କଟକ, ୩୦/୦୭: ଛାତ୍ରୀମାନଙ୍କୁ ସେମାନଙ୍କ ଆଇନଗତ ଅଧିକାର ବିଷୟରେ ସଚେତନ କରାଇ ସଶକ୍ତ କରିବା ଲକ୍ଷ୍ୟରେ ବୁଧବାର ଦିନ କଟକ ସ୍ଥିତ ଇମର୍ତ୍ତୀଦେବୀ ମହିଳା ମହାବିଦ୍ୟାଳୟ ପରିସରରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଇମର୍ତ୍ତୀଦେବୀ ମହିଳା ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା।

କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ଜେନା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କ ସହ ବିଶିଷ୍ଟ ଆଇନଜୀବୀ ଶ୍ରୀ ବିଜୟ କୁମାର ପଣ୍ଡା ଏବଂ ଶ୍ରୀ ଦିଲିପ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରୀମାନଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଇନ ସମ୍ପର୍କରେ ସଚେତନ କରାଇଥିଲେ।
ବିଶେଷକରି ଆଜିର ଆଲୋଚନାରେ ‘କାର୍ଯ୍ୟସ୍ଥଳୀରେ ମହିଳାଙ୍କ ଯୌନ ନିର୍ଯାତନା ନିବାରଣ, ନିଷେଧ ଓ ନିରାକରଣ ଅଧିନିୟମ, ୨୦୧୩’ ଉପରେ ବିଶଦ ଭାବରେ ଆଲୋକପାତ କରାଯାଇଥିଲା। ଅତିଥିମାନେ ଏହି ଆଇନର ଗୁରୁତ୍ୱ ଓ ଏହା କିପରି ମହିଳାମାନଙ୍କୁ ଏକ ସୁରକ୍ଷିତ କାର୍ଯ୍ୟ ପରିବେଶ ପ୍ରଦାନ କରେ, ସେ ବିଷୟରେ ବୁଝାଇଥିଲେ। ଏଥିସହିତ, ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ହେଉଥିବା ନିଷ୍ଠୁରତାକୁ ରୋକିବା ପାଇଁ ଥିବା କଠୋର ଆଇନ ଏବଂ ସାଧାରଣ ନାଗରିକଙ୍କ ପାଇଁ ଉପଲବ୍ଧ ବିଭିନ୍ନ ଆଇନ ସହାୟତା ବିଷୟରେ ମଧ୍ୟ ଛାତ୍ରୀମାନଙ୍କୁ ଅବଗତ କରାଯାଇଥିଲା।
ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଶାଶ୍ବତୀ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜତତ୍ତ୍ୱ ବିଭାଗର ମୁଖ୍ୟ ପ୍ରାଧ୍ୟାପିକା ଡ. ଅଶ୍ରୁତା ଜେନା ସ୍ୱାଗତ ଭାଷଣ ଦେବା ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ।
ଏହି ଶିବିରରେ ମହାବିଦ୍ୟାଳୟର ଅଧ୍ୟାପିକା ଜୟନ୍ତୀ ତ୍ରିପାଠୀ, ନିବେଦିତା ମହାନ୍ତି, ପ୍ରଜ୍ଞାଶ୍ରୀ ଆଚାର୍ଯ୍ୟଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଓ ୧୦୦ରୁ ଅଧିକ ଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଶେଷରେ, ଅଧ୍ୟାପିକା ପ୍ରଜ୍ଞାଶ୍ରୀ ଆଚାର୍ଯ୍ୟ ଉପସ୍ଥିତ ସମସ୍ତ ଅତିଥି, ଅଧ୍ୟାପିକା ଓ ଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

