ଆଗରପଡ଼ା : ଜିଲ୍ଲାରେ ଅନ୍ୟତମ ପୁରାତନ ତଥା ପ୍ରମୁଖ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଆଗରପଡ଼ା ଠାରେ ଅପୂର୍ବ ଧାର୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟୁଷରୁ ସ୍ୱତନ୍ତ୍ର ରୀତିନୀତି ସରିବା ପରେ ଅପରାହ୍ନରେ ଶ୍ରୀଜୀଉମାନଙ୍କୁ ଶ୍ରୀମନ୍ଦିରରୁ ଧାଡ଼ି ପହଣ୍ଡିରେ ଅଣାଯାଇ ରଥାରୂଢ଼ କରାଯାଇଥିଲା । ଠାକୁର ରାଜା ତଥା ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତମୋହନ ସିଂହ ରୌପ୍ୟ ଖଡ଼ିକାରେ ଛେରାପହଁରା କରିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଘଣ୍ଟଘଣ୍ଟା,ଭଜନ,କୀର୍ତ୍ତନ ସାଙ୍ଗକୁ ଜୟ ଜଗନ୍ନାଥ ଧୂନୀରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା ।
ସନ୍ଧ୍ୟା ସୁଦ୍ଧା ରଥ ମାଉସୀମା ମନ୍ଦିର ନିକଟରେ ପହଞ୍ଚିବା ପରେ ଶ୍ରୀଜୀଉମାନେ ମନ୍ଦିରକୁ ବିଜେ କରିଥିଲେ । ପ୍ରାକ୍ତନମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ବରିଷ୍ଠ ସମାଜସେବୀ ଅଶୋକ ନାୟକ, ପଦ୍ମନ ରାୟ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଏହି ଘୋଷଯାତ୍ରାରେ ସାମିଲ ଥିଲେ । ଭୁବନେଶ୍ୱର ଲାୟନ୍ସ କ୍ଲବ ପକ୍ଷରୁ ହୃଦୟ ରଂଜନ ସିହ୍ନା, ପ୍ରଭାତୀ ସିହ୍ନା ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବଣ୍ଟନ କରିଥିଲେ । ପ୍ରଦୀପ୍ତ ସିଂହ, ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟ୍ସି ଫୋରମ ଯୁଗ୍ମ ସଂପାଦିକା ସଂଯୁକ୍ତା ସିଂହ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନାରେ ସହାୟତା କରିଥିଲେ ।ଭାରପ୍ରାପ୍ତ ଥାନାଧିକାରୀ ଦେବରାଜ ଜେନାଙ୍କ ନେତୃତ୍ୱରେ ପୋଲସ ଫୋର୍ସ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ । ଅକ୍ଷୟ ସ୍ମୃତି ଫାଉଣ୍ଡେସନ ପକ୍ଷରୁ ଟଙ୍କ ତୋରାଣୀ ଭକ୍ତମାନଙ୍କୁ ବଣ୍ଟନ କରାଯାଇଥିଲା ।

