ବାରିପଦା : ସ୍ଥାନୀୟ ସହୀଦ ସ୍ମୃତି ଭବନରେ ଆମେ : ବାରିପଦା ଆନୁକୂଲ୍ୟରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବର ୫ମ ସନ୍ଧ୍ୟାରେ ପ୍ରଥମେ ରଙ୍ଗମଞ୍ଚ, ରାଉରକେଲା ପ୍ରସ୍ତୁତ ନାଟକ “ଜୀବନ ଯେମିତି” ମଞ୍ଚସ୍ଥ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା ଓ ସମ୍ମାନୀୟା ଅତିଥି ଭାବେ ସୁନାମଧନ୍ୟା କଣ୍ଠଶିଳ୍ପୀ ଅଞ୍ଜଳି ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ I ସଭାପତି ଡଃ କୈଳାଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଭିନେତା, ନିର୍ଦ୍ଦେଶକ ତଥା ଆୟୋଜନ କମିଟିର ସାଧାରଣ ସମ୍ପାଦକ ଚିନ୍ମୟ ଦାସ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ପ୍ରୟାସ ଶତପଥି ମଞ୍ଚ ପରିଚାଳନା କରିଥିଲେ I ମଣିଷ ମଣିଷ ମଧ୍ୟରେ ଉତ୍ତମ ବୁଝାବଣାରେ ପରିବାର ଓ ସମାଜ ତିଷ୍ଠିରହେ I ମାତ୍ର ବୁଝାବଣାର ଅଭାବରେ କିପରି ସବୁକିଛି ନଷ୍ଟଭ୍ରଷ୍ଟ ହୋଇଯାଏ ସେହି ବିଷୟବସ୍ତୁ ଉପରେ ଆଧାରିତ ଡଃ ପଞ୍ଚାନନ ପାତ୍ରଙ୍କ ରଚିତ ଓ କୈଳାଶ ପାଣିଗ୍ରାହୀଙ୍କ ନିର୍ଦ୍ଦେଶିତ ନାଟକରେ କୈଳାଶ ପାଣିଗ୍ରାହୀ, ସୁଦେଶ ନାୟକ, ସରୋଜ ଶଙ୍ଖୁଆ, ଉମାଶଙ୍କର ପଣ୍ଡା, ସୌମ୍ୟରଞ୍ଜନ ଲେଙ୍କା, ଦେବଜିତ ପଟ୍ଟନାୟକ ଓ ସୌମ୍ୟା ସୁଚରିତା ଅଭିନୟ କରିଥିବା ବେଳେ ସଂଗୀତରେ ଅମୁଲ୍ୟ ବିଶୋଇ, ଆଲୋକସଜ୍ଜାରେ ରାକେଶ ଶତପଥି ଓ ମଞ୍ଚସଜ୍ଜାରେ ଲକ୍ଷ୍ମୀକାନ୍ତ ପଟ୍ଟନାୟକ ସହଯୋଗ କରିଥିଲେ I ପରେପରେ ପଲ୍ଲଭୀ, କରଞ୍ଜିଆ ପ୍ରସ୍ତୁତ ତଥା ନିରଞ୍ଜନ ମହାପାତ୍ରଙ୍କ ରଚିତ ଓ ପ୍ରଦୀପ ସାହାଙ୍କ ନିର୍ଦ୍ଦେଶିତ ନାଟକ “ସେମାନେ ଆମ ପ୍ରତିନିଧି” ମଞ୍ଚସ୍ଥ ହୋଇଥିଲା I ଆଜିର ସମାଜରେ ଶୋଷିତ, ନିର୍ଯାତିତ ନାରୀଟିଏ ଶେଷରେ କରେ ଆତ୍ମଦାହ ବା ଆତ୍ମହତ୍ୟା I ହେଲେ ଦାୟୀ କିଏ..? ସେହି ଅମଣିଷ ଜଣକ ଆମରି ଭିତରୁ ଜଣେ, ଆମରି ପ୍ରତିନିଧି I ଏହି ବିଷୟବସ୍ତୁ ଉପରେ ଆଧାରିତ ନାଟକରେ ଶାନ୍ତନୁ, ମନୋହର, ଚନ୍ଦ୍ରଶେଖର, ଅନୁପ, ପ୍ରଦୀପ, ସୁରେଖା ଅଭିନୟ କରିଥିବା ବେଳେ ସଂଗୀତରେ ରମାକାନ୍ତ, ମଞ୍ଚସଜ୍ଜାରେ ସଞ୍ଜୟ ସାହା ସହଯୋଗ କରିଥିଲେ I ଆସନ୍ତା କାଲି ସନ୍ଧ୍ୟାରେ କଳାପରିଷଦ, ଢେଙ୍କାନାଳ ପ୍ରସ୍ତୁତ “ଯାହା କହିବି ସତ କହିବି” ଏବଂ ନାଟ୍ୟଶ୍ରୀ, ବ୍ରହ୍ମପୁର ପ୍ରସ୍ତୁତ ନାଟକ “ଜରାୟୁ” ଦୁଇଟି ନାଟକ ପରିବେଷିତ ହେବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I

