସାହୁ (୭୩ ) ଓ ପତ୍ନୀ କୁଞ୍ଜଲତା(୬୮) ବୟସର ଅପରାହ୍ନରେ ପହଂଚିଛନ୍ତି । । କୁଂଜବିହାରୀଙ୍କ ପ୍ରକୃତ ଘର କେନ୍ଦୁଝର ଜିଲ୍ଲା ମଉଳଡ଼ିଆ ଗ୍ରାମରେ । ତାଙ୍କୁ ୨୨ବର୍ଷ ହୋଇଥିବା ବେଳେ ସେ ସିଲନ୍ଦି ଗ୍ରାମର କୁଞ୍ଜଲତା ବିବାହ କରିଥିଲେ । ବିବାହ ପରେ ନିଜ ଗୃହରେ କିଛି ବର୍ଷ ଜୀବନ ନିର୍ବାହ କରୁଥିଲେ । ତାଙ୍କ ବାପା ଅତ୍ୟନ୍ତ ଦରିଦ୍ର ଥିବାରୁ କୌଣସି କାରଣ ପାଇଁ ନିଜ ଘରଡ଼ିହକୁ ବିକ୍ରୟ କରିଦେଇଥିଲେ । ଫଳରେ ଗୃହ ଶୁନ୍ୟ ହେବାରୁ କୁଂଜବିହାରୀ ନିଜର ଭାଗ୍ୟ ଆଉ ଭବିଷ୍ୟତକୁ ନେଇ ନିଜ ଶ୍ୱଶୁର ଘର ସିଲନ୍ଦିକୁ ପଳାଇ ଆସିଥିଲେ । ସେଠାରେ କିଛି ବର୍ଷ ରହି ପରର ମୁଲ ମଜୁରୀ ଲାଗି ନିଜର ଜୀବନ ନିର୍ବାହ କରୁଥିଲେ । ବହୁ କଷ୍ଟ ରେ ରୋଜଗାର କରିଥିବା ଅର୍ଥରେ ନିଜର ଏକମାତ୍ର କନ୍ୟା ଙ୍କୁ ବିହାହ କରି ଥିଲେ । ପରେ କୌଣସି କାରଣରୁ ମଧ୍ୟ ସେଠାରୁ ପଳାଇ ଆସି ଥିଲେ । କେଉଁଠି ରହି ନିଜର ଜୀବନ ନିର୍ବାହ କରିବେ ତାହାକୁ ନେଇ ଚିନ୍ତାରେ ଥିଲେ । ଗରିବଙ୍କୁ ଦଇବ ଶାହା ପରି ତାଙ୍କର ଏହି ଦୟନୀୟ ଅବସ୍ଥାକୁ ଦେଖି ଉକ୍ତ ଗ୍ରାମର ବଦାନ୍ୟ ବ୍ୟକ୍ତି ଗିରୀଧାରୀ ଓ ତାଙ୍କ ଭାଇ ସୁରେନ୍ଦ୍ର ସାହୁ ନିଜ ଗୃହ ପିଣ୍ଡାରେ ଏକ ଚାଳିଆ ଗୃହ କରାଇ ସେଠାରେ ତାଙ୍କୁ ଆଶ୍ରୟ ଦେଇଥିଲେ । ସେବେଠୁ ଦୀର୍ଘ ୩୫ ବର୍ଷ ହେବ ଉକ୍ତ ଦମ୍ପତି ଏଠାରେ ବହୁ କଷ୍ଟରେ ଜୀବନ ନିର୍ବାହ କରୁଛନ୍ତି । ନିଜ ନାମରେ ଜମିପଟ୍ଟା ନଥିବାରୁ ଆବାସ ଯୋଜନାରେ ଘର ମିଳୁନାହିଁ । ଏଥିପାଇଁ ସେ୨୦ ବର୍ଷ ଧରି ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ପ୍ରଶାସନ ପାଖକୁ ଯାଇ ନିରାଶ ହେବା ପରେ ଦୁଇବର୍ଷ ପୂର୍ବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ନିଜର ଦୁଃଖ ଜଣାଇଥିଲେ ମଧ୍ୟ ଅଦ୍ୟାବଧି କିଛି ସୁଫଳ ମିଳିନଥିବାର ଉଭୟ ଦମ୍ପତି ଦୁଃଖର ସହ ପ୍ରକାଶ କରିଛନ୍ତି । ଏହି ଭୂମିହୀନ ଅସହାୟ ପରିବାର ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି ।

