Re

ONN ପ୍ରଭାବ, ଖବର ପ୍ରକାଶ ପରେ ମରାମତି ନେଇ ବିଭାଗୀୟ ତତ୍ପରତା

ରାଜ୍ୟ

ଆଗରପଡ଼ା :ଗତ ୧ ତାରିଖ ମଙ୍ଗଳବାର “ଅସୁରକ୍ଷିତ ପରିବେଶରେ ଚାଲିଛି ଶିକ୍ଷାଦାନ;ସ୍କୁଲ ଛାତରୁ ଗଳିଲା ପ୍ଲାଷ୍ଟର”ଶୀର୍ଷକ ଖବର ‘ONN’ରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ମଙ୍ଗଳବାର ବିଭାଗୀୟ କନିଷ୍ଠ ଯନ୍ତ୍ରୀ ବିଦ୍ୟାଳୟକୁ ଆସି ଘଟିଥିବା ଖଟଣାର ତଦାରଖ କରିବା ସହ ଆସନ୍ତା ୨ଦିନ ମଧ୍ୟରେ ମରାମତି କାର୍ଯ୍ୟ ଆରମ୍ଭ ହେବାର ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ତୋଫାବିବି କ୍ଲଷ୍ଟର ଅନ୍ତର୍ଗତ ପୁରୁଷଣ୍ଢ ନୋଡ଼ାଲ ବିଦ୍ୟାଳୟର ଏକ ଶ୍ରେଣୀ ଗୃହ ଛାତରୁ ପ୍ଲାଷ୍ଟର ଗଳିପଡ଼ିଥିବାର ଦେଖିବାକୁ ମିଳିଥିଲା । ସୋଭାଗ୍ୟବସତଃ ଶ୍ରେଣୀ ଗୃହରେ କେହିବି ପିଲା ଉପସ୍ଥିତ ନଥିବାରୁ ଏକ ସୁନିଶ୍ଚିତ ବିପଦରୁ ରକ୍ଷା ମିଳିଯାଇଥିଲା । ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀଙ୍କ ସୂଚନା ଅନୁଯାୟୀ ସୋମବାର ଶ୍ରେଣୀ ଗୃହ ଖୋଲିବା ବେଳକୁ ସେ ଉକ୍ତ ଗୃହର ଛାତରୁ ପ୍ଲାଷ୍ଟର ଗୁଡ଼ିକ ଗଳିପଡ଼ିଥିବା ଦେଖିବାକୁ ପାଇଥିଲେ । ଗତ କିଛି ଦିନ ଧରି ଲଘୁଚାପ ଜନିତ ବର୍ଷା ହେତୁ ଛାତରେ ପାଣି ଜମି ରହିବା ଦ୍ୱାରା ଏହିପରି ହୋଇଥିବା ଜଣାପଡ଼ିଛି । ସେହିପରି ଉକ୍ତ ବିଦ୍ୟାଳୟର ସମ୍ମୁଖ ଭାଗରେ ଜଳ ନିଷ୍କାସନର କୌଣସି ସୁବନ୍ଦୋବସ୍ତ କରାଯାଇନଥିବାରୁ ଏବଂ ବିଦ୍ୟାଳୟ ସମ୍ମୁଖ ଭାଗରେ ଯାଇଥିବା ରାସ୍ତା ବିଦ୍ୟାଳୟ ପରିସରରୁ ଅଧିକ ଉଚ୍ଚତାରେ ଥିବାରୁ ବାହାର ପାଣି ବିଦ୍ୟାଳୟ ପରିସରକୁ ପଶୁଥିବା ବେଳେ ବିଦ୍ୟାଳୟ ପରିସରର ପାଣି ମଧ୍ୟ ନିଷ୍କାସନ ହୋଇ ନପାରି ଜମି ରହି ପିଲାଙ୍କ ପାଇଁ ଆଉ ଏକ ବିପଦ ସୃଷ୍ଟି କରୁଛି । ଆଗାମୀ ଦିନରେ ଏହା ପିଲାଙ୍କ ସ୍ୱାସ୍ଥ୍ୟ ଉପରେ କୁ ପ୍ରଭାବ ପକାଇବା ନେଇ ଅଭିଭାବକମାନେ ଚିନ୍ତା ପ୍ରକଟ କରିଛନ୍ତି । ଚଳିତ ଶିକ୍ଷା ବର୍ଷରେ ଉକ୍ତ ବିଦ୍ୟାଳୟରେ ସମୁଦାୟ ୧୩୯ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଶିଶୁ ବାଟିକା ସମେତ ୧ମ ରୁ ୮ମ ଶ୍ରେଣୀ ନିମନ୍ତେ ୫ଟି ଶ୍ରେଣୀ ଗୃହ ଉପଲବ୍ଧ ଅଛି । ତେଣୁ ଶିଶୁ ବାଟିକା ଓ ୫ମ ଶ୍ରେଣୀ ପିଲା ଗୋଟିଏ ଗୃହ,୧ମ,୨ୟ ଓ ୪ର୍ଥ ଶ୍ରେଣୀର ପିଲା ମିଳାମିଶା ହୋଇ ଆଉ ଗୋଟିଏ ଗୃହରେ ଶିକ୍ଷାଲାଭ କରୁଛନ୍ତି । ଶ୍ରେଣୀ ଗୃହ ସମସ୍ୟାରୁ ଏହିପରି ଶିକ୍ଷାଦାନ ଚାଲୁଛି । ଯାହାକି ପିଲାଙ୍କ ଗୁଣାତ୍ମକ ଶିକ୍ଷାଲାଭ କ୍ଷେତ୍ରରେ ବାଧା ସୃଷ୍ଟି କରୁଛି । ଏହିପରି ସ୍ଥଳେ ବର୍ଷବର୍ଷ ଧରି ବିଦ୍ୟାଳୟର ମରାମତି କରାଯାଉନଥିବାରୁ ଏହା ପିଲାଙ୍କ ଜିବନ ପ୍ରତି ବିପଦ ସୃଷ୍ଟି କରୁଛି । ଯାହାକି ସୋମବାର ଦିନ ଘଟିଥିବା ଘଟଣାରୁ ସ୍ପଷ୍ଟ ବାରି ହୋଇପଡୁଛି । ଉକ୍ତ ଘଟଣାକୁ ନେଇ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେ ପରିଚାଳନା କମିଟିରେ ଉକ୍ତ ସମସ୍ୟା ଉପସ୍ଥାପନ କରିବା ସହ ସରପଂଚଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ମରାମତି ବାବଦରେ ଅର୍ଥ ମହଜୁଦ ଥିବାରୁ ଯଥାଶୀଘ୍ର ଏହାର ମରାମତି କରାଯିବ ବୋଲି ସରପଂଚ ପ୍ରତିଶ୍ରୁତି ଦେଇଥିବା ସେ ପ୍ରକାଶ କରିଥିବା ଖବର ‘ONN’ରେ ପ୍ରକାଶ ପାଇଥିଲା ।

Shrutilipi ad