ଆଗରପଡ଼ା :ଗତ ଏପ୍ରିଲ ମାସ ୬ ତାରିଖରେ ପ୍ରତିଷ୍ଠାକୁ ୬୯ବର୍ଷ ପୂରିବା ପରେ ବି ବିହନ ବିଶୋଧନାଗାର ପରିଚୟ ଖୋଜିବାରେ ଲାଗିଛି ଖବର ବିଭିନ୍ନ ଗରମାଧ୍ୟମରେ ପ୍ରକାଶ ପାଇଥିଲା । ବିହନ ବିଶୋଧନାଗାର ତାର ପରିଚୟ ଖୋଜୁଥବା ବେଳେ ବିଭାଗ କର୍ମଚାରୀଙ୍କ ନିଯୁକ୍ତି ସଂଖ୍ୟାରେ ପରିବର୍ତ୍ତନ କରିବା ପରିବର୍ତ୍ତେ ଦେବା ଏହାର ଦାଇତ୍ୱରେ ଥିବା ଏକମାତ୍ର କୃଷି ଓଭରସିୟରଙ୍କ ଅନ୍ୟତ୍ର ବଦଳି କରି ଆଉ ଜଣେ(ନୂତନ) କୃଷି ଓଭରସିୟରଙ୍କୁ ନିଯୁକ୍ତି ପ୍ରଦାନ କରିଥିବା ଜଣାପଡ଼ିଛି । ତେଣୁ ବଦଳିରେ ସୀମିତ ରହିଯାଇଛି ପ୍ରଶାସନିକ ଆନ୍ତରିକତା ଉକ୍ତ ଅବହେଳିତ ବିହନ ବିଶୋଧନାଗାର ପ୍ରତି । ଉନ୍ନୟନ ଦିଗରେ ସରକାରୀ କାର୍ଯ୍ୟ କିପରି ବାଟବଣା ହୋଇ ପଡ଼ିଛି ତା’ର ଏକ ଦୃଷ୍ଟାନ୍ତ ସାଜିଛି ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟାଁ ପଂଚାୟତ ଅର୍ନ୍ତଗତ ଶେଉଳଗଡ଼ିଆ ସରକାରୀ ବିହନ ବିଶୋଧନାଗାର । କୃଷି ପ୍ରଧାନ ବନ୍ତ ବ୍ଲକ ଅଂଚଳରେ ୧୯୫୫ ମସିହାରେ ପ୍ରତିଷ୍ଠିତ ଏହି ବିହନ ବିଶୋଧନାଗାରର ବର୍ତ୍ତମାନ ଦୁରବସ୍ଥା ଚର୍ଚ୍ଚାକୁ ଆସିଛି । ପ୍ରାୟ ସତୁରୀ ବର୍ଷର ଏହି କୃଷି ଭିତ୍ତିଭୂମି ଏବେ କୃଷକଙ୍କ ପାଇଁ ଏକ ପ୍ରକାର ଅପହଂଚ ହୋଇ ରହିଛି । ୪୫ ଏକର ପରିମିତ ଜମି ସହ କ୍ଷେତ୍ରାଧିକାରୀ, ୪ ଜଣ ସ୍ଥାୟୀ ଶ୍ରମିକ ଓ ୮ଟିି ବଳଦକୁ ନେଇ କାର୍ଯ୍ୟାରମ୍ଭ କରିଥିଲା ଏହି ବିଶୋଧନାଗାର । ପାଣିର ସୁବିଧା ପାଇଁ ୨ଟି କୂଅ, ନଳକୂପ, ଲିଫ୍ଟପଏଣ୍ଟ,୫ଏକର ପରିମିତ ସ୍ଥାନରେ ପୋଖରୀ ଆଦି ଖୋଳା ଯାଇଥିଲା । ଏହା ମଧ୍ୟରେ ଆମ୍ବ ଓ ନଡ଼ିଆ ପରି ଅନେକ ଚାରା ରୋପଣ କରାଯାଇଥିଲା । ବିଶୋଧନାଗାର ଚାରି ପାଖକୁ ଲୁହା ତାର ବାଡ଼ ଦ୍ୱାରା ଆବଦ୍ଧ କରାଯିବା ସହ କର୍ମଚାରୀଙ୍କ ପାଇଁ କ୍ୱାର୍ଟର ଓ ବଳଦଙ୍କ ପାଇଁ ଗୁହାଳଘର ଆଦି ନିର୍ମାଣ କରାଯାଇଥିଲା । ଇତି ମଧ୍ୟରେ ୬୯ବର୍ଷ ବିତି ଯାଇଛି ଓ ଏହାର ରୂପରେଖରେ ବହୁ ପରିବର୍ତ୍ତନ ଆସିଛି । ପ୍ରବେଶ ପଥରେ ଥିବା ବଡ଼ ଲୁହା ଫାଟକ ଆଉ ନାହିଁ କି ପୂର୍ବରୁ ଲୁହା ତାର ବାଡ଼ ଦ୍ୱାରା ଆବଦ୍ଧ ପରିବେଶ ବି ନାହିଁ । ସୂଚନା ଅନୁସାରେ, ଟ୍ରାକ୍ଟରଟିଏ ଥିଲେ ସୁଦ୍ଧା ଏହାକୁ ଚଲାଇବା ପାଇଁ ସ୍ଥାୟୀ ଚାଳକଟିଏ ନାହାନ୍ତି । ଫଳରେ ଟ୍ରାକ୍ଟରଟି ଏକପ୍ରକାର ଅଲୋଡ଼ା ହୋଇ ସରକାରୀ ଅର୍ଥର ଅପବ୍ୟୟର ଏକ ନମୁନା ସାଜିଛି । ଉକ୍ତ ବିହନ ବିଶୋଧନାଗାର ଜଣେ କୃଷି ଓଭରସିୟରଙ୍କ ଦାଇତ୍ୱରେ ଚାଲିଛି । ବିଭାଗର ତରଫରୁ ଆଉ କୌଣସି ସରକାରୀ କର୍ମଚାରୀ ଏଠାରେ ନିଯୁକ୍ତି ଦିଆଯାଇନାହିଁ । ସରକାର କୃଷି ଓ କୃଷକ ଉଭୟଙ୍କୁ ପ୍ରଧାନ୍ୟ ଦେବାକୁ ଯାଇ ବିଭିନ୍ନ ପ୍ରକାର ଯୁଗାନ୍ତକାରୀ ଯୋଜନା ପ୍ରଣୟନ କରିଆସୁଥିଲା ବେଳେ ଏନେଇ ପ୍ରତିଷ୍ଠିତ ପୁରୁଣା ଭିତ୍ତିଭୂମି ଗୁଡ଼ିକ ଅବହେଳାର ଶିକାର ହେଉଛି । ଯା’ଫଳରେ ସରକାରୀ ଅର୍ଥର ଅପବ୍ୟବହାର ହେବା ସାର ହେଉଛି । ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦୂରଦ୍ୟଷ୍ଟିର ଅଭାବ ଏବଂ ଏନେଇ ଯୋଜନାର ସ୍ଥାୟୀ କାର୍ଯ୍ୟକାରିତା ହେଉନଥିବାରୁ ଅର୍ଦ୍ଧଶତାଦ୍ଦୀର ଉକ୍ତ ବିହନ ବିଶୋଧନାଗାର ଏବେ ଲକ୍ଷ୍ୟଠାରୁ ଦୂରେଇ ପରିଚୟ ହରାଇବାରେ ଲାଗିଛି । ସରକାରୀ କାର୍ଯ୍ୟ ଏବଂ କୃଷକଙ୍କ ବିକାଶ କାର୍ଯ୍ୟ ମଧ୍ୟ ଏହା ଦ୍ୱାରା ବାଧାପ୍ରାପ୍ତ ହେଉଛି । ବିଶୋଧନାଗାରର ମୁକୁଳା ପରିବେଶକୁ ନେଇ ବାରମ୍ବାର ଅଭିଯୋଗ ଏବଂ ଖବର ପ୍ରକାଶିତ ହେବା ପରେ ବର୍ଷକ ପୂର୍ବରୁ ଏହାର ଚାରିପାଖରେ ପାଚେରି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ; କିନ୍ତୁ ଇତି ମଧ୍ୟରେ ବିଭାଗୀୟ ଅଧିକାରୀଙ୍କ ଅଣଦେଖା ହେଉ କିମ୍ବା ଇଚ୍ଛାଶକ୍ତିର ଅଭାବ ଯାହାବି ହେଉ, ତାହା ଆଜି ପର୍ଯ୍ୟନ୍ତ ଅସମୂର୍ଣ୍ଣ ହୋଇ ରହିଛି । ଯଦ୍ୱାରା ପୂର୍ବପରି ଗୋରୁ ଗାଈ ସମେତ ଅସାମାଜିକ ବ୍ୟକ୍ତିଙ୍କ ଅବାଧ ପ୍ରବେଶ ରହୁଛି ।
ଏଠାରେ ନର୍ସରୀ ବନ୍ଦ ହୋଇଯିବା ଫଳରେ ଆଉ ଚାରା ଉତ୍ପାଦନ ହୋଇପାରୁ ନଥିବାବେଳେ ରକ୍ଷଣାବେକ୍ଷଣ ଅଭାବରୁ ନଡ଼ିଆ ଓ ଆମ୍ବ ଆଦି ଉତ୍ପାଦନ ପୁରାପୁରି ହ୍ରାସ ପାଇଛି । ଲିଫ୍ଟପଏ , କୂଅ ଓ ଟ୍ୟୁବୱେଲ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । କର୍ମଚାରୀ କ୍ୱାର୍ଟର, ଗୁହାଳ ଘର ଆଦି ପରିତ୍ୟକ୍ତ ଅବସ୍ଥାରେ ରହିଛି । ଯଦ୍ୱାରା ସମୟଚକ୍ରରେ ହଜିଯାଇଛି ବିହନ ବିଶୋଧନାଗାରର ଏ୍ୟୌତିହ୍ୟ । ଧାନକୁ ପ୍ରୋସେସିଂ କରାଯାଇ ବିହନକୁ ଚାଷୀମାନଙ୍କୁ ଦିଆଯିବା ଲକ୍ଷ୍ୟରୁ ବିଚ୍ୟୁତ ରହୁଛି । ବିଭିନ୍ନ ପରିସ୍ଥିତି ଯୋଗୁଁ ପୂର୍ବରୁ ପାଖାପାଖି ୧ ହଜାର କ୍ୱିଣ୍ଟାଲ ଫାଉଣ୍ଡେସନ ବିହନ ସଂଗ୍ରହ କରାଯାଉଥିବା ବେଳେ ବର୍ତ୍ତମାନ ମାତ୍ର ୫ ଶହ କ୍ୱିଣ୍ଟାଲ ଫାଉଣ୍ଡେସନ ବିହନ ସଂଗ୍ରହ କରିବା କଷ୍ଟକର ହୋଇପଡ଼ୁଛି । ବର୍ତ୍ତମାନ ଗୋଟିଏ ଟ୍ରାକ୍ଟର, ଗୋଟିଏ ଧାନ କଟା ରିପର, ଧାନ ଅମଳ ପାଇଁ ଗୋଟିଏ ପ୍ରାଚି ଓ ବିଷ ଛିଞ୍ଚଣ ଯନ୍ତ୍ର ଅଛି । ଅନ୍ୟ ପକ୍ଷରେ, ବିଭାଗ ଦ୍ୱାରା କର୍ମଚାରୀ କ୍ୱାର୍ଟର ନିର୍ମାଣ କରାଯାଇଥିବା ବେଳେ ସୋଲାର ଲାଇଟର ବନ୍ଦୋବସ୍ତ କରାଯାଇଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପୋଖରୀ ସହ ୫ ଏକର ପରିମିତ ଜାଗାରେ ଗେଣ୍ଡୁ ଚାଷ ଓ ନାନାଦି ପନିପରିବା ଚାଷ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଥିବା ଜଣାପଡ଼ିଛି । କିଛି ବର୍ଷ ହେବ ୩୫ ଏକର ଜମିରେ ଧାନ ଚାଷ କରାଯାଉଥିବା ବେଳେ ଏହାର ଚାରିପଟରେ ନିର୍ମିତସୁରକ୍ଷା ପାଚେରୀ ସମ୍ପୂର୍ଣ୍ଣ ହେଉନଥିବାରୁ ଅମଳରେ କ୍ଷୟକ୍ଷତି ମଧ୍ୟ ଘଟୁଛି । ତେଣୁ ସ୍ଥାୟୀ ପାଚେରୀ ନିର୍ମାଣ ସମ୍ପୂର୍ଣ୍ଣ ହେବା ଜରୁରୀ ହୋଇପଡ଼ିଛି । ଏହି ବିହନ ବିଶୋଧନାଗାର ପୂର୍ବ କାର୍ଯ୍ୟକ୍ଷମତାକୁ ଫେରାଇ ଆଣିବାକୁ ସରକାରଙ୍କ ତରଫରୁ ଜଣେ କୃଷି ଓଭରସିୟରଙ୍କ ବ୍ୟତିତ ଏଠାରେ ଆବଶ୍ୟକ କର୍ମଚାରୀ ନିଯୁକ୍ତି ଦେବା ସହ ରକ୍ଷଣାବେକ୍ଷଣ ଦିଗରେ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

