ଆଗରପଡ଼ା :ଗତ ୨ ତାରିଖରେ ‘ପଂଚାୟତ ଗଠନକୁ ୯ବର୍ଷ ପୂରିବ;ବିକାଶଡାରୁ ବହୁ ଦୂରରେ ବଡ଼ହାଟ ତ୍ରିଲୋଚନପୁର’ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପରେ ବନ୍ତ ତହସିଲ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଜବରଦଖଲରେ ଥିବା ଜାଗାକୁ ଖାଲି କରିବା ପାଇଁ ନୋଟିସ ଜାରୀ ହୋଇଥିବା ଜଣାପଡ଼ିଛି । ପଂଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବନ୍ତ ତହସିଲଦାରଙ୍କ ଅଣଦେଖା ତାଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳନିର୍ଦ୍ଦେଶ କରୁଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଳକ ବଡ଼ହାଟ ତ୍ରିଲୋଚନପୁର(ବିଟିପୁର)ପଂଚାୟତରେ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଗତ ଜୁଲାଇ ମାସରେ ବିଟିପୁର ସରପଂଚ ଓ ପଂଚାୟତବାସୀ ପଂଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ସରକାରୀ ଜାଗାର ଆବଶ୍ୟକତା ଥିବାରୁ ଉକ୍ତ ଆବଶ୍ୟକତାକୁ ପୂରଣ ନିମନ୍ତେ ପତ୍ର ମାଧ୍ୟମରେ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୭ଟି ବିଭିନ୍ନ କାର୍ଯ୍ୟ ପଂଚାୟତ ଊପସ୍ୱାସ୍ଥ୍ୟ କେନ୍ଦ୍ର,ଜଳ ଓ ପରିମଳ ବିଭାଗ କ୍ୱାର୍ଟର,ପଥପ୍ରାନ୍ତ ସୁବିଧା କେନ୍ଦ୍ର(ବିଟିପୁର ସୁଲଭ ଶୌଚାଳୟ ପାଖରେ),ଲକ୍ଷ୍ମୀ ବସ୍ଷ୍ଟପ୍(ଲକ୍ଷ୍ମୀ ବଜାର ନିକଟରେ),ଶ୍ମଶାନଘାଟ,ନକୁଳ ଚୁଆ ପୋଖରୀ ସୌନ୍ଦର୍ଯ୍ୟକରଣ ଏବଂ ଗ୍ରାମ୍ୟ ଊନ୍ନୟମ ବିଭାଗ ୨ଗୋଟି କାର୍ଯ୍ୟ ଆଦି ପ୍ରକଳ୍ପ ନିର୍ମାଣ ଏବଂ ତତ୍ସହିତ ପଂଚାୟତରେ ଏକ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ନିମନ୍ତେ ସରକାରୀ ଜାଗାର ଆବଶ୍ୟକତାକୁ ଆଖି ଆଗରେ ରଖି ଅପବ୍ୟବହୃତ ସରକାରୀ ଜାଗାକୁ ଖୋଜି ବାହାର କରିବା ସହିତ ଏହାକୁ ପଂଚାୟତକୁ ହସ୍ତାନ୍ତର କରିବା ପାଇଁ ଶ୍ରୀ ମଲ୍ଲିକ ଗତ ଅଗଷ୍ଟ ମାସରେ ତହସିଲଦାର,ବନ୍ତଙ୍କୁ ପତ୍ର ମାଧ୍ୟମରେ ନିବେଦନ କରିଥିଲେ । କିନ୍ତୁ ୭ମାସରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ସୁଦ୍ଧା ବ୍ଲକ ପ୍ରଶାସନ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ସେହିପରି ଉନ୍ନୟନ ମୂଳକ କାର୍ଯ୍ୟରେ ଜବରଦଖଲ ମଧ୍ୟ ବାଧା ସୃଷ୍ଟି କରୁଥିବାରୁ ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ ନିମନ୍ତେ ପଂଚାୟତ ପକ୍ଷରୁ ଗତ ଜାନୁଆରୀ ମାସରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପରେ ଜିଲ୍ଲାପାଳ ବ୍ଲକ ପ୍ରଶାସନକୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ନିର୍ଦ୍ଦେଶକୁ ଆଧାର କରି ବ୍ଲକ ବିଡ଼ିଓ ବିଟିପୁର ପଂଚାୟତକୁ ଜାନୁଆରୀ ୩୦ରେ ଆସି ବିଭିନ୍ନ ସମସ୍ୟାର ଅନୁଧ୍ୟାନ କରି ତହସିଲଦାରଙ୍କୁ ପଂଚାୟତର ସୀମା ଚିହ୍ନଟ କରିବା ସହ ଜବରଦଖଲରେ ଥିବା ଜାଗାକୁ ଜବରଦଖଲ ମୁକ୍ତ କରିବା ଏବଂ ଉନ୍ନୟନମୂଳକ କାର୍ଯ୍ୟକୁ ସୁରୁଖୁରୁରେ ଆଗେଇ ନେବା ପାଇଁ ଉଚିତ୍ ପଦକ୍ଷେପ ଗ୍ରହଣ କରିବା ପାଇଁ ନିବେଦନ କରିଥିଲେ । ପରେ ତହସିଲଦାର ଜବରଦଖଲରେ ଥିବା ଜାଗାକୁ ଚିହ୍ନଟ କରିଥିଲେ ମଧ୍ୟ ମାସାଧିକ କାଳ ବିତିଯିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହୋଇପାରୁନଥିବା ଜଣାପଡ଼ିଥିଲା । ପ୍ରଥମେ ବିଧାୟକଙ୍କ ଅନୁରୋଧ ତା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଓ ପରେ ବିଡ଼ିଓଙ୍କ ପତ୍ର ମାଧ୍ୟମରେ ଅନୁରୋଧ । ଏତେ ପରେବି ତହସିଲଦାରଙ୍କ ବିଟିପୁର ପଂଚାୟତର ଉନ୍ନୟନମୂଳକ କାର୍ଯ୍ୟକୁ ଅଣଦେଖା କରିବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେଣୁ ପଂଚାୟତର ଉନ୍ନତିକୁ ଆଖିଆଗରେ ରଖି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଆଗରୁ ପଂଚାୟତର ଉନ୍ନୟନ ମୁଳକ କାର୍ଯ୍ୟରେ ବିଭିତ ପଦକ୍ଷେପ ନେବାକୁ ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜବରଦଖଲରେ ଥିବା ଜାଗାକୁ ଖାଲି କରିବା ପାଇଁ ବନ୍ତ,ତହସିଲ ପକ୍ଷରୁ ନୋଟିସ ଜାରୀ ହୋଇଥିବା ଜଣାପଡ଼ିଛି । ଉକ୍ତ ନୋଟିସକୁ ନେଇ ବର୍ତ୍ତମାନ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ସେମାନେ ଯାହା କହନ୍ତି:
୦୧.ଜବରଦଖଲ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ବେଳେ ବିଭାଗର ଉଚ୍ଛେଦ ପ୍ରକ୍ରିୟାରେ ବିଳମ୍ବ ନାନା ଦ୍ୱନ୍ଦ ସୃଷ୍ଟି କରୁଛି । ଜବରଦଖଲ କାରୀଙ୍କୁ ନୋଟିସ ହସ୍ତାନ୍ତର ବିଳମ୍ବ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ପ୍ରଶାସନର ପୁର୍ଣ୍ଣ ସହଯୋଗ ପାଇଲେ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ନିତ କରିପାରିବୁ ।(ସୁଭଦ୍ରା ସିଂହ,ସରପଂଚ,ବଡ଼ହାଟ ତ୍ରିଲୋଚନପୁର ଗ୍ରାମପଂଚାୟତ)
୦୨.ଅଭିଯୋଗ ପାଇଲେ ତଦନ୍ତ କରିବି ଏବଂ ବିଭାଗୀୟ ଉଚ୍ଛପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶାନୁସାରେ ଜବରଦଖଲରେ ଥିବା ସମସ୍ତ ଜାଗାକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯିବ ।(ସାର ହେମ୍ରମ,ତହସିଲଦାର,ବନ୍ତ)
୦୩.ଉଚ୍ଛେଦପ୍ରକ୍ରିୟାରେ ସ୍ୱଚ୍ଛତା ରହିବା ଦରକାର । ପ୍ରଥମେ ଥଇଥାନ ଓ ପରେ ଉଚ୍ଛେଦ କରାଯିବାକୁ ସରକାରୀ ନିୟମ ରହିଛି । ମାତ୍ର ସେପରି କରା ନ ଯାଇ ନିର୍ଦ୍ଦିଷ୍ଟ କିଛି ଉଠା ଦୋକାନକୁ ଉଚ୍ଛେଦ ପାଇଁ ତହସିଲଦାର ନୋଟିସ୍ କରିଛନ୍ତି । ଆଗରପଡ଼ା-ବଉଳା ପିଡବ୍ଲ୍ୟୁଡି ରାସ୍ତା ସଂଲଗ୍ନ ସରକାରୀ ଖାତା ନଂ-୨୭୦, ପ୍ଲଟ ନଂ-୭୦୭, ଆଗରପଡ଼ା-କୁପାରୀ ପିଡବ୍ଲ୍ୟୁଡି ରାସ୍ତା ସହ ସଂଲଗ୍ନ ସରକାରୀ ଜମି ଖାତା ନଂ-୨୭୦, ପ୍ଲଟ ନଂ-୭୧୩ ସହ ଏହି ଗ୍ରାମ୍ୟ ରାସ୍ତା ମଧ୍ୟ ସଂଯୋଗ କରୁଛି ଓ ସେହି ସରକାରୀ ଖାତାର ପ୍ଲଟ ନଂ୭୧୧ ଜବରଦଖଲକାରୀଙ୍କ କବଜାରେ ରହିଛି । ଏମାନଙ୍କୁ ଉଚ୍ଛେଦ ପାଇଁ ନୋଟିସ ନ ହୋଇ ମୋତେ ଉଚ୍ଛେଦ ପାଇଁ ନୋଟିସ ହେବାର ପ୍ରକୃତ କାରଣ ଜଣାପଡ଼ୁନାହିଁ ।(ଦିଲ୍ଲୀପ ପୁହାଣ,ପୁରୁଷଣ୍ଢ ଗ୍ରାମବାସୀ)
୦୪.ପଂଚାୟତର ଉନ୍ନତି ପାଇଁ ଉଚ୍ଛେଦପ୍ରକ୍ରିୟାକୁ ତ୍ୱରାନ୍ନିତ କରାଯାଉ କିନ୍ତୁ ଜବରଦଖଲକାରୀଙ୍କୁ ଥଇଥାନ କରାଯାଉ । ଉନ୍ନୟନମୂଳକ କାର୍ଯ୍ୟରେ ସମସ୍ତଙ୍କ ସହଯୋଗ ରହିବା ଆବଶ୍ୟକ ତେଣୁ ଜବରଦଖଲକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଗରୁ ସେମାନଙ୍କ ସହ ବିଭାଗୀୟ ଅଧିକାରୀ ଆଲୋଚନାକରି ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ନିତ୍ୟାନ୍ତ ଆବଶ୍ୟକ ।(ବିନୋଦ ଧଳ ସାମନ୍ତ,ସାମ୍ବାଦିକ,ଆଗରପଡ଼ା)


