Screenshot 2025 11 12 141038 750x430

ଦିଲ୍ଲୀ ବିସ୍ଫୋରଣ ପରେ ସାମୁଦ୍ରିକ ଥାନାଞ୍ଚଳରେ ହାଇଆଲର୍ଟ, ମଝି ସମୁଦ୍ରରେ ପଇଁତରା ମାରୁଛି ପୋଲିସ

ରାଜ୍ୟ

କେନ୍ଦ୍ରାପଡ଼ା: ନୂଆଦିଲ୍ଲୀରେ ସୋମବାର ରାତିରେ ବିସ୍ଫୋରଣ ପରେ ସାରା ଭାରତୀୟଙ୍କ ମଧ୍ୟରେ ଛନକା ପଶିଛି। ୧୦/୧୧ ମୁମ୍ବାଇ ଆକ୍ରମଣ ଦିନରେ ଏହି ଆକ୍ରମଣ ହୋଇଥିବା ଯୋଗୁଁ ସମୁଦ୍ରପଥରେ କଡ଼ାକଡ଼ି ଯାଞ୍ଚ୍‌ ଆରମ୍ଭ ହୋଇଛି । ଉପକୂଳ କେନ୍ଦ୍ରାପଡ଼ା ଜିଲ୍ଲାରେ ତଟରକ୍ଷୀ ବାହିନୀ, ସାମୁଦ୍ରିକ ଥାନା ପୋଲିସ ଓ ମତ୍ସ୍ୟ ବିଭାଗ ପକ୍ଷରୁ ପୂରା ଘଟଣା ଉପରେ ତୀକ୍ଷ୍ମ ନଜର ରଖାଯାଇଛି। ଘଟଣାକୁ ଗୁରୁତ୍ୱର ସହ ନେଇ ଏବେ ପୋଲିସ ପଦକ୍ଷେପ ନେଇଛି।

ଜିଲ୍ଲାରେ ସମୁଦ୍ର କୂଳକୁ ଲାଗିଥିବା ପଞ୍ଚାୟତଗୁଡ଼ିକରେ ଜମ୍ବୁ, ତନ୍ତିଆପାଳ ଓ ତାଳଚୁଆ ସାମୁଦ୍ରିକ ଥାନା ପକ୍ଷରୁ ୨୪ ଘଣ୍ଟିଆ ସମୁଦ୍ର ମଧ୍ୟରେ ପାଟ୍ରୋଲିଂ ଆରମ୍ଭ ହୋଇଛି। ମତ୍ସ୍ୟଜୀବୀମାନଙ୍କୁ ନିଜର ପ୍ରକୃତ ପରିଚୟପତ୍ର ସମୁଦ୍ରକୁ ଗଲା ବେଳେ ସାଙ୍ଗରେ ନେଇଯିବାକୁ କୁହାଯାଇଛି। ଏଥିସହ ସମୁଦ୍ର ମଝିରେ ମାଛ ଧରୁଥିବା ବୋଟ୍‌ଗୁଡ଼ିକର ଯାଞ୍ଚ୍‌ ଆରମ୍ଭ ହୋଇଛି। ସମୁଦ୍ର ଉପକୂଳରୁ ଆସୁଥିବା ଚାରି ଚକିଆ ଓ ଦୁଇ ଚକିଆ ଗାଡ଼ିଗୁଡ଼ିକ ସାମୁଦ୍ରିକ ଥାନା ତରଫରୁ ଯାଞ୍ଚ୍‌ କରାଯାଉଛି। ଏଥିସହ ଯଦି ସମୁଦ୍ର ଉପକୂଳବର୍ତ୍ତୀ ଗାଁଗୁଡ଼ିକୁ ଯାଉଥିବା ଗାଡ଼ିଗୁଡ଼ିକୁ ତନଖି କରାଯାଉଛି। କୌଣସି ସନ୍ଦିଗ୍ଧ ବ୍ୟକ୍ତି ନଜରକୁ ଆସିଲେ ତୁରନ୍ତ ପୁଲିସକୁ ଖବର ଦେବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କୁ କୁହାଯାଇଛି।

ଅନ୍ୟପକ୍ଷେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ରାଜ୍ୟ ତଥା ଦେଶ ବାହାରର ଲୋକ ସ୍ଥାନୀୟ ବାସିନ୍ଦାର ପରିଚୟ ନେଇ ରହିବା ଏବେ ପୁଲିସ ପାଇଁ ଆହ୍ୱାନ ସୃଷ୍ଟି କରିଛି। ଦିଲ୍ଲୀ ବିସ୍ଫୋରଣକୁ ନେଇ ସାରା ଦେଶରେ ଏବେ ହାଇ ଆଲର୍ଟ। ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। କେବଳ ଦିଲ୍ଲୀ ନୁହେଁ ଏହା ଉପରେ ଏବେ ସାରା ଦେଶର ନଜର। ଦିଲ୍ଲୀ ବିସ୍ଫୋରଣକୁ ନେଇ ପାରାଦୀପରେ ହାଇ ଆଲର୍ଟ ଜାରି କରାଯାଇଛି। ଆତଙ୍କବାଦୀ ହୁଅନ୍ତୁ ବା ବାହ୍ୟଶତ୍ରୁ ସ୍ଥଳପଥ ଅପେକ୍ଷା ଜଳପଥକୁ ବେଶୀ ସହଜ ମନେ କରନ୍ତି । ସମୁଦ୍ର ତଟକୁ ସୁରକ୍ଷା ଦେବା ପାଇଁ ସାମୁଦ୍ରିକ ଥାନା ପ୍ରତିଷ୍ଠା କରାଯାଇଛି।

Shrutilipi ad