- ଓଡ଼ିଆ ଜାଗରଣ ମଞ୍ଚ ପକ୍ଷରୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ବାରିପଦା- ଓଡ଼ିଆ ଜାଗରଣ ମଞ୍ଚ ପକ୍ଷରୁ ଏକ ପ୍ରତିନିଧିଦଳ ମୟୁରଭଞ୍ଜ ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ଭାରତର ମହାମହିମ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ୱ ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଏକ ଦାବିପତ୍ର ପ୍ରଦାନ କରିଥିବାର ଜଣାଯାଇଛି | ମୟୂରଭଞ୍ଜ ଜିଲ୍ଲା ବାସୀଙ୍କର ବହୁବର୍ଷର ଦାବୀ ଫଳରେ ବିଗତ ୧୯୯୮ ମସିହାରେ ଓଡିଶା ସରକାର ବାରିପଦାଠାରେ ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ | ପରବର୍ତ୍ତୀ କାଳରେ ୨୦୨୦ ମସିହାରେ ସରକାର ଏହାର ନାମକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ନାମରେ ନାମିତ୍ତ କରିଛନ୍ତି |୨୦୨୩ ମସିହାରେ କେନ୍ଦୁଝରର ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟକୁ ସରକାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ଦ୍ଵିତୀୟ ପରିସରରେ ଥିବା ଓଡିଆ, ଇଂରାଜୀ, ସଂସ୍କୃତ, ଜିଓଲୋଜୀ, ମେଟେରିଆଲ ସାଇନ୍ସ ପରି ପାଞ୍ଚଟି ବିଭାଗର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀଗୁଡିକୁ ପ୍ରଦାନ କରିଦେବା ଫଳରେ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟଠାରେ ଥିବା ଏହି ବିଭାଗ ଗୁଡିକ ଅବହେଳିତ ହୋଇ ରହିଛି |
ପିଲା ମାନେ ସେଲଫ ଫାଇନାନ୍ସ ମୋଡ଼ରେ ପଢିବାକୁ ବାଧ୍ୟ ହେଉଛନ୍ତି | ଏପରିକି ମେଟେରିଆଲ ସାଇନ୍ସ ବିଭାଗଟି ବନ୍ଦ ହେବକୁ ବସିଲାଣି | ଏ ସମ୍ବନ୍ଧରେ ଦୀର୍ଘ ଦିନ ଧରି ସରକାରଙ୍କ ଠାରେ ଅଭିଯୋଗ କରାଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ | ଏଣୁ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସମସ୍ୟା ତୁରନ୍ତ ସମାଧାନ କରିବା, ବାରିପଦାଠାରେ ଏକ ସରକାରୀ ସଂଗୀତ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯିବା ସହ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଟିକୁ ରାଜ୍ୟସ୍ତରୀୟ ବିଶ୍ଵବିଦ୍ୟାଳୟରୁ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟକୁ ଉନ୍ନତ କରାଯିବାକୁ ଦାବୀ କରାଯାଇଛି | ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ମଞ୍ଚର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ, ପିତାମ୍ବର ମଲ୍ଲିକ, ଆଇନଜୀବୀ ଲିଙ୍ଗରାଜ ମିଶ୍ର, ସତ୍ୟ ନାରାୟଣ ବେହେରା, ଗୋଲୋକ ମହାନ୍ତି ପ୍ରମୁଖ ସାମିଲ ଥିଲେ |

