ବାରିପଦା- ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ଥାନୀୟ ଗୋପବନ୍ଧୁ ଭବନରେ ସଦ୍ଭାବନା ସମିତି ଆନୁକୂଲ୍ୟରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତିଙ୍କ ପ୍ରତକ୍ଷ ତତ୍ଵାବଧାନରେ ୫୫୨ତମ ବାର୍ଷିକ ସନ୍ଥ ଦିବସ ପାଳିତ ହୋଇଯାଇଛି। ସଦସ୍ୟ ଡ ସନ୍ଦିପ କୁମାର ଚାନ୍ଦଙ୍କ ପୌରହିତ୍ୟରେ ପରମ୍ପରା ମତେ ଏ ମାସରେ ଭୂମିଷ୍ଠ ସନ୍ଥ କବୀର ଏବଂ ସନ୍ଥ ତୁକାରାମଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ସନ୍ଥବାଣୀ ମତେ କ୍ରାନ୍ତିର କଂସେଇ ସମାଜ ପାଇଁ ଦୂଷଣ ଭୂଷଣ ନୁହଁନ୍ତି ପ୍ରସଙ୍ଗ ରଖାଯାଇଥିଲା। ଯେଉଁମାନେ ଅନ୍ୟର ଭଲ କାମକୁ ଦେଖୁ ସହି ନପାରି କ୍ରାନ୍ତିର କଂସେଇ ସେମାନେ ସନୁମାନଙ୍କ ପରି ମାଟି ମନସ୍କ ନହୋଇ ନିଷ୍କର୍ମା ଏବଂ ସମାଜ ପାଇଁ ନମସ୍ୟ ବ୍ୟକ୍ତିତ୍ଵ ନୁହଁନ୍ତି ବୋଲି ବକ୍ତବ୍ୟ ସ୍ଥାନ ପାଇଥିଲା।
ସଭା ପ୍ରାରମ୍ଭରେ ସମିତିର ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ଦିବସୀୟ ଆଭିମୁଖ୍ୟ ରଖି ଜୀବ ଶିବରୁ ଶବ ହେଲେ ତା ପାଇଁ ଚାରିହାତ ଜାଗା ଲୋଡା ଯିଏ ନବୁଝି ସମୟର ମୂଲ୍ୟ ଦେଇ ଜାଣେନି’ ସେ ବିଷରେ ମନ୍ତବ୍ୟ ରଖିଥିଲେ। ମୁଖ୍ୟଅତିଥି ଭାବେ ବାରିପଦା ଉପଜିଲ୍ଲାପାଳ ଡ ଦୟାସିନ୍ଧୁ ପରିଡା ପୂଜାପାଠରେ ଭକ୍ତି ସହ ମାନବୀୟ ପ୍ରୀତି ବହୁଗୁଣରେ ଶ୍ରେୟ ବୋଲି ମନ୍ତବ୍ୟ ରଖିଥିଲେ । ସମିତିର ସଦସ୍ୟ ପ୍ରଜାପିତାର ଭଉଣୀ ମାମୁନି, ସତସଙ୍ଗ ବିହାରର ବେଣୁଧର ମହାରଣା, ନିଗମାନନ୍ଦ ଆଶ୍ରମର ମାନସ ରଞ୍ଜନ ଦାଶ, ମୁନିସମାଜର ଶିରିଷ ଚନ୍ଦ୍ର ସାହୁ, ଗାୟତ୍ରୀ ପରିବାରର ଗଗନ ବିହାରୀ ବେହେରା, ଖାଲସା ପନ୍ଥର ସର୍ଦ୍ଦାର ହରଚରଣ ସିଂ, ଇସ୍ଲାମ୍ ଶାଖାର ମୟୀଉଦ୍ଦିନ, ଖ୍ରୀଷ୍ଟିୟାନ ଶାଖାର ଫାଦାର ମନୋରଞ୍ଜନ ବେଶ୍ରା ଓ ବିଶ୍ବେଶ୍ବର ଦ୍ବିବେଦୀ ପ୍ରମୁଖ ବକ୍ତବ୍ୟ ରଖିଲେ। ସମିତିର ସମ୍ପାଦକ ମାନସ ରଞ୍ଜନ ମହାପାତ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିବାବେଳେ ଡ. ଶଶଧର ବିଶ୍ଵାଳ ଅତିଥି ପରିଚୟ ଏବଂ ସର୍ବଶେଷରେ ମନୋଜ କୁମାର ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

