Img 20250913 wa0208

୧୬ କୋଟି ଟଙ୍କା ମୂଲ୍ୟର ୬୨ଗୋଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟାଦେଶ ବଣ୍ଟନ

ରାଜ୍ୟ

ବାରିପଦା : ଆଜି ବାରିପଦା ପୌରପାଳିକା ଆନୁକୂଲ୍ୟରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ପ୍ରକଳ୍ପ କାର୍ଯ୍ୟାଦେଶ ବଣ୍ଟନ ସମ୍ପର୍କିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ନଗରପାଳ ଶ୍ରୀ କୃଷ୍ଣାନନ୍ଦ ମହାନ୍ତିଙ୍କ ପୌରାହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ, ଡା. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଧାୟକ, ବାରିପଦା ଶ୍ରୀ ପ୍ରକାଶ ସୋରେନ,ଉପନଗର ପାଳିକା ଶ୍ରୀମତୀ ସୀମା ଦାସ, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ରାଉତ ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ, ଗତ ଏପ୍ରିଲ ମାସରେ ଅନୁଷ୍ଠିତ ହୋଇଥିବା ଜଣାଶୁଣାଣି ଶିବିରରେ ବାରିପଦା ସହରବାସୀଙ୍କ ବିଭିନ୍ନ ଅଭିଯୋଗକୁ ଭିତ୍ତି କରି ତଥା ଲୋକଙ୍କ ମୌଳିକ ଆବଶ୍ୟକତାକୁ ଉପଲବ୍ଧି କରି ସହରୀ ବିକାଶ ଯୋଜନାରେ ବାରିପଦା ସହରର ବିଭିନ୍ନ ୱାର୍ଡରେ ଉନ୍ନତିକରଣ କାର୍ଯ୍ୟ ନିମନ୍ତେ ବିଭିନ୍ନ ପ୍ରକାର ୬୨ ଗୋଟି ପ୍ରକଳ୍ପ ସରକାରଙ୍କ ଅନୁମୋଦନ ଲାଭ କରିବା ସହିତ ସରକାର ଏହି ପ୍ରକଳ୍ପ ଗୁଡିକ ପାଇଁ ଆବଶ୍ୟକୀୟ ଅର୍ଥ ମଧ୍ୟ ମଂଜୁର କରିଛନ୍ତି। ଏହି ପ୍ରକଳ୍ପ ଗୁଡିକର ଟେଣ୍ଡର ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିବା ହେତୁ ଆଜି ଏଗୁଡିକର ନିର୍ମାଣ କାର୍ଯ୍ୟ ପାଇଁ ସମ୍ପୃକ୍ତ ସଂସ୍ଥା ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଉଛି। ଏହି ପ୍ରକଳ୍ପ ଗୁଡିକର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ସହରବାସୀ ଏଥିରୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ପାଇ ଉପକୃତ ହେବେ। ଏହି ଅବସରରେ ମାନ୍ୟବର ମନ୍ତ୍ରୀ କାର୍ଯ୍ୟାଦେଶ ପାଉଥିବା ସମ୍ପୃକ୍ତ ସଂସ୍ଥା ମାନଙ୍କୁ ଧାର୍ଯ୍ୟ ଅବଧି ମଧ୍ୟରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ପରାମର୍ଶ ଦେବା ସହ ନିର୍ମାଣ କାର୍ଯ୍ୟରେ କୌଣସି ପ୍ରକାର ନିମ୍ନମାନର କାର୍ଯ୍ୟ ତଥା କାର୍ଯ୍ୟରେ ନିମ୍ନମାନ ସାମଗ୍ରୀ ଉପଯୋଗକୁ ସାଲିସ କରାଯିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଥିଲେ। ଯଦି କାର୍ଯ୍ୟରେ କୌଣସି ପ୍ରକାର ଅନିୟମିତତା ଦୃଷ୍ଟିକୁ ଆସେ, ତେବେ ଯାହା’ଙ୍କ ତତ୍ୱାବଧାନରେ କାର୍ଯ୍ୟ ସମ୍ପାଦନ ହେଉଥିବ ଏବଂ ଯେଉଁ ସଂସ୍ଥା ଦ୍ୱାରା ପ୍ରକଳ୍ପ କାର୍ଯ୍ୟ କରାଯାଉଥିବ, ଉଭୟ ପକ୍ଷଙ୍କୁ ଏଥିପାଇଁ ଉତ୍ତରଦାୟୀ କରାଯିବ।

ଅନ୍ୟାନ୍ୟ ଅତିଥିବୃନ୍ଦ ପ୍ରକଳ୍ପ ଗୁଡିକ ସପକ୍ଷରେ ନିଜ ନିଜର ସୁଚିନ୍ତିତ ମତାମତ ରଖିବା ସହ ଏହି ପ୍ରକଳ୍ପ ଗୁଡିକର ଉପାଦେୟତା ଆଗାମୀ ଦିନରେ ସହରବାସୀ ନିଶ୍ଚିତ ଭାବେ ଉପଲବ୍ଧି କରିବେ ବୋଲି ଆଶାବ୍ୟକ୍ତ କରିଥିଲେ।

ଏହାପରେ ମନ୍ତ୍ରୀ ତା’ଙ୍କ କରକମଳରେ ବିଭିନ୍ନ ଠିକା ସଂସ୍ଥା ମାନଙ୍କୁ ୧୬ କୋଟି ଟଙ୍କା ମୂଲ୍ୟର ମୋଟ ୬୨ ଗୋଟି ବିଭିନ୍ନ ପ୍ରକାର ପ୍ରକଳ୍ପର କାର୍ଯ୍ୟାଦେଶ ବଣ୍ଟନ କରିଥିଲେ।

ପରିଶେଷରେ ଉପନଗରପାଳିକା ଶ୍ରୀମତୀ ସୀମା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ରାଉତଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୌରପାଳିକାର ବିଭିନ୍ନ ୱାର୍ଡର ପାରିଷଦ,ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Shrutilipi ad