ଆଗରପଡ଼ା :ଗତ ଡ଼ିସେମ୍ବର ମାସ ୯ତାରିଖ “୨ କୋଠରିରେ ୫ ଶ୍ରେଣୀର ପାଠପଢା;ଅଫିସ ଗୃହରେ ଚାଲିଛି ଶିକ୍ଷାଦାନ”ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଅକ୍ଷୟ ପାତ୍ର ନାମକ ଜନୈକ ସାମାଜିକ କର୍ମୀ ଉକ୍ତ ପ୍ରକାଶିତ ଖବରକୁ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରଙ୍କ ‘ଏକ୍ସ’ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ଉକ୍ତ ସମସ୍ୟା ଉପରେ ଆଲୋକପାତ କରିବା ପାଇଁ ନିର୍ଦ୍ଦେଶ ଆସିବା ପରେ ବ୍ଲକ ଶିକ୍ଷାଧିକାରିଣୀ,ବନ୍ତଙ୍କ ନିର୍ଦ୍ଦେଶାନୁସାରେ ସୋମବାର କାଦବରାଙ୍ଗ ଓ ନରାଜପୁର କ୍ଲଷ୍ଟର ଦାଇତ୍ୱରେ ଥିବା ସିଆରସିସି ପ୍ରଦୀପ କୁମାର ପଲାଇ ଏବଂ ଛୟାଳସିଂହ କ୍ଲଷ୍ଟର ସିଆରସିସି ଗିରିଜା ଶଙ୍କର ଲେଙ୍କା ବିଶଲକଣା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଆସି ବିଦ୍ୟାଳୟରେ ଲାଗି ରହିଥିବା ଶ୍ରେଣୀ ଗୃହ ସମସ୍ୟାର ତଦନ୍ତ କରିଥିବା ଜଣାପଡ଼ିଛି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟାଁ ପଂଚାୟତ ଅନ୍ତର୍ଗତ ତଥା କାଦବରାଙ୍ଗ କ୍ଲଷ୍ଟର ଅଧୀନସ୍ଥ ବିଶଲକଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଠପଢା ବିପର୍ଯ୍ୟୟ ହୋଇପଡ଼ିଲାଣି । ୧୯୬୭ ମସିହାରେ ସ୍ଥାପିତ ଏହି ପ୍ରାଥମିକ ବିଦ୍ୟାଳୟରେ ୨୦୨୪-୨୫ ଶିକ୍ଷାବର୍ଷରେ ୫୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୫ଟି ଶ୍ରେଣୀ ପାଇଁ ୨ଟି ଗୃହ ଉର୍ଦ୍ଦିଷ୍ଟ ଥିବା ବେଳେ ୩ ଜଣ ଶିକ୍ଷକ ନିଯୁକ୍ତି ପାଇଥିଲେ । ଏହା ମଧ୍ୟରେ ୫୭ବର୍ଷ ଅତିକ୍ରମ କରିଯାଇଥିଲେ ସୁଦ୍ଧା ବିଦ୍ୟାଳୟଟିର ଶୈକ୍ଷିକ ପରିବେଶରେ ଉନ୍ନତି ହୋଇପାରିନାହିଁ । ବିଦ୍ୟାଳୟରେ ମାତ୍ର ୨ଟି ଶ୍ରେଣୀଗୃହ ରହିଥିବାରୁ ୨ଟି ଗୃହରେ ୨ଟି ଲେଖାଏଁ ଶ୍ରେଣୀର ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଶ୍ରେଣୀ ଗୃହ ଅଭାବରୁ ଆଉ ଗୋଟିଏ ଶ୍ରେଣୀର ପାଠପଢା ଅଫିସ ଗୃହରେ ଚାଲୁଥିବାର ଜଣାପଡ଼ିଛି । ଗୋଟିଏ ଗୃହରେ ୨ଟି ଶ୍ରେଣୀର ପିଲାଙ୍କୁ ଏକ କାଳୀନ ଶିକ୍ଷାଦାନ କରାଯାଉଥିବାରୁ ଏଠାରେ ଗୁଣାତ୍ମକ ମାନର ଶିକ୍ଷା କିପରି ଭାବରେ ପ୍ରଦାନ କରାଯାଉଥିବ ତାହା ସହଜରେ ଅନୁମେୟ । ବିଦ୍ୟାଳୟଟିର ସମ୍ମୁଖ ଭାଗକୁ ଛାଡ଼ି ଦେଲେ ଅନ୍ୟ ପାଶ୍ୱର୍ରେ ସ୍ଥାୟୀ ପାଚେରୀ ନଥିବାରୁ ଏହା ବୁଲା ଗୋରୁଗାଈଙ୍କ ଆଶ୍ରୟସ୍ଥଳୀ ପାଲଟିଛି । ଏତେ ପୁରାତନ ବିଦ୍ୟାଳୟଟିରେ ଏହିପରି ଅବ୍ୟବସ୍ଥା ଲାଗି ରହିଥିବାରୁ ଏହା କୋମଳମତି ଛାତ୍ରଛାତ୍ରୀଙ୍କ ଉପରେ କୁପ୍ରବାହ ପକାଉଥିବା ବେଳେ ବିଦ୍ୟାଳୟ ପରିସରରେ ବିଭିନ୍ନ ଯୋଜନାରେ ମଂଜୁର ଅର୍ଥରେ ନିର୍ମିତ ଗୃହ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧିରେ ଯଥେଷ୍ଟ ନୁହେଁ । ତେଣୁ ଉକ୍ତ ବିଦ୍ୟାଳୟରେ ଲାଗି ରହିଥିବା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ଚେଷ୍ଟିତ ହେବାକୁ ଅଭିଭାବକଙ୍କ ପକ୍ଷରୁ ଦାବି ହେଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।

