Img 20250522 wa0142

ବିପଦରେ ଆଦିବାସୀ ଅସ୍ମିତା, ଆଦିବାସୀଙ୍କ ହକ୍ ପାଇଁ ମାରିସାର ବଡ ଲଢ଼େଇ

ରାଜ୍ୟ
ବାରିପଦା : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଡେଙ୍ଗାମ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଡିଦର ଗ୍ରାମ ଦୁର୍ଗମ ଅଞ୍ଚଳ ରୂପେ ପରିଚିତ । ଏବେବି ଏହି ଅଞ୍ଚଳ ବିକାଶଠାରୁ ବହୁ ଦୂରରେ ରହିଛି । ବଣ ପାହାଡ଼ ଘେରା ଏହି ଅଞ୍ଚଳର ଅନେକ ସାହିକୁ ଏଯାଏଁ ରାସ୍ତା ନିର୍ମାଣ ହୋଇପାରିନାହିଁ । ସରକାରଙ୍କ ଯୋଜନା ତାଙ୍କ ପାଖରେ ପହଞ୍ଚି ପାରୁନାହିଁ । ଗ୍ରାମବାସୀମାନେ ଯେପରି ମୌଳିକ ସୁବିଧା ପାଇପାରିବେ ସେଥିପ୍ରତି ମାସ୍ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ୍ ଏଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ୍ (ମାରିସା) ର ରାଜ୍ୟ ସଭାପତିଙ୍କ ନେତୃତ୍ୱରେ ଏକ ଟିମ୍ ସେଠାରେ ପହଞ୍ଚି ରାତ୍ରିଯାପନ କରିବାସହ ୨୦୦ ଶାଢ଼ୀ ଏବଂ ୧୪୮ଟି ଧୋତି, ଗଞ୍ଜି  ଅସହାୟ ଲୋକଙ୍କୁ ବଣ୍ଟନ କରି ଗରିବଙ୍କ ସାଥି ହୋଇପାରିଛନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଜଙ୍ଗଲ ପାହାଡରୁ ଉଚ୍ଛେଦ ହେବେ ଜଡିଦର ଗ୍ରାମର ପାଖାପାଖି ୬୦ ଆଦିବାସୀ ପରିବାର । ଆଦିବାସୀଙ୍କୁ ସେମାନଙ୍କର ପାରମ୍ପରିକ ଜଙ୍ଗଲ ଜମି ଉପରେ ଆଇନଗତ ସ୍ୱୀକୃତି ପ୍ରଦାନ ପାଇଁ ୨୦୦୬ ମସିହାରେ ଆସିଥିଲା ଜଙ୍ଗଲ ଅଧିକାର ଆଇନ । ଜଙ୍ଗଲ ଭିତରେ ସମ୍ମାନ ଓ ସ୍ୱାଭିମାନ ସହ ବଞ୍ଚିବାର ଅଧିକାରକୁ ସ୍ୱୀକୃତି ଦେବା ଥିଲା ଏହାର ମୂଳ ଆଭିମୁଖ୍ୟ । ଜଙ୍ଗଲ ଅଧିକାର ସ୍ବୀକୃତି ଆଇନ-୨୦୦୬ ଓ ସଂଶୋଧିତ ନିୟମାବଳୀ-୨୦୧୨ କାର୍ଯ୍ୟକାରୀ ହୋଇ ଏହାରି ମଧ୍ୟରେ ୧୬ ବର୍ଷ ବିତିଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ମୟୂରଭଞ୍ଜ ଜିଲ୍ଲାରେ ୮ ହଜାର ୭୨୯ ରୁ ଅଧିକ ଆଦିବାସୀ ଓ ପାରମ୍ପରିକ ଆଦିବାସୀ ପରିବାର ଜଙ୍ଗଲ ଜମିରେ ନିଜର ଅଧିକାର ପାଇବାରୁ ବଞ୍ଚିତ । କେବଳ ମୟୂରଭଞ୍ଜ ଜିଲ୍ଲାରେ ନୁହେଁ ସମଗ୍ର ରାଜ୍ୟରେ ଆଦିବାସୀ ଶୋଷିତ, ନିର୍ଯାତିତା ଆଦିବାସୀ ସମାଜକୁ ସମ୍ପୂର୍ଣ ଭାବେ ଭୂମିହୀନ ଓ ବିଲୀନ କରିଦିଆଯିବାକୁ ଉଦ୍ୟମ କରାଯାଉଛି । ଯାହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତିଗତ ନିଷ୍ପତ୍ତି ଭବିଷ୍ୟତ କଥା କହୁଛି । ଫଳରେ ଆଦିବାସୀ ସମାଜ ଅସୁରକ୍ଷିତ ହୋଇପଡ଼ିଛନ୍ତି ।ପ୍ରକାଶ ଯେ, ୨୦୧୧ରେ ସାମାଜିକ ଆର୍ଥିକ ଜନଗଣନା ତଥ୍ୟ ଅନୁଯାୟୀ ରାଜ୍ୟରେ ୪୬.୬ ଲକ୍ଷ (୫୪.୯ ପ୍ରତିଶତ) ପରିବାର ଭୂମିହୀନ ।
ଏହି ୧୪ ବର୍ଷ ମଧ୍ୟରେ ଭୂମିହୀନଙ୍କ ସଂଖ୍ୟା ଆହୁରି ବୃଦ୍ଧି ହୋଇଥିବା ଆଶଙ୍କା କରାଯାଉଛି । ୨୦୨୩ ଅଗଷ୍ଟ ୯ରେ ବିଶ୍ବ ଆଦିବାସୀ ଦିବସ ଉପଲକ୍ଷେ ରାଜ୍ୟ ସରକାର ‘ମୋ ଜଙ୍ଗଲ ଜମି ଯୋଜନା’ର ଶୁଭାରମ୍ଭ କରିଥିଲେ । କିନ୍ତୁ ଦୁଇ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଜଙ୍ଗଲ  ସମ୍ବଳ ଅଧିକାରର ସ୍ବୀକୃତି ମିଳିପାରିନାହିଁ। ମୟୂରଭଞ୍ଜରେ ବିସ୍ଥାପିତ ଲୋକେ ସମ୍ମାନର ସହ ବଞ୍ଚିବାରୁ ବଞ୍ଚିତ ହୋଇଛନ୍ତି । ବିସ୍ଥାପିତ ହୋଇଥିବା ପରିବାରମାନଙ୍କୁ ଉଚିତ୍ କ୍ଷତିପୂରଣ, ଅଇଥାନ କରାଯାଇନାହିଁ । ହଳଦିଆ ଏବଂ ଜମ୍ଭିରା ଡ୍ୟାମ ନିର୍ମାଣର ସମ୍ପୂର୍ଣ ବୁଡ଼ି ଗାଁ  ପ୍ରାୟ ୭୦ଟି ଆଦିବାସୀ ପରିବାର ଦୟନୀୟ ଅବସ୍ଥାରେ ରହିଛନ୍ତି । ଶିକ୍ଷିତ ଆଦିବାସୀ ବେକାର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ନାହିଁ I କୃଷି ଓ ଜଙ୍ଗଲରେ ବିନାଶଲୀଳା ଚାଲିବା ଦ୍ଵାରା ଲକ୍ଷଲକ୍ଷ କର୍ମହୀନ ଚାଷୀ, ଆଦିବାସୀ, ଦଳିତ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି । ବିସ୍ଥାପିତ ହେବା ଦ୍ୱାରା ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀ ନିଜର ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ସୁରକ୍ଷା ହରାଇବେ। ଏପରିକି ସମ୍ମାନର ସହ ବଞ୍ଚିବାର ବାଟ ହରାଇବେ । ଆଗାମୀ ଦିନରେ ବିସ୍ଥାପିତ ସମସ୍ୟା ଘୋଇ ସଙ୍କଟ ସୃଷ୍ଟି କରିବ । ଏହା ସହ ମାନବିକ ଅଧିକାର ଓ ସାମ୍ବିଧାନିକ ଅଧିକାର ଗୁଡ଼ିକୁ ମଧ୍ୟ ଅତିମାତ୍ରାରେ କ୍ଷୁର୍ଣ୍ଣ କରିବ ବୋଲି ମାରିସା ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁ କହିଛନ୍ତି । ମାତ୍ର ଆଦିବାସୀଙ୍କ ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ସୁରକ୍ଷା  ପ୍ରସଙ୍ଗରେ ସମସ୍ତେ ମୌନବ୍ରତ ଧାରଣ କରି ବସିଛନ୍ତି । ଏଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଆଉ ଭରସା ନକରି ମୟୂରଭଞ୍ଜ ମାଟିର ଝିଅ ତଥା ରାଷ୍ଟ୍ରପତି ମହୋଦୟାଙ୍କୁ ଆଦିବାସୀଙ୍କ ପ୍ରକୃତ ସ୍ଥିତିକୁ ଜଣାଇ ହସ୍ତକ୍ଷେପ କରିବାପାଇଁ ନିବେଦନ କରିବାକୁ ଜୁନ୍ ୧ ତାରିଖ ପ୍ରତ୍ୟେକ ମୟୂରଭଞ୍ଜବାସୀ ‘ଆଦିବାସୀ ଅସ୍ମିତା ସୁରକ୍ଷା ପ୍ରସଙ୍ଗରେ ରାଷ୍ଟ୍ରପତି ମହୋଦୟା ହସ୍ତକ୍ଷେପ କରନ୍ତୁ’ ବୋଲି ପ୍ରିଣ୍ଟିଂ ଅଥବା ହାତଲେଖା ପ୍ଲା-କାର୍ଡ ଧରି ତା’ର ଫଟୋ ଅବା ଭିଡିଓ ସୋସିଆଲ ମିଡିଆରେ ବହୁମାତ୍ରାରେ ସେୟାର୍ କରି ନିବେଦନ କରିବେ ।
Shrutilipi ad