- କାମ ଅଧା ହୋଇପଡ଼ିବାରୁ ପାଲଟିଲାଣି ମରଣଯନ୍ତା
- ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ରାସ୍ତା ନିର୍ମାଣ
- ବଜୁରି ଓ ମେଣ୍ଟାଲ ବିଛା ରାସ୍ତାରେ ଦହଗଞ୍ଜ ବାଟୋଇ
ଆଗରପଡ଼ା :ବନ୍ତ ବ୍ଳକ ଅନ୍ତର୍ଗତ ବିଭିନ୍ନ ପଂଚାୟତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ନିମ୍ନମାନର ମରାମତି ହେଉଥିବା ଦେଖିବାକୁ ମିଳିଛି । ଏପରିକି ମରାମତି ଆଳରେ ସମ୍ପୃକ୍ତ ଠିକାଦାର ଠକି ଚାଲିଥିବା ବେଳେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ଅଭିଯୋଗ ହେଉଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଲକ ଛୟାଳସିଂ ପଂଚାୟତ ମଙ୍ଗୁଲି ଠାରୁ ଗଣିଜାଙ୍ଗ ଭାୟା ଗୋପାଳପୁର,ଆମ୍ବଗଡ଼ିଆ ଯାଇଥିବା ୮.୫୦୦ କିମି ଦୂରତ୍ୱ ବିଶିଷ୍ଟ ରାସ୍ତାର ନିର୍ମାଣ ଠାରେ । ବାରମ୍ବାର ଉକ୍ତ ରାସ୍ତାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଗତ ଅକ୍ଟୋବର ମାସରେ ବିଭାଗ ପକ୍ଷରୁ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ବର୍ତ୍ତମାନ ରାସ୍ତା ପ୍ରଶସ୍ତିକରଣ ପାଇଁ ପ୍ରଶାସନ ପକ୍ଷରୁ ସୀମା ଚିହ୍ନଟ ହୋଇପାରୁନଥିବାରୁ ନିର୍ମାଣ କାର୍ଯ୍ୟ ଆଗେଇ ନପାରି ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଥିବା ଜଣାପଡ଼ିଛି । ବଜୁରି ଓ ମେଣ୍ଟାଲ ବିଛା ରାସ୍ତାରେ ଗମନାଗମନରେ ଘୋର ଅସୁବିଧା ସୃଷ୍ଟି ହେଉଛି । ଏଠାରେ ପ୍ରକାଶ ଥାଉକି; ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମଙ୍ଗୁଲି ଠାରୁ ଗଣିଜାଙ୍ଗ ଭାୟା ଗୋପାଳପୁର,ଆମ୍ବଗଢ଼ିଆ ଯାଇଥିବା ୮.୫୦୦ କିମି ଦୂରତ୍ୱ ବିଶିଷ୍ଟ ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡିବା ସହ ମରଣଯନ୍ତା ପାଲଟିଥିଲା । ରାସ୍ତାରୁ ପିଚୁ ଉଠି ଖାଲଖମାରେ ପରିଣତ ହେବା ଦ୍ୱାରା ଅସରାଏ ବର୍ଷାରେ ରାସ୍ତାରେ ଆଣ୍ଠୁଏ ଲେଖାଏର୍ ପାଣି ଜମି ରହୁଥିଲା । ଫଳରେ ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଠାରୁ ବୃଦ୍ଧ ବୃଦ୍ଧା ମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ରାସ୍ତା ଉକ୍ତ ଅଂଚଳପଳ ପାଇଁ ମୁଖ୍ୟ ରାସ୍ତାଥିବାରୁ ଏହା ସାବିତ୍ରୀ ପୀଠ, ଓଡ଼ଙ୍ଗ, ଆଗରପଡ଼ା, ଟିଲୋ, କାଦବରାଙ୍ଗ ଓ ଅନ୍ୟଏକ ପାଶ୍ୱର୍ ଗୋପାଳପୁର,ଗଣିଜାଙ୍ଗ ଦେଇ ମୁଖ୍ୟ ରାସ୍ତାକୁ ସଂଯୋଗ କରିଛି । ଉକ୍ତ ରାସ୍ତା ବିଭିନ୍ନ ସ୍ଥାନକୁ ସଂଯୋଗ କରିଥିବାରୁ ଓ ଉକ୍ତ ଅଂଚଳର ଚାଷୀମାନେ ବହୁପରିମାଣରେ ପରିବା ଚାଷ କରୁଥିବାରୁ ବିଭିନ୍ନ ଅଂଚଳର ଚାଷୀଙ୍କ ସହ ଜନସାଧାରଣ ମାନେ ସମସ୍ୟାରେ ସମ୍ମୁଖିନ ହେଉଥିଲେ । ଉକ୍ତ ରାସ୍ତା ଦେଇ ମଧ୍ୟ ବହୁସଂଖ୍ୟାରେ ଦୁଇଚକିଆ ଓ ଚାରିଚକିଆ ଯାନବାହାନ ଯାତାୟତ କରିଥାଏ । ଉକ୍ତ ରାସ୍ତା ଦେଇ ଲୋକେ ମୁଖ୍ୟ ରାସ୍ତାରେ ପହଁଚିବା ସହ ଜିଲ୍ଲା ଓ ବ୍ଳକ ସଦର ମହକୁମାକୁ ଯାତାୟତ କରିଥାନ୍ତି । ବର୍ଷା ରୁତୁରେ ପିଲା ମାନେ ବିଦ୍ୟାଳୟ ଯିବା ସହ ଅନ୍ୟାନ୍ୟ ପଥଚାରୀ ସମସ୍ୟାରେ ପଡ଼ୁଥିଲେ । ଜରୁରୀ ସ୍ଥିତିରେ ଦମକଳ କିମ୍ବା ଆମ୍ବୁଲାନ୍ସ ଯାତାୟତରେ ସମସ୍ୟା ସାଜୁଥିଲା । ବର୍ତ୍ତମାନ ଅଧପନ୍ତରିଆ ଅବସ୍ଥାରେ ଥିବା ରାସ୍ତା ମଧ୍ୟ ଗମନାଗମନରେ ବାଧା ସୃଷ୍ଟି କରୁଛି । ତେଣୁ ଅଧବନ୍ତରିଆ ରାସ୍ତାକୁ ସୀମା ଚିହ୍ନଟ କରି ବର୍ଷା ଋତୁ ଆଗରୁ ଶେଷ କରିବାକୁ ଛୟାଳସିଂ ପଂଚାୟତର ପ୍ରଫୁଲ୍ଲ ରାଉତ,ମନୋଜ ଗିରି,ଶ୍ୟାମ ସୁନ୍ଦର ଗିରି,ଜଗନ୍ନାଥ ପରିଡ଼ା,ସନ୍ତୋଷ ଗିରି,ବିଶ୍ୱନାଥ ଦାସ,ରଙ୍ଗାଧର ରାଉତ,ନୃସିଂହ ଚରଣ ନାଥ,ସୁବ୍ରତ ରାଉତ ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ଗ୍ରାମ୍ୟ ଉନ୍ନୟନ ଅଧିକାରୀ,ସଯିଲ ଦାର,ବନ୍ତ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି ।

