ବାରିପଦା: ସ୍ଥାନୀୟ ଶହୀଦ ସ୍ମୃତି ଭବନରେ ନୂତନ ନାଟ୍ୟ ଅନୁଷ୍ଠାନ ଆନୁକୂଲ୍ୟରେ “ହେ ମଣିମା” ନାଟକ ମଞ୍ଚସ୍ଥ ହୋଇଯାଇଛି l ଦୁଇ ଦିନିଆ ଏହି ନାଟ୍ୟ ଉତ୍ସବର ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ କୁମାର ଗୋଚ୍ଛାୟତ ଉତ୍ସବକୁ ଉଦଘାଟନ କରିଥିଲେ। ଗୋକୁଳ ଚନ୍ଦ୍ର ଦାସଙ୍କ ଲିଖିତ ଓ ନିର୍ଦ୍ଦେଶିତ ନାଟକ “ହେ ମଣିମା” ରେ ସହ ନିର୍ଦ୍ଦେଶନା ଦେଇଥିଲେ ଅଭିନେତା ରାଜେନ୍ଦ୍ର ସାହୁ I କୋଟି ଓଡ଼ିଆଙ୍କ ମଉଡମଣୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ଅଭିମାନ ଆପତ୍ତି ଅଭିଯୋଗ କରି କିଭଳି ଭକ୍ତଟିଏ କାଣିଚାଏ କୃପା ପାଇ କୃତାର୍ଥ ହୋଇଯାଏ ତାହା ଦର୍ଶକଙ୍କୁ ବେଶ ମନ ମୋହିଛି I ନାଟକର ବିଭିନ୍ନ ଚରିତ୍ରରେ ନାଟ୍ୟକାର ଗୋକୁଳ ଚନ୍ଦ୍ର ଦାସ, ରାଜେନ୍ଦ୍ର ସାହୁ , ଦୀପଙ୍କର ମିଶ୍ର, ସୁବ୍ରତ ବାରିକ, ଶୁଭଶ୍ରୀ ଦାସ, ଶୁଭଶ୍ରୀ ବାଗ୍ ଏବଂ ଶିଶୁକଳାକାର ଭାବେ ଚନ୍ଦ୍ରକାନ୍ତ ଦାସ ଅଭିନୟ କରିଥିଲେ I ଆହେ ନୀଳଶୈଳ ଗୀତରେ ନାଟକ ପ୍ରାରମ୍ଭରେ ନୃତ୍ୟ ଶିଳ୍ପୀ ହିମାଦ୍ରିତନୟା ଚୌଧୁରୀଙ୍କ ଓଡିଶୀ ନୃତ୍ୟ ଦର୍ଶକ ଙ୍କୁ ବେଶ ମନ୍ତ୍ର ମୁଗ୍ଧ କରିଥିଲା l ରାଜସିନୀ ମହାନ୍ତ, ଚିନ୍ମୟ ବାରିକ ଓ ହିମାଦ୍ରୀ ତନୟା ନାଟକରେ ନୃତ୍ୟ ପରିବେଷଣ କରିଥିଲେ। ସୁମନ୍ତ ପୃଷ୍ଟି, ପଲ୍ଲିନା ସରଘରିଆ ଏବଂ ଶୁଭମ୍ ମାଇତି ସଙ୍ଗୀତ ପରିବେଷଣ କରିଥିବାବେଳେ ବାଦ୍ୟଯନ୍ତ୍ରରେ ସୁମନ୍ତ ପୃଷ୍ଟି ଓ ବିଭୂତି ଭୂଷଣ ବେହେରା, ରୂପସଜ୍ଜାରେ ଦିଲ୍ଲୀପ ଆଇଚ ଏବଂ ଶବ୍ଦ ଓ ଆଲୋକରେ ସଞ୍ଜୟ କୁମାର ନାୟକ ସହାୟତା ପ୍ରଦାନ କରିଥିଲେ I ସତ୍ୟାନନ୍ଦ ସେଜପଡା ଓ ପ୍ରଦୀପ ସରଘରିଆ ମଞ୍ଚ ପରିଚାଳନା କରିଥିଲେ। ଦ୍ଵିତୀୟ ସନ୍ଧ୍ୟାରେ ବାରିପଦା ଉପ ଜିଲ୍ଲାପାଳ ଅତିଥି ଭାବେ ଡଃ ଦୟାସିନ୍ଧୁ ପରିଡା ଯୋଗ ଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ I ସାମ୍ବାଦିକ ସଞ୍ଜୟ ଚୌଧୁରୀ ଉଭୟ ସନ୍ଧ୍ୟାର ସଭାରେ ସଭାପତିତ୍ବ କରିଥିଲେ I

