ଭୁବନେଶ୍ୱର: ଓଡିଶାର ସର୍ବ ପୁରାତନ ତଥା ପାରମ୍ପରିକ ଚାଷୀ ସମାଜ ଏବଂ ସମର କଳାରେ ନିପୁଣ ଖଣ୍ଡାୟତ ଜାତିକୁ କେନ୍ଦ୍ରୀୟ ପଛୁଆବର୍ଗ (ଓବିସି) ଶ୍ରେଣୀଭୁକ୍ତ କରିବା ପାଇଁ ନିଖିଳ ଓଡିଶା ଖଣ୍ଡାୟତ କ୍ଷତ୍ରୀୟ ପାଇକ ଓ ଚଷା ମହାସଂଘ ପକ୍ଷରୁ ଜାତୀୟ ପଛୁଆବର୍ଗ କମିଶନ (NCBC) ନିକଟରେ ଦାବି କରାଯାଇଛି।
ଏ ନେଇ ସଂଗଠନ ପକ୍ଷରୁ ଏକ ତଥ୍ୟସମ୍ବଳିତ ସ୍ମାରକପତ୍ର କମିଶନଙ୍କ ଅଧ୍ୟକ୍ଷ ଶ୍ରୀ ହଂସରାଜ ଗଙ୍ଗାରାମ ଅହୀରଙ୍କ ସମେତ ଅନ୍ୟ ଦୁଇଜଣ ସମ୍ମାନିତ ସଭ୍ୟ ଶ୍ରୀ ଭୁବନ ଭୂଷଣ କମାଲ ଓ କମିଶନ ସଚିବ ଶ୍ରୀମତୀ ମୀତା ରାଜିବଲୋଚନଙ୍କୁ ବୁଧବାର ଦିନ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥିଭବନରେ ଅନୁଷ୍ଠିତ ଜନ ଶୁଣାଣି ଅବସରରେ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ‘ଖଣ୍ଡାୟତ’ ସମାଜର ସାମାଜିକ, ରାଜନୈତିକ, ଅର୍ଥନୈତିକ ସ୍ଥିତି ତଥା ଶିକ୍ଷା, ଐତିହ୍ୟ, ସଂସ୍କୃତି ଓ ପରମ୍ପରା ବିଷୟରେ ଉପସ୍ଥାପନ କରି ମହାସଂଘର ସାଧାରଣ ସମ୍ପାଦକ ଶ୍ରୀ ସୁଦର୍ଶନ ଛୋଟରାୟ ବର୍ଣ୍ଣନା କରିଥିଲେ ଯେ କିପରି ଏହି ଜାତିର ଲୋକେ ବ୍ରିଟିଶ ଶାସନ ସମୟରୁ ଜମି, ବସତି ହରାଇ ସର୍ବସ୍ୱାନ୍ତ ହେବାରେ ଲାଗିଛନ୍ତି। ଆଜିର ଦିନରେ ଶିକ୍ଷା, ଚାକିରି ଓ ସାମାଜିକ ସ୍ଥିତି ଦୃଷ୍ଟିରୁ ସେମାନେ ପଛରେ ପଡିଛନ୍ତି ଏବଂ ପ୍ରବାସୀ ଶ୍ରମିକ ଭାବେ ଦେଶ, ବିଦେଶ ଯାଇ ପରିବାର ପ୍ରତିପୋଷଣ କରୁଛନ୍ତି।
ଏସବୁ ତଥ୍ୟ ଶୁଣିବା ପରେ କମିଶନ ଅଧ୍ୟକ୍ଷ ରାଜ୍ୟ ସରକାରଙ୍କ ତଫସିଲଭୁକ୍ତ ଜାତି, ଜନଜାତି ଓ ପଛୁଆବର୍ଗ ବିଭାଗର ସଚିବଙ୍କୁ ‘ଖଣ୍ଡାୟତ’ ସମାଜର ସ୍ଥିତି ଏବଂ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ତଥା ସୁପାରିଶ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେ ମଧ୍ୟ ସମାଜର ପ୍ରତିନିଧିମାନଙ୍କୁ ରାଜ୍ୟ ସରକାରଙ୍କୁ ଏ ବାବଦରେ ଅବଗତ କରାଇବା ପାଇଁ ପରାମର୍ଶ ଦେଇଥିଲେ।
ଶୁଣାଣି ବେଳେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିନିଧିମାନେ ଉପସ୍ଥିତ ଥିଲେ। ମହାସଂଘ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ବିଶ୍ୱରାଜ ନାୟକ, ଶ୍ରୀ ରଜତ ବଳିୟାରସିଂହ, ଶ୍ରୀ ରାଜେନ୍ଦ୍ର ମହାଳିକ ଏବଂ ଶ୍ରୀ ମହେଶ୍ୱର ବରାଦ ପ୍ରମୁଖ ସ୍ମାରକପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।

