ଆଗରପଡ଼ା :ରାସ୍ତା ନିର୍ମାଣ ବେଳେ ରାସ୍ତାର ସ୍ଥାୟିତ୍ୱ ପ୍ରତି ସଂପୃକ୍ତ ଠିକାଦାର ଦୃଷ୍ଟି ନଦେଇ ରାସ୍ତା ନିର୍ମାଣ କରୁଥିବାରୁ ନିର୍ମାଣକୁ ବର୍ଷେ ନ ପୁରୁଣୁ ରାସ୍ତାରୁ ପିଚ ଉଠିବା ସହ ରାସ୍ତା ମରାମତି ମାଗିଲାଣି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ଓଡ଼ଙ୍ଗ ଠାରୁ ଭରସିଂହପୁର ଭାୟା ମହିଁଷଡ଼ିହ,ସାହାଡ଼ାଗଡ଼ିଆ ଓ ସୁଆଁପଦା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଠାରେ । ଉକ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର ୮କିଲୋମିଟର କଂକ୍ରିଟ ଓ ପିଚୁ ରାସ୍ତା ନିର୍ମାଣ ପାଇଁ ୧୫୯.୨୯ଲକ୍ଷ ଟଙ୍କା ମଂଜୁର ହୋଇଥିଲା । ବର୍ଷ ୨୦୨୧ଅକ୍ଟୋବର ମାସ ୫ ତାରିଖରୁ କାର୍ଯ୍ୟ ଆରମ୍ଭ ହୋଇ ବର୍ଷ ୨୦୨୨ ଜୁଲାଇ ମାସ ୪ ତାରିଖରେ ଉକ୍ତ ରାସ୍ତା ନିର୍ମାଣ ଶେଷ ହେବା କଥା । ମାତ୍ର ଠିକାଦାରଙ୍କ ମନୋମୁଖୀ ଭାବ ଯୋଗୁଁ ଏହି କାର୍ଯ୍ୟ ହେବାରେ ଅହେତୁକ ବିଳମ୍ବ ଘଟିଥିଲା ଯାହାକୁ ନେଇ ଗ୍ରାମବାସୀମାନେ ବିଭାଗୀୟ ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲେ । ବହୁ ବିଳମ୍ବରେ ଉକ୍ତ ରାସ୍ତା ନିର୍ମାଣ ହେବା ପରେ ଗତ ଡ଼ିସେମ୍ବର ମାସ ୨୫ ତାରିଖରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ,ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ,ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ,ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ ଅଧକ୍ଷ ମନୋରଞ୍ଜନ ଘଡେଇ, ଭଣ୍ଡାରିପୋଖରୀ ବିଜେପି ବିଧାନସଭା ନେତା ଡ. ସୁଧାଶୁ ଶେଖର ନାୟକଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଉକ୍ତ ରାସ୍ତାକୁ ଲୋକାର୍ପିତ କରିଥିଲେ । ତେଣୁ ନିର୍ମାଣକୁ ବର୍ଷେ ନ ପୁରୁଣୁ ରାସ୍ତାରୁ ପିଚ ଉଠିବା ରାସ୍ତାର ସ୍ଥାୟିତ୍ୱ ପ୍ରତି ପ୍ରଶ୍ୱବାଚୀ ସୃଷ୍ଟି କରିଛି । ତେଣୁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଉକ୍ତ ରାସ୍ତାର ସ୍ଥାୟିତ୍ୱକୁ ଆଖି ଆଗରେ ରଖି ବିଭାଗ ତୁରନ୍ତ ଏହାର ମରାମତି କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

