7c889b9f 5043 43e0 899e c247848a5e11

ଆତ୍ମବିଶ୍ୱାସ, ଈଶ୍ୱର ବିଶ୍ୱାସ ଓ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି: ଏକ ଆଲୋଚନା ଚକ୍ର

ରାଜ୍ୟ

ଭୁବନେଶ୍ୱର :  ଜୀବନରେ ସଫଳତା ଲାଭ ପାଇଁ ଗଭୀର ଆତ୍ମବିଶ୍ୱାସ, ଈଶ୍ୱର ବିଶ୍ୱାସ ଏବଂ କଠିନ ପରିଶ୍ରମ ଏକାନ୍ତ ଅପରିହାର୍ଯ୍ୟ ବୋଲି ପାୱାର ହାଉସ କଲୋନୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ଆଲୋଚନା ଚକ୍ରରେ ମତପ୍ରକାଶ ପାଇଛି। ଡାକ୍ତର କବିପ୍ରସାଦ ମିଶ୍ର ସ୍ମୃତି ପରିଷଦ ଏବଂ ଡକ୍ଟର ସାତକଡ଼ି ହୋତା ସ୍ମୃତି ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ଭବାନୀ କୁମାରୀ ମହାପାତ୍ର ସଭାପତିତ୍ୱ କରିଥିଲେ।

ଏହି ଅବସରରେ ପରିଷଦର ସମ୍ପାଦକ ତଥା ବିଶିଷ୍ଟ ସାରସ୍ୱତ ସଂଗଠକ ରମାକାନ୍ତ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦାନ କରି ବିଭିନ୍ନ ଉଦାହରଣ ମାଧ୍ୟମରେ ନିଜର ମତବ୍ୟକ୍ତ କରିଥିଲେ। ସେ ଆଦିକବି ସାରଳା ଦାସ, ପଞ୍ଚସଖା (ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଅନନ୍ତ ଦାସ, ଯଶୋବନ୍ତ ଦାସ, ବଳରାମ ଦାସ) ଏବଂ ସତ୍ୟବାଦୀ ପଞ୍ଚସଖା (ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର, ପଣ୍ଡିତ ଗୋଦାବରୀଶ ମିଶ୍ର, ଆଚାର୍ଯ୍ୟ ହରିହର ଦାସ) ଆଦିଙ୍କ ବହୁମୁଖୀ ପ୍ରତିଭା ଉପରେ ସୁବିସ୍ତୃତ ଆଲୋଚନା କରିଥିଲେ।  ସେମାନଙ୍କ ସାହିତ୍ୟ, ଦର୍ଶନ, ସାମାଜିକ ସଂସ୍କାର ଏବଂ ଶିକ୍ଷା କ୍ଷେତ୍ରରେ କରିଥିବା କାର୍ଯ୍ୟ ଓଡ଼ିଆ ଜାତିକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଶ୍ରୀ ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ସେହି ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ।

6a69cb05 6754 4038 96aa 2188aef8e5b1

ଅନ୍ୟତମ ବକ୍ତା ଇଂ. ସୁବାସ ଚନ୍ଦ୍ର ସାହୁ ସାରଳା ଦାସଙ୍କ ଜୀବନ ଦର୍ଶନ ଉପରେ ସମ୍ୟକ ଆଲୋକପାତ କରିବା ସହ ଛାତ୍ରଛାତ୍ରୀମାନେ ପୂଜ୍ୟପୂଜା ପ୍ରତି ଆଗ୍ରହ ପ୍ରକାଶ କରିବାକୁ ଅନୁରୋଧ କରିଥିଲେ। ଓଡ଼ିଶାର ଏହି ମହାନ ବ୍ୟକ୍ତିତ୍ୱମାନେ କିପରି ନିଜର ଆତ୍ମବିଶ୍ୱାସ, ଈଶ୍ୱର ବିଶ୍ୱାସ ଏବଂ କଠିନ ପରିଶ୍ରମ ବଳରେ ସମାଜରେ ଏକ ନୂତନ ଦିଗଦର୍ଶନ ସୃଷ୍ଟି କରିପାରିଥିଲେ, ତାହା ଉପରେ ସେ ବିଶଦ ଭାବେ ଆଲୋଚନା କରିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀମାନେ ଭଗବଦ୍ ଗୀତା ପାଠ କରିବା ସହ ଭଜନ ଗାନ କରିଥିଲେ, ଯାହା କାର୍ଯ୍ୟକ୍ରମକୁ ଆଧ୍ୟାତ୍ମିକତା ଭାବରେ ପରିପୂର୍ଣ୍ଣ କରିଥିଲା। ସମସ୍ତ କାର୍ଯ୍ୟକ୍ରମକୁ ସାଗରିକା ସ୍ୱାଇଁ, କସ୍ତୁରୀ ଜେନା, ଶିଲା ମନ୍ତ୍ରୀ ଏବଂ କୁଞ୍ଜବିହାରୀ ବାରିକ ସୁଚାରୁ ରୂପେ ପରିଚାଳନା କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ସୁପ୍ରଭା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଓଡ଼ିଶାର ମହାନ ବରପୁତ୍ରମାନଙ୍କର ଅବଦାନକୁ ସ୍ମରଣ କରିବା ସହ ଆଗାମୀ ପିଢ଼ିକୁ ସଫଳତାର ମନ୍ତ୍ର ପ୍ରଦାନ କରିବାରେ ସହାୟକ ହେବ।

Shrutilipi ad