Photo for the news of thermacoal plate

ପରିବେଶ ବିଗାଡ଼ିବାରେ ଲାଗିଛି, ଥର୍ମୋକୋଲ ପ୍ଲେଟ୍ ବ୍ୟବହାରରେ ଲାଗୁନି ରୋକ୍‌

ରାଜ୍ୟ

ଆଗରପଡ଼ା :ବର୍ତ୍ତମାନ ବିବାହ ଓ ବ୍ରତଘର ଋତୁ ଚାଲିଥିବା ବେଳେ ଭୋଜି ଭାତର ଆସର ଜମୁଛି । ଏହା ଭିତରେ ଅଧିକାଂଶ ଭୋଜିରେ ଥର୍ମୋକୋଲ ପ୍ଲେଟ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ, ବନ୍ତ ବ୍ଳକ ଓ ତା’ ଆଖପାଖ ଅଂଚଳର ରାସ୍ତା କଡ଼ରେ ବହୁ ଜଳଖିଆ ଦୋକାନରେ ଏହି ପ୍ଲେଟ ଓ ଠୁଙ୍ଗା ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି । ବଡ଼ ବଡ଼ ହୋଟେଲରେ ମଧ୍ୟ ଏହି ପ୍ଲେଟ ଓ ଠୋଲାରେ ଖାଦ୍ୟ ପରସା ଯାଉଥିବା ଦେଖିବାକୁ ମିଳୁଛି । ପରିବେଶକୁ ବିଗାଡିବାରେ ଏହା ପ୍ରମୁଖ ଭୂମିକା ନିର୍ବାହ କରୁଥିଲେ ମଧ୍ୟ ଏଥି ପ୍ରତି ପ୍ରଦୂଷଣ ବିଭାଗ, ଖାଦ୍ୟ ନିରାପତ୍ତା ବିଭାଗ କିମ୍ବା ପ୍ରଶାସନ ସେତେଟା ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ଥର୍ମୋକୋଲ ପ୍ଲେଟ ଓ ଠୋଲା ବ୍ୟବହାରରେ ରୋକ ଲଗାଇବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କିଛି ସୁଫଳ ମିଳିପାରୁନଥିବା ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ, ପଲିଷ୍ଟାଇରିନି ତିଆରିରେ ବ୍ୟବହୃତ ଷ୍ଟାଇରିନ ଏବଂ ବେଞ୍ଜିନ ମାରାତ୍ମକ କର୍କଟ ରୋଗ ସୃଷ୍ଟି କରିବାରେ ସାହାଯ୍ୟ କରାଇଥାଏ । ଯେତେବେଳେ ଗରମ ଖାଦ୍ୟ କିମ୍ବା ପାନୀୟ ଥର୍ମୋକୋଲ ପ୍ଲେଟ ଉପରେ ପରସା ଯାଏ, ସେଥିରୁ ନିର୍ଗତ ରାସାୟନିକ ପଦାର୍ଥ ଖାଦ୍ୟ ସହ ମିଶିଥାଏ । ଦୀର୍ଘ ସମୟ ଧରି କିମ୍ବା ନିୟମିତ ଭାବରେ ଷ୍ଟାଇରିନି ସହିତ ସମ୍ପର୍କରେ ଆସିବା ଦ୍ୱାରା ସ୍ନାୟୁ ପ୍ରଭାବିତ ହୁଏ । ଫଳରେ ଥକାପଣ ଓ ମୁଣ୍ଡବିନ୍ଧା ସୃଷ୍ଟି ହୁଏ । ଦୀର୍ଘ କାଳୀନ ସଂସ୍ପର୍ଶ ସହିତ ଯକୃତ ଏବଂ ବୃକକ ଉପରେ ଏହାର ପ୍ରଭାବ ପଡ଼ିଥାଏ । ଏହା ପରିବେଶ ପ୍ରଦୂଷଣରେ ମଧ୍ୟ ମୁଖ୍ୟ ଭୂମିକା ନିର୍ବାହ କରିଥାଏ । ବିଶେଷ କରି ଜଳାଶୟ ଗୁଡିକରେ ଏହା ପଡିବା ଦ୍ୱାରା ଜଳ ମଧ୍ୟ ପ୍ରଦୂଷିତ ହୁଏ । ଥର୍ମୋକୋଲ କୁ ଜାଳିବା ଦ୍ୱାରା କାର୍ବନ ମନୋଅକ୍ସାଇଡ ଏବଂ ଷ୍ଟାଇରିନ ଗ୍ୟାସ ସମେତ ବିଷାକ୍ତ ଧୂଆଁ ନିର୍ଗତ ହୁଏ । ଯାହା ବାୟୁ ମଣ୍ଡଳ ପାଇଁ ବହୁଳ ଭାବେ କ୍ଷତିକାରକ । ଏହା ବ୍ୟବସାୟୀଙ୍କ ପାଇଁ ଲାଭ ଦାୟକ ହୋଇଥିବା ବେଳେ ଗ୍ରାହକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିଲେ ସୁଦ୍ଧା ପ୍ରଶାସନର ଏହାର ବ୍ୟବହାର ପ୍ରତି କୌଣସି ଅଙ୍କୁଶ ନଥିବାରୁ ନଥିବାରୁ ଏହାର ଚାହିଦା କମିବା ପରିବର୍ତ୍ତେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପଲିଷ୍ଟାଇରିନ (ପେଟ୍ରୋଲିୟମ ଆଧାରିତ ପ୍ଲାଷ୍ଟିକି)ରୁ ତିଆରି ଥର୍ମୋକୋଲ ପ୍ଲେଟ ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ ବୋଲି ସମସ୍ତେ ଜାଣିଥିଲେ ସୁଦ୍ଧା ଏହାର ବ୍ୟବହାରରୁ ନିବୃତ୍ତ ହେଉନଥିବାରୁ ଏହା ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛି । ପ୍ରଶାସନ ତୁରନ୍ତ ବନ୍ତ ତଥା ଏହାର ଆଖପାଖ ଅଂଚଳରେ ଯାଂଚ କରି ଏହି ପ୍ଲେଟ ଓ ସୋଲ ଠୋଲା ବ୍ୟବହାର ରେ ରୋକ ଲଗାଇବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

Shrutilipi ad