ବାରିପଦା: ପେଟପାଟଣା ପାଇଁ ଜଙ୍ଗଲ ଯାଇ ହାତୀ ଆକ୍ରମଣରେ ପ୍ରାଣ ହରାଇଲେ ଶିଶୁ ପୁତ୍ରର ମା। ମୟୂରଭଞ୍ଜ ଜିଲ୍ଲା ବିଶୋଇ ବନଖଣ୍ଡ ଅଧିନ ଗାରଗାଡି ବିଟ୍ ଅଧିନସ୍ଥ ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲରେ ଶନିବାର ଘଟିଛି ଏକ ଅଭାବନୀୟ ଘଟଣା। ଜଙ୍ଗଲକୁ କାଠି ପତ୍ର ଆଣିବାକୁ ଯାଇ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ମହିଳା । ସୌଭାଗ୍ୟ ବସତଃ ତାଙ୍କର ଏକବର୍ଷର ଶିଶୁ ପୁତ୍ର ରକ୍ଷା ପାଇଯାଇଛି। ସୂଚନା ମୁତାବକ ବିଶୋଇ ଥାନା ଅନ୍ତର୍ଗତ ଲୁହାକାନି ପଞ୍ଚାୟତର କାଶିପେଣ୍ଟ ଗାଁର କୁଣ୍ଡିଆ ନାଏକଙ୍କ ସ୍ତ୍ରୀ ଚାରମୀ ନାଏକ(୨୭) ଯିଏକି କିଛି ମାସ ହେଲା ନିଜ ବାପଘର ଗାଁ ଯୋଡିବା ପଞ୍ଚାୟତ ଗାରଗାଡି ରେ ରହୁଥିଲେ ,ସେ ତାଙ୍କର ଏକବର୍ଷର ଶିଶୁ ପୁତ୍ରଙ୍କୁ ନେଇ ଶନିବାର ଦିନ ସକାଳେ ଗାଁ ପାଖ ଜଙ୍ଗଲକୁ ଶିଆଳି କାଠି ପତର ଆଣିବାକୁ ଯାଇଥିଲେ। ସାଙ୍ଗରେ ନେଇଥିବା ଶିଶୁ ପୁତ୍ର ନେଇଥିଲେ । ଛୁଆଟିକୁ ଗଛ ମୂଳରେ ବସାଇ ଶାଳ ଛାଲି,କାଠି ସଂଗ୍ରହ କରୁଥିବାବେଳେ ହଠାତ୍ ଜଙ୍ଗଲ ଭିତରୁ ଗୋଟେ ମାଖନା ହାତୀ ଏବଂ ମାଈ ହାତୀ ଆସି ମହିଳାଙ୍କୁ ଦଳି ଦେଇ ଜଙ୍ଗଲ ଭିତରକୁ ପଳାଇଥିଲେ । ମହିଳା ଜଣଙ୍କ ସେଠାରେ ପଡି ରହିଥିଲେ । ଶିଶୁଟି ମା’ କୁ ହରାଇ କାନ୍ଦୁଥିଲା । ଦିନ ପାଖାପାଖି ବାର ଘଟିକା ସମୟରେ ରାସ୍ତାରେ ଯାଉଥିବା କିଛି ବ୍ୟକ୍ତି ଶିଶୁ ପୁତ୍ର କାନ୍ଦୁଥିବା ଶୁଣି ଅଟକି ଯାଇଥିଲେ ।ସେହି ଜଙ୍ଗଲ ପାଖରେ ଖୋଜାଖୋଜି କରିବାରୁ ଚାରମୀ ନାଏକର ମୃତ ଦେହକୁ ଠାବ କରିଥିଲେ। ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବୋଲି ଜଣାପଡିଛି। ଖବର ପାଇ ମଣଦା ACF ଧରିତ୍ରୀ ମୁର୍ମୁ, ଫରେଷ୍ଟର ପ୍ରଭାତ୍ ମହାନ୍ତ, ଶୁଭଲକ୍ଷ୍ମୀ ପାତ୍ର , ପଙ୍କଜ ବେହେରା ସହିତ କିଛି ସବୁଜ ବୀର ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।ବିଶୋଇ ଜୁଡ଼ିଆ ସରପଞ୍ଚ, ସମିତି ସଭ୍ୟ ଘଟଣା ସ୍ଥଳରେ ପହଁଚି ମୃତକଙ୍କ ପରିବାରକୁ କ୍ଷତିପୂରଣ ସରକାରଙ୍କ ତରଫରୁ ଶିଘ୍ର ସହାୟତା ଯୋଗାଇଦେବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି। ରବିବାର ଦିନ ପୋଲିସ ଏକ ମାମଲା କେଶ ନମ୍ଵର ୭/୨୫ ରୁଜୁ କରି ମୃତକଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ସମସ୍ତେ କୁହାକୁହି ଅଛନ୍ତି ରଖେ ହରି ମାରେ କିଏ? ଶିଶୁଟିକୁ ଛାଡି ମା’ ର ନେଲା ଜୀବନ !

