ଆଗରପଡ଼ା :ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଜନ୍ମମାଟିକୁ ବିଜ୍ଞାପିତ ପରିଷଦ ଅଂଚଳ ଘୋଷଣା ନ କରାଯିବା ପ୍ରତିବାଦରେ ଅସନ୍ତୋଷ ତେଜିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ଦାଶଙ୍କ ଆବାହକତ୍ୱରେ ଆଗରପଡ଼ା ସ୍ଥିତ ହେମପଦ୍ମ ଗ୍ୟାଲେକ୍ସି ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଯେନା ଯୋଗଦେଇ କହିଲେ, ଡ. ମହତାବ ଥିଲେ ପ୍ରଖ୍ୟାତ ରାଜନୀତିଜ୍ଞ ଓ ନୂତନ ଓଡ଼ିଶା ଗଠନର ମୁଖ୍ୟ ବିନ୍ଧାଣୀ ମାତ୍ର ତାଙ୍କ ଜନ୍ମସ୍ଥାନ ଆଗରପଡ଼ାକୁ ଓଡ଼ିଶା ସରକାରଙ୍କ ବୈମାତୃକ ମନୋଭାବ କରିବା ଅର୍ଥ ଡ.ମହତାବଙ୍କୁ ଅପମାନିତ କରିବା ସଙ୍ଗେ ସମାନ । ଏହି ଅଂଚଳକୁ ଏନ୍ଏସି କରିବା ସମଗ୍ର ଅଂଚଳବାସୀଙ୍କ ସ୍ୱପ୍ନ ଥିଲା ମାତ୍ର ତାକୁ ଏହି ସରକାର ଭାଙ୍ଗି ଚୁରମାର କରିଦେଲେ । ଯାହା କି ଅଂଚଳବାସୀଙ୍କୁ ଗଭୀର ଆଘାତ ଦେଇଛି । ଆଗାମୀ ଦିନରେ ସରକାରଙ୍କୁ ଏ ଅଂଚଳବାସୀ ଉଚିତ ଜବାବ ଦେବେ । ସମସ୍ତ ପ୍ରକାରର ଭିତ୍ତଭୂମି ଥାଇ ସରକାରୀ ସ୍ତରରେ ଏହି ଅଂଚଳକୁ କାହିଁକି ବାଦ ଦିଆଗଲା, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଓ ସରକାରଙ୍କ ହୀନମନ୍ୟତା ପଦାରେ ପଡ଼ିଯାଇଛି । ଏହି ମାଟି ସ୍ୱାଭିମାନର ମାଟି । ସ୍ୱାଭିମାନକୁ ଦ୍ୱାହି ଦେଇ ଏଠାକାର ଅଂଚଳବାସୀ ବଂଚିଥାନ୍ତି । ଏହି ସରଳ ସ୍ୱାଭିମାନର ସୁଯୋଗ ନେଇ ସରକାର ଏହି ଅଂଚଳବାସୀଙ୍କୁ ପ୍ରତାରଣା କରିଛନ୍ତି । ଏହା କେବଳ ବିଜେଡିର ଦାବି ନୁହେଁ, ଏହା ସମସ୍ତଙ୍କ ଦାବି ତେଣୁ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହେବାପାଇଁ ସେ ଆହ୍ୱାନ ଦେଇଥିଲେ । ସଭ୍ୟା ରୁନୀତା ଦାସ, ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ଯୁବନେତା ସତ୍ୟ ସାଧନ ବେଜ,ପୁରୁଷଣ୍ଢ ସରପଂଚ ପ୍ରକାଶ ବିଶ୍ୱାଳ, ବଡ଼ମହିଁଷଗୋଠ ସରପଂଚ ବିନୋଦିନୀ ମହାନ୍ତି, ବିଟିପୁର ସମିତିସଭ୍ୟା ଜ୍ୟୋତିର୍ମୟୀ ପଣ୍ଡା,ମହାନ୍ତିପଡ଼ା ସମିତିସଭ୍ୟ ନିର୍ମଳ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀନାଥ ମହାନ୍ତି,ରାମଚନ୍ଦ୍ର ନାୟକ, ରବୀନ୍ଦ୍ର ଆଇଚ, ନନ୍ଦକିଶୋର ନାୟକ, ପ୍ରସନ୍ନ ସିଂହ, ଗଗନ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

