Img 20250921 wa0130

ବାରିପଦା ଠାରେ “ସେବା ପକ୍ଷ ” ପାଳନ ଅବସରରେ ମିନି ମାରାଥନ ଅନୁଷ୍ଠିତ

ରାଜ୍ୟ
ବାରିପଦା : ସାମୁହିକ ପ୍ରୟାସରେ ଏକ ନିଶାମୁକ୍ତ ଭାରତ ଗଠନର ପରିକଳ୍ପନାକୁ ସାକାର କରିବା ଲକ୍ଷ୍ୟ ନେଇ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨, ୨୦୨୫  ପର୍ଯ୍ୟନ୍ତ ” ସେବା ପକ୍ଷ ”  ପାଳନ ପରିପ୍ରେକ୍ଷୀରେ ଆଜି ବାରିପଦା ଠାରେ ଜିଲ୍ଲା ପ୍ରଶାସନ ଓ କ୍ରୀଡା ବିଭାଗ  ଆନୁକୂଲ୍ୟରେ ଜନସାଧାରଣଙ୍କ ମଧ୍ୟରେ ନିଶା ନିବାରଣ ସଚେତନତା ସୃଷ୍ଟି ନିମନ୍ତେ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡର ଷ୍ଟାଡ଼ିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଆଥେଲେଟିକ ଆସୋସିଏସନର ସମ୍ପାଦକ ଶ୍ରୀ ବିଜୟ କୁମାର ଦାସ ଯୋଗ ଦେଇଥିଲେ।ପ୍ରାରମ୍ଭରେ  କ୍ରୀଡା ପ୍ରଶିକ୍ଷକ ଶ୍ରୀ ଅବନି ମୋହନ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରି ଏହି ପକ୍ଷ ପାଳନର ଆଭିମୁଖ୍ୟ ବ୍ୟକ୍ତ କରିଥିଲେ।ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେ ଯେ ଏହି ପକ୍ଷ ପାଳନର ମୁଖ୍ୟ ଉଦେଶ୍ୟ ହେଉଛି ଦେଶକୁ ନିଶାମୁକ୍ତ କରି ସୁସ୍ଥ, ସମୃଦ୍ଧ ଓ ବିକଶିତ ରାଷ୍ଟ୍ର ଭାବେ ଗଠନ କରିବା । ଜଣେ କୁପଥଗାମୀ ହେବାର ମୁଖ୍ୟ ଉତ୍ସ ହେଉଛି ନିଶା। ନିଶା ସେବନର ଶିକାର ହେଲେ ବ୍ୟକ୍ତି ନିଜକୁ କ୍ଷତି ପହଞ୍ଚାଇବା ସହ ନିଜ ପରିବାରକୁ ଦୁଃଖ ଦୁର୍ଦ୍ଦଶା ସହ ଏକ ଅନିଶ୍ଚିତ ଅନ୍ଧକାର  ଭିତରକୁ ଠେଲି ଦେଇଥାଏ । ନିଶା ସେବନ ଦ୍ୱାରା ସମାଜରେ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଥାଏ ବିଶେଷ କରି ଯୁବପିଢ଼ି ଯଦି ନିଶା ସେବନର ଶିକାର ହୁଅନ୍ତି ତେବେ ଦେଶର ପ୍ରଗତିରେ ଏହା ମୁଖ୍ୟ ପ୍ରତିବନ୍ଧକ ସାଜିଥାଏ। କାରଣ ଏକ ସୁସ୍ଥ, ସମୃଦ୍ଧ ଓ ବିକଶିତ ରାଷ୍ଟ୍ର ଗଠନରେ ଯୁବଶକ୍ତି ହିଁ ବୃହତ ଶକ୍ତି ଏବଂ ଏହାର ସଠିକ ଉପଯୋଗ ଅପରିହାର୍ଯ୍ୟ । ତେଣୁ ଯୁବପିଢ଼ି ସଦା ସର୍ବଦା ନିଶା ସେବନ ଠାରୁ ଦୂରେଇ ରହି ଅନ୍ୟ ମାନଙ୍କୁ ଏଥିପାଇଁ ସଚେତନ କରିବା ଉଚିତ। ତତ ସହିତ ସମାଜର ସବୁ ବର୍ଗର ଲୋକମାନଙ୍କ ସହଭାଗୀତାରେ ନିଶାନିବାରଣ ଅଭିଯାନକୁ ବ୍ୟାପକ କଲେ,ନିଶାମୁକ୍ତ ଦେଶର ପରିକଳ୍ପନା ସାକାର ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ତେଣୁ ଆମେ ସମସ୍ତେ ଏଥିପାଇଁ ସଂକଳ୍ପବଦ୍ଧ ହେବା।ଏହା ପରେ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ବୃନ୍ଦ ପତାକା ଦେଖାଇ  ମାରାଥନର ଶୁଭାରମ୍ଭ କରିଥିଲେ। ଉକ୍ତ ମାରାଥନରେ କ୍ରୀଡା ଛାତ୍ରାବାସର ଛାତ୍ର ଛାତ୍ରୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, କ୍ରୀଡ଼ାବିତ, କ୍ରୀଡା ପ୍ରତିଭା, ସ୍ବେଛାସେବୀ ସଂଗଠନର ସଦସ୍ୟମାନେ ଅଂଶ ଗ୍ରହଣ କରି ନିଶା ନିବାରଣ ସମ୍ପର୍କିତ ସଚେତନତା ବାର୍ତ୍ତା ବହନ କରୁଥିବା  ବିଭିନ୍ନ ଶ୍ଳୋଗାନ ସହ ସହର ପରିକ୍ରମା କରିଥିଲେ।
ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ସୁଭାଶିଷ ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ  ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ  ମହାନ୍ତି , ବିଭିନ୍ନ କ୍ରୀଡ଼ା ସଂସ୍ଥାର ପଦାଧିକାରୀ,କ୍ରୀଡା ଶିକ୍ଷକ, କ୍ରୀଡା ପ୍ରଶିକ୍ଷକ ଓ ସହରର ବହୁ ବରିଷ୍ଠ କ୍ରୀଡ଼ାବିତଙ୍କ ସମେତ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
Shrutilipi ad