ଆଗରପଡ଼ା :ଗ୍ରାମ୍ୟ ରାସ୍ତା ଦେଇ ବେଆଇନ ଭାବେ ରାତିଦିନ ବାଲି ଚାଲାଣ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ଓ ପଥଚାରୀ । ତେବେ ବର୍ଷାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲାର ସମସ୍ତ ବାଲି ଘାଟ ଗୁଡ଼ିକୁ ଅକ୍ଟୋବର ମାସ ୧୫ତାରିଖ ପର୍ଯ୍ୟନ୍ତ ବନ୍ଦ ନେଇ ନିର୍ଦ୍ଦେଶନାମା ଜାରି ହୋଇଥିଲେ ସୁଦ୍ଧା ବାଲି ଉତ୍ତୋଳନ ବନ୍ଦ ହେବାର ନାଁ ନେଉନାହିଁ । ହାଟଡିହି ତହସିଲ ଅଂଚଳର ଗିରିଗାଁ, ଅମୃତପୁର, ଡିମିରିଆ, ହାବଳେଶ୍ୱର, ଗୋବିନ୍ଦପୁର ସମେତ ବିଭିନ୍ନ ବେଆଇନ ବାଲି ଘାଟରୁ ମାଫିଆ ମାନେ ଦୈନନ୍ଦିନ ପ୍ରଶାସନ ଆଖିରେ ଅଙ୍ଗୁଳି ଗେଞ୍ଜି ହାଇୱା ଯୋଗେ ବାଲି ବୋଝେଇ କରି ଗ୍ରାମ୍ୟ ରାସ୍ତାରେ ପରିବହନ କରୁଥିବା ଅଭିଯୋଗ ହୋଇଛି । ମାଫିଆ ମାନେ ଡ଼ଅଁର ରାସ୍ତାରେ ବନ୍ତ ତହସିଲ ବନ୍ତ-ଓଳମ ଗ୍ରାମ୍ୟ ରାସ୍ତାରେ ଆସି ନିଳୋକ ରାସ୍ତା ଦେଇ ବାରିକପୁରରେ ପହଞ୍ଚଚି ବିଭିନ୍ନ ସ୍ଥାନକୁ ବାଲି ଚୋରା ଚାଲାଣ କରୁଥିବାରୁ ରାସ୍ତାର ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି । ଅନୁରୂପ ଭାବେ ମାଫିଆ ମାନେ ଚତୁରତାର ସହ ଚଷାଖଣ୍ଡ ଗେଡ଼ମା ଗାଁ ଦେଇ ଭଣ୍ଡାରିପୋଖରୀ ତହସିଲ କୋଚିଳାପଦୀ-ନାଆଁମୀ କଲେଜ ମଞ୍ଜୁରୀରୋଡ଼ ଦେଇ ସିଧାସଳଖ ଭଣ୍ଡାରିପୋଖରୀ ୧୬ନଂ ଜାତୀୟ ରାଜପଥରେ ପହଂଚି ବିଭିନ୍ନ ଜିଲ୍ଲାକୁ ବାଲି ଚାଲାଣ କରୁଥିବା ବେଳେ ପୂର୍ତ୍ତ ବିଭାଗ ରାସ୍ତା ମରଣଯନ୍ତା ପାଲଟିଥିବା ଅଭିଯୋଗ ହୋଇଛି । ଖାଲି ଏତିକି ନୁହେଁ ଗ୍ରାମ୍ୟ ରାସ୍ତା ଦେଇ ବାଲି ବୋଝେଇ ଭାରୀଯାନ ଚାଲାଣ ଯୋଗୁଁ ବନ୍ତ-ଆଗରପଡ଼ା, ବନ୍ତ-ଭଦ୍ରକ ଆଦି ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଗ୍ରାମ୍ୟ ରାସ୍ତାରେ ଚୋରା ବାଲି ଚାଲାଣକୁ ସମ୍ପୁର୍ଣ୍ଣ ବନ୍ଦ କରିବାକୁ ଦାବି ଜୋର୍ ଧରିଛି ।

