ଆଗରପଡ଼ା :ସରକାରଙ୍କ ଘୋଷଣା ଅନୁଯାୟୀ ପ୍ରତି ପଂଚାାୟତରେ ଜଣେ ପିଇଓ ବା କାର୍ଯ୍ୟନିର୍ବାହୀ ଅଧିକାରୀ, ଜଣେ ଜିଆରଏସ ବା ଗ୍ରାମ୍ୟ ରୋଜଗାର ସେବକ ଏବଂ ଜଣେ କନିଷ୍ଠ ଯନ୍ତ୍ରୀ ରହିବାର ନିୟମ ରହିଛି କିନ୍ତୁ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଯାହା ଫଳରେ ଉନ୍ନୟନ ମୂଳକ କାର୍ଯ୍ୟର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ବ୍ଲକରେ ୨୫ଟି ଗ୍ରାମପଂଚାୟତ ପାଇଁ ୯ଜଣ କିନଷ୍ଠ ଯନ୍ତ୍ରୀ କାର୍ଯ୍ୟ କରୁଛନ୍ତି । ୯ଜଣ କନିଷ୍ଠଯନ୍ତ୍ରୀଙ୍କ ମଧ୍ୟରୁ ୬ଜଣ ମହିଳା । ସୂଚନା ଅନୁଯାୟୀ; କନିଷ୍ଠଯନ୍ତ୍ରୀ ସୁପ୍ରଭା ପ୍ରଧାନଙ୍କୁ ବସନ୍ତିଆ,ଗଣିଜାଙ୍ଗ ଓ ଓଡ଼ଙ୍ଗ,ପ୍ରଜ୍ଞା ପରମିତା ମହାନ୍ତିଙ୍କୁ ପୁରୁଷଣ୍ଢ,ଅଣିଜୋ,ଗୋପିନାଥପୁର,ଅସିମା ନାୟକଙ୍କୁ ଚାରିଗାଁ, ବଡ଼ମହିଁଷଗୋଠ,ମହାନ୍ତିପଡ଼ା,ପ୍ରିୟଙ୍କା ପ୍ରିୟଦର୍ଶନୀ ସେଠୀଙ୍କୁ ବିଟିପୁର,କାଦବରାଙ୍ଗ,ନିଳକ,ପ୍ରଜ୍ଞା ପରମିତା ସେଠୀଙ୍କୁ ପଧାନପଡ଼ା,ସେଣ୍ଡତିରା,ରୁପଶ୍ରୀ ଘଡ଼େଇଙ୍କୁ ରାମକୃଷ୍ଣପୁର,ଆଡ଼ିଆ ଓ ଟିଲୋ, ଅମର ଜ୍ୟୋତି ଦିପକ କୁମାର ଜେନାଙ୍କୁ ଗୋବିନ୍ଦପୁର,ବନ୍ତ,ରାମପୁର,ଅନିରୁଦ୍ଧ ବିଶ୍ୱାଳଙ୍କୁ ତୋଡ଼ଗାଁ,କେନ୍ଦୁଆପଦା,ଛୟାଳସିଂହ ଏବଂ ପ୍ରଦିପ ପରିଡ଼ାଙ୍କୁ ବଡ଼ବର୍ଚ୍ଚିକୟାଁ ଏବଂ ରାମଚନ୍ଦ୍ରପୁର ପଂଚାୟତର ଦାଇତ୍ୱ ପ୍ରଦାନ କରାଯାଇଥିବା ବେଳେ ବ୍ଲକର ଏକମାତ୍ର ବୈଷୟିକ ପରାମର୍ଶ ଦାତା ଜଗନ୍ନାଥ ବିଶ୍ୱାଳଙ୍କ ଧାମନଗର ବ୍ଳକକୁ ବଦଳି ହୋଇଥିବା ବେଳେ ତିହିଡ଼ି ବ୍ଲକ ଦାଇତ୍ୱରେ ଥିବା ବୈଷୟିକ ପରାମର୍ଶ ଦାତାକୁ ବନ୍ତ ବ୍ଳକର ଦାଇତ୍ୱ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଏଠାରେ ପ୍ରକାଶ ଥାଉକି; କିଛି ମାସ ପୂର୍ବେ ଶ୍ରୀ ବିଶ୍ୱାଳଙ୍କୁ ଧାମନଗର ବ୍ଳକକୁ ବଦଳି କରାଯାଇଥିଲା । ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନରେ ଯେତୋଟି ବିଦ୍ୟାଳୟ ଅଛି ଉକ୍ତ ବିଦ୍ୟାଳୟର ରକ୍ଷଣାବେକ୍ଷଣ ଦାଇତ୍ୱ,ନୂତନ ବିଦ୍ୟାଳୟ ନିର୍ମାଣ,ବିଦ୍ୟାଳୟ ମରାମତି ଏହିପରି ବିଦ୍ୟାଳୟର ଅନେକ କାର୍ଯ୍ୟର ତଦାରଖ ଦାଇତ୍ୱ ବୈଷୟିକ ପରାମର୍ଶ ଦାତାଙ୍କର ଥିବା ସ୍ଥଳେ ତାଙ୍କୁ ବାରମ୍ବାର ବଦଳି କରିବା କେତେଦୂର ଯୁକ୍ତିଯୁକ୍ତ ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିବା ସହ ବ୍ଲକର ଉନ୍ନୟନ ମୂଳକ କାର୍ଯ୍ୟର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅପରପକ୍ଷରେ ୯ଜଣ କନିଷ୍ଠ ଯନ୍ତ୍ରୀ ୨୫ଟି ପଂଚାୟତର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ତଦାରଖ ଠିକ୍ଭାବେ କରିପାରୁନଥିବା ଅଭିଯୋଗ ମଧ୍ୟ ହେଉଛି । ୨୫ଟି ପଂଚାୟତରୁ ୧୭ଟି ପଂଚାୟତର ଦାଇତ୍ୱ ୬ଜଣ ମହିଳା ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ଜଣେ ଜଣେ ୩ଟି କରି ପଂଚାୟତର ଦାଇତ୍ୱ ନିର୍ବାହ କରୁଛନ୍ତି । ଯଦ୍ୱାରା ଉନ୍ନୟନ ମୂଳକ କାର୍ଯ୍ୟରେ ବିଳମ୍ବ ଘଟୁଥିବା ଦେଖିବାକୁ ମିଳୁଛି । ବହୁ ପ୍ରକଳ୍ପ ବର୍ଷ ବର୍ଷ ଧରି ପଡ଼ିରହିଛି । ତେଣୁ ସରକାରଙ୍କ ତରଫରୁ ବ୍ଲକରେ ଆବଶ୍ୟକ ମୁତାବକ କର୍ମଚାରୀ ମୂତୟନ କରାଯାଇ ପାରୁ ନଥିବାରୁ ଏହାର ଉନ୍ନୟନ ମୂଳକ କାର୍ଯ୍ୟର ସଫଳ ରୂପାୟନ ହୋଇପାରୁନାହିଁ । ଏହି ସବୁ ସମସ୍ୟାର ସମାଧାନ କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟର ସୁଚାରୁ ରୂପେ ପରିଚାଳନା କିପରି ହୋଇପାରିବ ସେଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ବେବାକୁ ବନ୍ତ ଅଂଚଳବାସୀ ଦାବି କରିଛନ୍ତି ।

