ଆଗରପଡ଼ା :ଗତ ଫେବୃଆରୀ ୨୫ ତାରିଖ “ବିଦ୍ୟାଳୟ ଉପରେ ୧୧କେଭି ବିଦ୍ୟୁତ୍ ତାର; ଅଭିଯୋଗର ଦୁଇବର୍ଷ ପରେବି ପଦକ୍ଷେପ ଶୂନ”ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଇତି ମଧ୍ୟରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ପରିସର ଦେଇ ଯାଇଥିବା ୧୧କେଭି ବିଦ୍ୟୁତ ତାର ସ୍ଥାନାନ୍ତରଣର ପ୍ରକ୍ରିୟା ଆରମ୍ଭ ବିଭାଗ ପକ୍ଷରୁ ହୋଇଥିବା ଜଣାପଡ଼ିଛି । ବନ୍ତ ବ୍ଲକ ଓଡ଼ଙ୍ଗ କ୍ଲଷ୍ଟର ଅଧିନସ୍ଥ ୧୯୬୮ ମସିହାରେ ସ୍ଥାପିତ ସରକାରୀ ସଂଯୁକ୍ତ ମଙ୍ଗୁଲି ଉ.ପ୍ରା.ବିଦ୍ୟାଳୟ ପରିସର ଦେଇ ୧୧କେଭି ବିଦ୍ୟୁତ ତାର ଯାଇଥିବାରୁ ଏହା ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ସହ ଖେଳ କ୍ଷେତ୍ରରେ ଘୋର ବ୍ୟାଘାତ ସୃଷ୍ଟି କରୁଛି । ବିଭିନ୍ନ ସମୟରେ ଉଚ୍ଚପଦାଧିକାରୀ ମାନେ ଏହି ବିଦ୍ୟାଳୟକୁ ପରିଭ୍ରମଣରେ ଆସୁଥିଲେ ସୁଦ୍ଧା ଏଥିପ୍ରତି ଦୃଷ୍ଟି ନଦେବା ବଡ଼ ଦୁଃଖ ଓ ଅନୁତାପର ବିଷୟ ଅଟେ । ଏଥି ପାଇଁ ଅଭିଭାବକମାନେ ସବୁ ବେଳେ ଚିନ୍ତାରେ ରହୁଛନ୍ତି । ଏହି ସମସ୍ୟାକୁ ନେଇ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଓ ପୂର୍ବତନ ଛାତ୍ରଛାତ୍ରୀ ଗତ ବର୍ଷ ୨୦୨୩ ମାର୍ଚ୍ଚ ମାସରେ ବିଦ୍ୟୁତ୍ ବିଭାଗ କନିଷ୍ଠଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିବା ସହ ଜିଲ୍ଲାପାଳ,ବିଡ଼ିଓ ଏବଂ ବିଇଓ ଏଥିନେଇ ଅବଗତ କରାଇଥିଲେ । ଅଭିଯୋଗକୁ ଇତି ମଧ୍ୟରେ ଦୁଇ ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳନିର୍ଦ୍ଦେଶ କରୁଛି । ସରକାରୀ ସ୍ତରରେ ବିଦ୍ୟାଳୟଗୁଡ଼ିକର ଉନ୍ନତିକରଣ କରାଯାଉଥିଲେ ସୁଦ୍ଧା ସ୍କୁଲ ମାନଙ୍କର ସଠିକ ରକ୍ଷଣାବେକ୍ଷଣ କରିବା ଓ ଏକ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ସହ ଅଧ୍ୟୟନ କ୍ଷେତ୍ରରେ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ କରାଇବାରେ ବିଭାଗୀୟ ଅଧିକାରୀ ଚେଷ୍ଟିତ ହେଲେ ଏହା ଶିକ୍ଷାର ମାନ ବୃଦ୍ଧି କରିବାରେ ସହାୟକ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀମାନେ ଆଶା ପ୍ରକଟ କରିଛନ୍ତି । ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀଙ୍କ ସହ ଗ୍ରାମବାସୀ ଦାବି କରୁଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।

