ବାରିପଦା : ଆଜି ବାରିପଦା ପୌରପାଳିକା ଆନୁକୂଲ୍ୟରେ ସ୍ଥାନୀୟ ବେଲଗଡ଼ିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ “ଏକ ପେଡ, ମାଆ କେ ନାମ “( ମାଆ ପାଇଁ ଗଛଟିଏ ) କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ନଗରପାଳ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥାପନ କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେ ଯେ ଆଜି ପବିତ୍ର ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ଏହି “ମାଆ ପାଇଁ ଗଛଟିଏ” ମହାନ କାର୍ଯ୍ୟକ୍ରମ ଦେଶ ବ୍ୟାପି ଚାଲିଛି। ପ୍ରକୃତ ପକ୍ଷେ ବୃକ୍ଷ ହେଉଛି ଆମ ମାଆ ପରି। କାରଣ ବଂଚିବା ପାଇଁ ପ୍ରାଣୀ ଜଗତର ମୌଳିକ ଆବଶ୍ୟକତା ଅମ୍ଳଜାନ ଆମେ ବୃକ୍ଷଠାରୁ ହିଁ ପାଇଥାଉ। ତେଣୁ ଆମେ ସମସ୍ତେ ଯଦି ନିଜ ନିଜ ମାଆ ପ୍ରତି ଶ୍ରଦ୍ଧା ଭକ୍ତି ରଖି ଗୋଟିଏ ଗୋଟିଏ ଗଛ ଲଗାଇବା ତେବେ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ପାଇପାରିବା ଏବଂ ସୁସ୍ଥ ରହିବା। ଏହି ଅଭିଯାନ ରେ ବାରିପଦା ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ୫୩୫ ଟି ବୃକ୍ଷ ଚାରା ରୋପଣ କରାଯିବା ଲକ୍ଷ୍ୟ ରଖାଯାଇଛି ଏବଂ ଅନ୍ୟାନ୍ୟ ୟୂ ଏଲ ବି ରେ ମଧ୍ୟ ଏହି କାର୍ଯ୍ୟକ୍ରମ ହେଉଛି। ଏହାପରେ ମନ୍ତ୍ରୀ ବିଦ୍ୟାଳୟ ପରିସରରେ କିଛି ବୃକ୍ଷ ଚାରା ରୋପଣ କରିଥିଲେ।
ବାରିପଦା ପୌର ପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ରାଉତଙ୍କ ଦ୍ୱାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପୌର ପାଳିକା ଉପାଧ୍ୟକ୍ଷl ଶ୍ରୀମତୀ ସୀମା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ମାଆ ଦୁର୍ଗା ଆଞ୍ଚଳିକ ମହାସଂଘ ସଦସ୍ୟା, ଜନ କଲ୍ୟାଣ ମହlସଙ୍ଘ ସଦସ୍ୟା ଓ ୱାର୍ଡ ନଂ-୧ର ସୁକେଶିନୀ ସେଠୀ, ୱାର୍ଡ ନଂ -୫ର ପୂଜା ତରେଇ, ୱାର୍ଡ ନଂ -୧୯ର ଦିଗବିଜୟ ସିଂ, ୱାର୍ଡ ନଂ -୨୩ର ଅନନ୍ତ କୁମାର ଦାସ, ୱାର୍ଡ ନଂ ୧୧ର -ପ୍ରଭାତୀ ପୃଷ୍ଟି, ୱାର୍ଡ ନଂ -୨୫ର ଜିତା ସିଂ, ୱାର୍ଡ ନଂ -୨୧ର ଲକ୍ଷ୍ମୀଧର ହାବଡା ପ୍ରମୁଖ କାଉନସିଲର ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

