Photo for the news of alokikarana yojana

ଆଲୋକ ଖୋଜୁଛି ଆଲୋକୀକରଣ ଯୋଜନା, ରକ୍ଷଣାବେକ୍ଷଣ ଅଭାବରୁ ବହୁ ସମ୍ଭ ଅଚଳ

ରାଜ୍ୟ

ଆଗରପଡ଼ା: ୨୦୧୫ ମସିହାରେ ଗ୍ରାମାଂଚଳର ବିକାଶ ସକାଶେ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିଲେ ସାଂସଦଙ୍କ ପୋଷ୍ୟଗ୍ରାମ ଗ୍ରହଣ ଯୋଜନା । ଦେଶର ସାଂସଦଙ୍କୁ ପର୍ଯ୍ୟୟ କ୍ରମେ ନିଜ ଅଂଚଳରେ ଥିବା ଗୋଟିଏ ଗୋଟିଏ ପଂଚାୟତକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରି ଏହାର ସାମଗ୍ରୀକ ବିକାଶ ପ୍ରତି ଧ୍ୟାନ ଦେବାକୁ କୁହାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାକୁ ଆଧାରକରି ତତ୍କାଳୀନ ଭଦ୍ରକ ସାଂସଦ ସ୍ୱର୍ଗତ ଅର୍ଜ୍ଜୁନ ଚରଣ ସେଠୀ ବନ୍ତ ବ୍ଲକ ପୁରୁଷଣ୍ଢ ପଂଚାୟତକୁ ପ୍ରଥମ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରିଥିଲେ । ଏବଂ ଗ୍ରାମର ବିକାଶ ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରି ନିଜ ହାତ ପାଣ୍ଠିରୁ ଅର୍ଥ ମଧ୍ୟ ମଂଜୁର କରିଥିଲେ । ଉକ୍ତ ଯୋଜନା ମଧ୍ୟରୁ ପୋଷ୍ୟଗ୍ରାମ ଆଲୋକୀକରଣ ଯୋଜନା ଅନ୍ୟତମ । ଗତ ୨୦୧୬ ମସିହା ଡ଼ିସେମ୍ବର ମାସ ୨୧ ତାରିଖରେ ସାଂସଦଙ୍କ ହାତ ପାଣ୍ଠି ଅର୍ଥରେ ଲୋକାର୍ପିତ ହୋଇଥିଲା ପୋଷ୍ୟଗ୍ରାମ ଆଲୋକୀକରଣ ଯୋଜନା । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୯୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୫୩ ଗୋଟି ଆଲୋକ ସ୍ତମ୍ଭ ଲୋକାର୍ପଣ କରାଯାଇଥିଲା । ଆଉ କିଛି ମାସ ପରେ ଉକ୍ତ ଯୋଜନାକୁ ୯ ବର୍ଷ ପୂରିବ । ତେବେ ରକ୍ଷଣାବେକ୍ଷଣ ଅଭାବରୁ ଧିରେ ଧିରେ ଏହି ଆଲୋକ ସ୍ତମ୍ଭରୁ ହାତ ଗଣତି କିଛି ସ୍ତମ୍ଭକୁ ଛାଡ଼ି ଦେଲେ ଆଉ ସବୁ ସ୍ତମ୍ଭ ଅକାମି ହୋଇ ପଡ଼ିଥିଲା । ଏବଂ ଅନ୍ଧାରରେ ବୁଡ଼ି ରହିଥିବା ସାଂସଦଙ୍କ ପୋଷ୍ୟଗ୍ରାମ ପୁରୁଷଣ୍ଢ ଆଲୋକ ଖୋଜିବାରେ ଲାଗିଥିବାବେଳେ ତତ୍କାଳୀନ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଚେଷ୍ଟାରେ ନିଜସ୍ୱ ପାଣ୍ଠିରୁ ୨୦୨୧-୨୦୨୨ ଆର୍ôଥକ ବର୍ଷରେ ମହତାବ ଛକ ଠାରୁ କୁପାରୀ ରାସ୍ତା ପର୍ଯ୍ୟନ୍ତ ୬ଲକ୍ଷ,ସିଟି ସ୍କୁଲ ଠାରୁ କେସିଭିଏମ ହାଇସ୍କୁଲ ପର୍ଯ୍ୟନ୍ତ ସାଢେ ୬ଲକ୍ଷ ଓ କେସିଭିଏମ ହାଇସ୍କୁଲ ଠାରୁ କୁପାରୀ ଛକ ପର୍ଯ୍ୟନ୍ତ ସାଢେ ୬ ଲକ୍ଷଟଙ୍କା ଏହିପରି ୧୯ଲକ୍ଷ ଟଙ୍କା ଖର୍ଚ୍ଚରେ ଆଲୋକୀକରଣର ବ୍ୟବସ୍ଥା କରାଯାଇଥିଲା । ଏବଂ ଗତ ୨୦୨୩ ଜାନୁଆରୀ ମାସ ୧୭ ତାରିଖରେ ଏହାର ଶୁଭାରମ୍ଭ ବିଧାୟକଙ୍କ ଉପସ୍ଥିତିରେ ହୋଇଥିଲା । ଉକ୍ତ ବ୍ୟବସ୍ଥାକୁ ଅଢେଇ ବର୍ଷ ବିତି ଯାଇଥିବା ବେଳେ ବହୁ ସ୍ଥାନରେ ଏହାର ବ୍ୟବସ୍ଥା କରାଯାଇନାହିଁ । ଅନେକ ସ୍ଥାନରେ ଲାଗିଥିବା ଆଲୋକ ସ୍ତମ୍ଭ ଅକାମୀ ହେବାକୁ ବସିଲାଣି । ତେଣୁ ସ୍ୱର୍ଗତ ସାଂସଦଙ୍କ ପାଣ୍ଠିରୁ ୯୦ଲକ୍ଷ ବ୍ୟୟ ଅଟକଳରେ ଲୋକାର୍ପିତ ଆଲୋକ ସ୍ତମ୍ଭ ଓ ପୋଷ୍ୟଗ୍ରାମ ଆଲୋକୀକରଣ ଯୋଜନା ସଂପୂର୍ଣ୍ଣ ରୂପେ ଫେଲ ମାରିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅଣଦେଖାରୁ ତତ୍କାଳୀନ ବିଧାୟକଙ୍କ ପାଣ୍ଠିରୁ ୧୯ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଆଲୋକୀକରଣ ବ୍ୟବସ୍ଥାର ସଫଳ ରୂପାୟନ ହୋଇନପାରିବା ବିଭାଗୀୟ ଅଧିକାରଙ୍କ କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଆଲୋକୀକରଣ ଯୋଜନାକୁ ପ୍ରହସନରେ ପରିଣତ ନକରି ବିଭାଗୀୟ ଅଧିକାରୀ ଏହାର ସଫଳ ରୂପାୟନ ପ୍ରତି ଚେଷ୍ଟିତ ହେବାକୁ ପଂଚାୟତବାସୀଙ୍କ ସମେତ ବିଭିନ୍ନ ମହଲରୁ ଦାବି ହେଉଛି ।

Shrutilipi ad