Saturday, March 07, 2026
Road

୬ଥାକିଆ ହେବ ଭୁବନେଶ୍ବର ବାଇପାସ୍‌ ରୋଡ୍‌: ଖର୍ଚ୍ଚ ହେବ ୮୩୦୮କୋଟି

ରାଜ୍ୟ

ଭୁବନେଶ୍ବର: ଖୋର୍ଦ୍ଧା, ଭୁବ‌ନେଶ୍ବର କଟକ ସହରର ଭିଡ଼ ଓ ଟ୍ରାଫିକ୍‌ ସମସ୍ୟା କମାଇବା, ଭାରୀ ଯାନ ଚଳାଚଳ ହ୍ରାସ ପାଇଁ ଏନ୍‌ଏଚ୍-୧୬ରେ (ଚେନ୍ନାଇ-କୋଲକତା କରିଡର) ଜାତୀୟ ରାଜପଥ କର୍ତ୍ତୃପକ୍ଷ ଭୁବନେଶ୍ବର ବାଇପାସ୍‌ ନିର୍ମାଣ କରିବାକୁ ଯାଉଛନ୍ତି। ଏହା ଖୋର୍ଦ୍ଧା ଜିଲ୍ଲା ରାମେଶ୍ବରରୁ ବାହାରି ଭାୟା ବାଙ୍କି, ଆଠଗଡ଼, ଗୋବିନ୍ଦପୁର ହୋଇ କଟକର ଟାଙ୍ଗୀ ନିକଟରେ ବାହାରିବ। ଏହି ୧୧୦.୮୭୫ କିମିର ୬ଥାକିଆ ରାସ୍ତା ପାଇଁ ୮୩୦୭.୭୪ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ରାଜଧାନୀ କ୍ଷେତ୍ର ରିଙ୍ଗ ରୋଡ୍‌ ହାଇବ୍ରିଡ ଆନୁଇଟି ମୋଡ୍‌ରେ ନିର୍ମାଣ ହେବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକ ଏହି ପ୍ରକଳ୍ପକୁ ଅନୁମୋଦନ କରିଛି।

କ୍ୟାବିନେଟ ବୈଠକ ପରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହି ବାଇପାସ୍‌କୁ ୬ଲେନ୍ ବିଶିଷ୍ଟ ପ୍ରବେଶ ନିୟନ୍ତ୍ରିତ ଗ୍ରିନ୍‌ଫିଲ୍ଡ ରାଜପଥ ଭାବେ ବିକଶିତ କରାଯିବ। ଭାରୀଯାନଗୁଡ଼ିକ ଖୋର୍ଦ୍ଧା, ଭୁବନେଶ୍ବର, କଟକ ଭଳି ବ୍ୟସ୍ତବହୁଳ ସହରକୁ ବାଦ୍‌ ଦେଇ ଯାତାୟତ କରିବ। ଏହାଦ୍ବାରା ଓଡ଼ିଶା ସମେତ ଅନ୍ୟ ପୂର୍ବବର୍ତ୍ତୀ ରାଜ୍ୟଗୁଡ଼ିକରେ ମାଲ୍ ପରିବହନ କ୍ଷମତା ବଢ଼ିବ, ପରିବହନ ଖର୍ଚ୍ଚ ହ୍ରାସ ପାଇବ ଏବଂ ସ୍ଥାନୀୟ ଅଞ୍ଚଳରେ ସାମାଜିକ-ଆର୍ଥିକ ପ୍ରଗତି ଲାଗି ମାର୍ଗ ପ୍ରଶସ୍ତ ହେବ। ଏହି ବାଇପାସ୍‌ ରାସ୍ତା ତିନିଟି ପ୍ରମୁଖ ଜାତୀୟ ରାଜପଥ ଏନ୍‌ଏଚ୍‌-୫୫, ଏନ୍‌ଏଚ୍‌-୫୭ ,ଏନ୍‌ଏଚ୍-୬୫୫ ଏବଂ ରାଜ୍ୟ ରାଜପଥ ଏସ୍‌ଏଚ୍‌-୬୫କୁ ଯୋଡ଼ିବ। ଏହା ଓଡ଼ିଶାର ପ୍ରମୁଖ ଆର୍ଥିକ, ସାମାଜିକ ଏବଂ ଲଜିଷ୍ଟିକ କେନ୍ଦ୍ରଗୁଡ଼ିକୁ ବାଧାମୁକ୍ତ ସଡ଼କ ସଂଯୋଗ ପ୍ରଦାନ କରିବ। ଏହାସହ ୧୦ଟି ଆର୍ଥିକ କରିଡର, ୪ଟି ସାମାଜିକ କେନ୍ଦ୍ର, ୫ଟି ଲଜିଷ୍ଟିକ କେନ୍ଦ୍ରକୁ ଯୋଡ଼ିବା ସହ ଖୋର୍ଦ୍ଧା ରେଳ ଷ୍ଟେସନ, ପ୍ରସ୍ତାବିତ ପୁରୀ ଓ ଅସ୍ତରଙ୍ଗ ବନ୍ଦର, ଭୁବନେଶ୍ବର ବିମାନବନ୍ଦର, ଗୋଟିଏ ବହୁମୁଖୀ ଲଜିଷ୍ଟିକ ପାର୍କକୁ ସଡ଼କ ସଂଯୋଗ ଯୋଗାଇବ। ଏହି ରାସ୍ତା ନିର୍ମାଣ ସରିଲେ ଏହା ନିକଟବର୍ତ୍ତୀ ଅଞ୍ଚଳରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏହି ପ୍ରକଳ୍ପ ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହ କହିଛନ୍ତି ଯେ ଏହି ରିଙ୍ଗ୍‌ରୋଡ୍‌ ରାଜଧାନୀ ଓ ଆଖପାଖର ପ୍ରମୁଖ ସହରୀ କେନ୍ଦ୍ରଗୁଡ଼ିକର ଗମନାଗମନକୁ ସହଜ କରିବ, ଲଜିଷ୍ଟିକ୍ ଦକ୍ଷତା ବୃଦ୍ଧି କରିବ ଏବଂ ରାଜ୍ୟର ଅର୍ଥନୈତିକ ବିକାଶ ପାଇଁ ନୂଆ ଦିଗ ଖୋଲିବ। ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀ ଓ ସଡ଼କ ପରିବହନ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହାସହ କହିଛନ୍ତି ଯେ ୨୦୧୭ ମସିହାରୁ ସେ ଏହି ରାସ୍ତା ନିର୍ମାଣର ଅଗ୍ରଗତି ନେଇ ବାରମ୍ବାର ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଅନୁରୋଧ କରି ଆସୁଥିଲେ। ଏନ୍‌ଏଚ୍‌ଏଆଇ ଅଧିକାରୀଙ୍କ ସହ ସମୀକ୍ଷା କରିବା ସହ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଥିଲେ। ପୂର୍ବ ସରକାରରେ ଏହି କାମ ଆଗେଇ ପାରୁନଥିଲା। ରାଜ୍ୟରେ ବିଜେପି ସରକାର ହେବା ପରେ ଏହି କାମ ଆଗେଇଛି, ଆଜିର କ୍ୟାବିନେଟ୍ ନିଷ୍ପତ୍ତି ସେ ଦିଗରେ ପ୍ରତିଫଳିତ। ଭୁବନେଶ୍ୱର ବାଇପାସ୍ ସମୃଦ୍ଧିର ରାଜପଥ ଭାବେ ଉଭା ହେବ। ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିସନ୍‌ରେ ଏହି ପ୍ରକଳ୍ପ ଓଡ଼ିଶାକୁ ଅଭିବୃଦ୍ଧିର ପ୍ରଥମ ସୋପାନରେ ପହଞ୍ଚାଇବ ବୋଲି ସେ କହିଛନ୍ତି।

Shrutilipi ad