ବାରିପଦା – ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଥିବା ସମ୍ମିଳନୀ କକ୍ଷରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତା ରେ ହେପାଟାଇଟିସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଥା ସ୍ୱାସ୍ଥ୍ୟ ଅଧିକ୍ଷକ ଡାକ୍ତର ମାନସ ରଞ୍ଜନ ଦଣ୍ଡପାଟ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁବାସ ଚନ୍ଦ୍ର ନାୟକ, ଜିଲ୍ଲା ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ (ଭେକଟର ବାହିତ ରୋଗ ) ଡାକ୍ତର ବିଜୟ କୁମାର ଦାଶ, ଜିଲ୍ଲା ଅତିରିକ୍ତ ଜନ ସ୍ୱାସ୍ଥ୍ୟ (କୁଷ୍ଠ ) ଡାକ୍ତର ଶାନ୍ତନୁ ଦାସ, ଜିଲ୍ଲା ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ(ରୋଗ ନିୟନ୍ତ୍ରଣ) ଡାକ୍ତର ଘାସିରାମ ମୁର୍ମୁ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ (ଅଣ ସଂକ୍ରମଣ ରୋଗ )ଡାକ୍ତର ଜ୍ଞାନେନ୍ଦ୍ର ମହାନ୍ତି, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଧନୁରାମ ମୁର୍ମୁ, ଡାକ୍ତର ବିଭୁଦତ୍ତ ଦାସ, ଏପିଡେମିଲଜିଷ୍ଟ, ଏଲିନା ସାମଲ, ଡେପୁଟି ମ୍ୟାନେଜର, ଆର ସି ଏଚ ଏବଂ ଅନିତା ଦାସ ଏଏନଏମ ପ୍ରଶିକ୍ଷିକା ପ୍ରମୁଖ ଉପସ୍ଥିତ ଥିଲେ। ସଭା ପ୍ରାରମ୍ଭରେ ଡାକ୍ତର ଆଚାର୍ଯ୍ୟ ସମସଙ୍କୁ ସ୍ୱାଗତ କରିବା ସହ ଏହି ଦିବସ ପାଳନର ଆଭିମୁଖ୍ୟ ସମ୍ଭନ୍ଧରେ ବକ୍ତବ୍ୟ ରଖିଥିଲେ। ଏବର୍ଷ ର ବାର୍ତା “ଆସନ୍ତୁ, ହେପାଟାଇଟିସ କୁ ପ୍ରତିହତ କରିବା ” ଉପରେ ଉଲ୍ଲେଖ କରିବାକୁ ଯାଇ ରୋଗର କାରଣ, ଏହି ରୋଗ ହେଲେ ରୋଗୀର ଯକୃତ କିପରି କାର୍ଯ୍ୟ ନକରି ଧୀରେ ଧୀରେ ଅକାମି ହୋଇଯାଏ ଏବଂ ରୋଗୀ ମୃତ୍ୟୁ ମୁଖରେ ପଡେ ସେ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ହେପାଟାଇଟିସ ବି, ସି ଏବଂ ଡି ରକ୍ତ ଓ ରକ୍ତ ଜାତ ଉପାଦାନ ଏବଂ ରକ୍ତ ପରୀକ୍ଷା ପାଇଁ ବ୍ୟବହୃତ ହେଉଥିବା ସାମଗ୍ରୀ ଦ୍ୱାରା ବ୍ୟାପି ଥାଏ ଓ ହେପାଟାଇଟିସ ଏ ଓ ଇ ଦୂଷିତ ଜଳ ଓ ଖାଦ୍ୟ ଦ୍ୱାରା ବ୍ୟାପି ଥାଏ। ଏହି ରୋଗର ନିୟନ୍ତ୍ରଣ ନିମନ୍ତେ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମାଗଣା ପରୀକ୍ଷା ଓ ଚିକିତ୍ସା ବିଷୟରେ ଅବଗତ କରାଇଥିଲେ। ସମସ୍ତ ଗର୍ଭବତୀ ମହିଳା ମାନଙ୍କ ର ପରୀକ୍ଷା କରି ଚିକିତ୍ସା କରିବା ନିତ୍ୟାନ୍ତ ଜରୁରୀ ଅଟେ ଯଦ୍ୱାରା ଏହା ଚିରକାଳୀନ ରୋଗ ରେ ପରିଣତ ନହୁଏ ସେଥି ପ୍ରତି ସତର୍କ ହେବା। ଶିଶୁ ଜନ୍ମ ହେବାର ୨୪ ଘଣ୍ଟା ମଧ୍ୟରେ ହେପାଟାଇଟିସ ବି ଟୀକା କରଣ କରାଇବା ଜରୁରୀ ବୋଲି କହିଥିଲେ। ଏହାକୁ ପ୍ରତିହତ କରିବା ପାଇଁ ବ୍ୟାପକ ଜନ ସଚେତନ ଆବଶ୍ୟକ ରହିଛି ଏବଂ ସମୟଚିତ ପଦକ୍ଷେପ ନେବା ନିମନ୍ତେ କିଛି ଉପଦେଶାତ୍ମକ ଡାକ୍ତରୀ ପରାମର୍ଶ ଦେଇଥିଲେ।
ଏହି ଦିବସ ପାଳନ ପରିପ୍ରେକ୍ଷୀରେ ଆଜି ସକାଳେ ନର୍ସିଂ ଛାତ୍ରୀ ଓ ଏ ଏନ ଏମ ଛାତ୍ରୀ ମାନଙ୍କୁ ଏକ ସଚେତନତା ଶୋଭଯାତ୍ରା ଡାକ୍ତରଖାନା ପରିସରରୁ ବାହାରି ବିଭିନ୍ନ ସଚେତନ ଧର୍ମୀ ବାର୍ତ୍ତା ବହନ କରୁଥିବା ସ୍ଲୋଗାନ ସହ ବଡବଜାର, ରଥପଡିଆ, ବାଲେଶ୍ୱର ଗୋଲେଇ ଇତ୍ୟାଦି ଦେଇ ସହର ପରିକ୍ରମା କରିଥିଲା।
ଏହି ଅବସରରେ ୧୦୫ ଜଣଙ୍କର ହେପାଟାଇଟିସ ପରୀକ୍ଷା କରାଯିବା ସହ ୧୧୧ ଜଣଙ୍କର ହେପାଟାଇଟିସ ବି ଟୀକାକରଣ କରାଯାଇଥିଲା। ସହକାରୀ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଗଣେଶ୍ୱର ମହାନ୍ତି କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

