ବ୍ରହ୍ମପୁର: ଏଣିକି ସମୁଦ୍ର ପାଣି ବି ହୋଇପାରିବ ବ୍ୟବହାରଯୋଗ୍ୟ । ଦୂର ହେବ ସମୁଦ୍ର ଉପକୂଳବର୍ତ୍ତୀଙ୍କ ପାଣି ସମସ୍ୟା । ଏଥିପାଇଁ ରାଜ୍ୟରେ ପ୍ରଥମ ଥର ପାଇଁ ଖୋଲାଯାଇଛି ଡିସାଲିନେସନ ପ୍ଲାଣ୍ଟ ଅର୍ଥାତ୍ ଲୁଣିଆ ପାଣିରୁ ଲୁଣ କିମ୍ବା ଅଲଗା ମିନେରାଲ୍ସକୁ ଅଲଗା କରିବା ପ୍ରକ୍ରିୟା ପ୍ଲାଣ୍ଟ । ରବିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଞ୍ଜାମ ଜିଲ୍ଲାରେ ରାଜ୍ୟର ପ୍ରଥମ ସମୁଦ୍ର ଜଳ ଡିସାଲିନେସନ୍ ପ୍ଲାଣ୍ଟ ଉଦଘାଟନ କରିଛନ୍ତି।
ଛତ୍ରପୁର ନିକଟ ମାଟିଖାଲରେ ସ୍ଥାପିତ ଏହି ପ୍ଲାଣ୍ଟ ରିଭର୍ସ ଅସମୋସିସ୍ (RO) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ସମୁଦ୍ର ଜଳକୁ ମଧୁର ଜଳରେ ପରିଣତ କରିବ। ଏହାକୁ ଇଣ୍ଡିଆନ୍ ରେୟାର ଆର୍ଥସ୍ ଲିମିଟେଡ୍ (IREL)ର ଏକ ୟୁନିଟ୍ ଓଡ଼ିଶା ସ୍ୟାଣ୍ଡସ୍ କମ୍ପ୍ଲେକ୍ସ (OSCOM) ଦ୍ୱାରା ମିଳିତ ଭାବେ ବିକଶିତ କରାଯାଇଛି ।
ଏନେଇ ମନ୍ତ୍ରୀ କହିଛନ୍ତି, ଯେ ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ଦ୍ୱାରା ସମୁଦ୍ର କୂଳରେ ଅବସ୍ଥିତ ଦୁଇଟି ଗାଁର ପାଣି ସମସ୍ୟା ସମାଧାନ ହେବ। ଭୂତଳ ଜଳରେ ଲୁଣିଆତା ଯୋଗୁଁ ଗ୍ରାମବାସୀ ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏକ ଉପକୂଳ ଜିଲ୍ଲା ହେବା ସତ୍ତ୍ୱେ ଗଞ୍ଜାମ ଭୂତଳ ଜଳରେ ଅଧିକ ଲୁଣିଆତା ଏବଂ ସୀମିତ ମଧୁର ଜଳ ସମ୍ପଦ ଯୋଗୁଁ ସ୍ୱଚ୍ଛ ପାନୀୟ ଜଳ ସଙ୍କଟର ସମ୍ମୁଖୀନ ହୋଇଥିଲା । ଏହି ପ୍ରକଳ୍ପ ଏହି ଅଞ୍ଚଳରେ ଜଳ ସଂରକ୍ଷଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ । ଏହା ଲୋକଙ୍କୁ ପାନୀୟ ଜଳର ଏକ ନିର୍ଭରଯୋଗ୍ୟ ଉତ୍ସ ଯୋଗାଇବ ।

