Photo for the news of ri office

ଅବ୍ୟବସ୍ଥାରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ବିଜୁଳି ଗଲେ କାମ ଠପ୍‌

ରାଜ୍ୟ

ଆଗରପଡ଼ା :ବିଜୁଳି କଟିଲେ ତାର ବିକଳ୍ପର ବ୍ୟବସ୍ଥା ନଥିବାରୁ ସବୁ କାମ ଠପ୍ ହୋଇପଡ଼ୁଥିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଥିବାର ଜଣାପଡ଼ିଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍କ ଆଗରପଡ଼ା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ । ବର୍ତ୍ତମାନ ସମୟରେ ସମସ୍ତ କାର୍ଯ୍ୟ ଅନଲାଇନ୍ ମାଧ୍ୟମରେ ହେଉଥିବାରୁ ଏହାକୁ ଆଖି ଆଗରେ ରଖି ବିଭାଗ ପକ୍ଷରୁ ଉକ୍ତ କାର୍ଯ୍ୟାଳୟରେ କମ୍ପ୍ୟୁଟର ସହ ଏକ ପ୍ରିଣ୍ଟର ବ୍ୟବସ୍ଥା କରାଯାଇଛି । କିନ୍ତୁ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ବିଜୁଳି କଟିଲେ ତାର ବିକଳ୍ପର ବ୍ୟବସ୍ଥା କରାଯାଇନଥିବାରୁ ସମସ୍ତ କାମ ଠପ୍ ହୋଇ ପଡ଼ୁଥିବା ଜଣାପଡ଼ିଛି । ଉକ୍ତ କାର୍ଯ୍ୟାଳୟ ଅଧିନରେ ପୁରୁଷଣ୍ଢ, ଗୋପିନାଥପୁର, ବିଟିପୁର, ବଡ଼ମହିଷଁଗୋଠ,ମହାନ୍ତିପଡ଼ା ଓ ଆଡ଼ିଆ ଏହିପରି ୬ ଗୋଟି ପଚାୟତର ପ୍ରାୟ ୪୭ ଗୋଟି ମୌଜା ରହିଥିବା ହେତୁ ବିଭିନ୍ନ କାର୍ଯ୍ୟରେ ଲୋକେ ଆସିଲେ ବିଜୁଳି କଟିଥିଲେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରୁଥିବା ଜଣାପଡ଼ିଛି । ତେଣୁ ଏହାର ବିକଳ୍ପର ଯଥା ଶୀଘ୍ର ବ୍ୟବସ୍ଥା କରାଯିବାକୁ ବିଭିନ୍ନ ମହଲରୁ ଦାବି ହେଉଛି । ସେହିପରି ଜଣେ ରାଜସ୍ୱ ନିରୀକ୍ଷକଙ୍କ ଭରସାରେ ଉକ୍ତ କାର୍ଯ୍ୟାଳୟ ନିର୍ଭର କରୁଛି । କାର୍ଯ୍ୟାଳୟ କୌଣସି ଅମିନ ବା ପିଅନ ନଥିବାରୁ କାର୍ଯ୍ୟାଳୟଟି କେବଳ ରାଜସ୍ୱ ନିରୀକ୍ଷକଙ୍କ ଭରସାରେ ଚାଲୁଛି । ଅପରପକ୍ଷରେ ଏହାର ସୁଯୋଗ କିଛି ଦଲାଲ ନେଉଥିବାର ଦେଖାଯାଉଛି । କାର୍ଯ୍ୟାଳୟରେ ସେମାନଙ୍କ ଭୂମିକା କିଛି ନଥିବା ବେଳେ ଉକ୍ତ କାର୍ଯ୍ୟାଳୟରେ ନିଜର ହୁକୁମାତି ଜାହିର କରୁଥିବା ଅଭିଯୋଗ ମଧ୍ୟ ହେଉଛି । କେହି ଅନ୍ୟ କର୍ମଚାରୀ ନଥିବାରୁ କୌଣସି ସରକାରୀ କାର୍ଯ୍ୟରେ ନିରୀକ୍ଷକ ଜଣଙ୍କ ନିୟୋଜିତ ରହିଲେ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ବନ୍ଦ ହୋଇପଡୁଛି । ବିଜୁଳି କଟିଲେ ଜମିଜମା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା, ଖଜଣା, ସାର୍ଟିଫିକେଟ,ଭତ୍ତା ଫର୍ମ,ଲିଗାଲ ହେୟାର ପ୍ରକାଣପତ୍ର ଆଦି ପାଇବାକୁ ଏଠାକୁ ଆସିଲେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ନିରାଶ ହୋଇ ଫେରୁଥିବାର ଜଣାପଡ଼ିଛି । ସ୍କୁଲ କଲେଜରେ ଛାତ୍ରଛାତ୍ରୀମାନଙ୍କ ଛାତ୍ରବୃତ୍ତି ପ।।ଇଁ ଆବଶ୍ୟକ ହେଉଥିବା ଆୟ ପ୍ରମାଣପତ୍ର, ବାସସ୍ଥାନ ପ୍ରମାଣପତ୍ର,ଜାତିଗତ ପ୍ରମାଣପତ୍ର ଆଦି ଠିକ୍ ସମୟରେ ମିଳି ପାରୁନଥିବା ଅଭିଯୋଗ ହେଉଛି । ତେଣୁ ଜନସାଧାରଣଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଏଥିପ୍ରତି ଯଥାଶୀଘ୍ର ବିହିତ ପଦକ୍ଷେପ ନେବା ସହ ଉକ୍ତ କାର୍ଯ୍ୟାଳରେ ଲାଗି ରହିଥିବା ସମସ୍ୟାର ଶୀଘ୍ର ସମାଧାନ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।

Shrutilipi ad