ବାରିପଦା: ମୟୂରଭଞ୍ଜର ବାରିପଦାରୁ ଦୀର୍ଘ ୪୩ବର୍ଷ ଧରି ଭାଗବତ ପଣ୍ଡାଙ୍କ ସମ୍ପାଦନାରେ ପ୍ରକାଶ ପାଉଥିବା ସାହିତ୍ୟ ସଂସ୍କୃତି ମୂଳକ ତ୍ରୈମାସିକ ପତ୍ରିକା ‘ପ୍ରତିଶ୍ରୁତି’ର ରଥଯାତ୍ରା ବିଶେଷାଙ୍କ ରଥଖଳାରେ ମୟୂରଭଞ୍ଜର ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକଙ୍କ ସଭାପତିତ୍ୱରେ ଲୋକାର୍ପିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୟୂରଭଞ୍ଜର ଜିଲ୍ଲାପାଳ ହେମକାନ୍ତ ସୟ ମୁଖ୍ୟ ଅତିଥି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠୁପାଲି, ମୟୂରଭଞ୍ଜର ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ତଥା ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ବିଶେଷ ଅତିଥି ଭାବେ ଯୋଗଦେଇ ମୟୂରଭଞ୍ଜରୁ ପ୍ରକାଶ ପାଉଥିବା ଏହି ପତ୍ରିକାର ଭୂୟସୀ ପ୍ରଶଂସା କରିଥିଲେ । ମୁଖ୍ୟ ବକ୍ତାଭାବେ ବାରିପଦା ପୌରପରିଷଦର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଓଡିଶାର ବହୁ ଲବ୍ଧ ପ୍ରତିଷ୍ଠିତ ଲେଖକ-ଲେଖିକାଙ୍କ ରଚନାରେ ସମୃଦ୍ଧ ଏହି ପତ୍ରିକା ନିଶ୍ଚିତ ଭାବେ ପାଠକୀୟ ଆଦୃତି ଲାଭ କରିବ ବୋଲି ଉଲ୍ଲେଖ କରିଥିଲେ । ବାରିପଦା ସଦର ଉପ-ଜିଲ୍ଲାପାଳ ଡ.ଦୟାସିନ୍ଧୁ ପରିଡା, ଅତିରିକ୍ତ ଆରୋକ୍ଷୀ ଅଧିକ୍ଷକ ଦୀପକ କୁମାର ଗଚ୍ଛାୟତ ଓ ଗୌତମ କିସାନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଆଧ୍ୟାତ୍ମିକ ଚେତନା ତଥା ଜଗନ୍ନାଥ ସଂସ୍କୃତି ସମ୍ବଳିତ ଉପାଦେୟ ଲେଖା ଗୁଡିକ ଶ୍ରୀ ଜଗନ୍ନାଥ ପ୍ରେମୀ ମାନଙ୍କ ସନ୍ଦେହ ମୋଚନ ପାଇଁ ବହୁ ଉପାଦାନ ଯୋଗାଇବ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇନ ଜୀବି ହିମାଂଶୁ ପାଣିଗ୍ରାହୀ ସମ୍ମାନିତ ବକ୍ତାଭାବେ ନିଜର ବକ୍ତବ୍ୟ ରଖିଥିବା ବେଳେ ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଭାଗବତ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବିଶେଷାଙ୍କରେ ପ୍ରୋଫେସର ଡ.ବୈଷ୍ଣବ ଚରଣ ସାମଲ, ଡ. ତୁଳସୀ ଓଝା, ଡ. ପ୍ରମୋଦ କୁମାର ମହାପାତ୍ର, ଡ.ସାରଙ୍ଗଧର ରାୟଗୁରୁ, ପଣ୍ଡିତ ଡ. ସୂର୍ଯ୍ୟମଣି ଖୁଣ୍ଟିଆ, ଡ. ଭାସ୍କର ମିଶ୍ର, ଡ. ତ୍ରିନାଥ ପଟ୍ଟାନୟକ, ଡ.ସିଦ୍ଧାର୍ଥ କାନୁନ୍ଗୋ, ଡ.ନରେଶ ଚନ୍ଦ୍ର ଦାସ, ଡ.ବଂଶୀଧର ମହାନ୍ତି, ବିଜୟଲକ୍ଷ୍ମୀ ମହାନ୍ତି, ଡା.ଭାଗବତ ବେହେରା, ସତ୍ୟବ୍ରତ ମିଶ୍ର ପ୍ରମୁଖ ବହୁ ଲବ୍ଧ ପ୍ରତିଷ୍ଠିତ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ସାରସ୍ୱତ ସାଧକଙ୍କ ରଚନା ସ୍ଥାନ ପାଇଛି ।

