ଆଗରପଡ଼ା :ସ୍ଥାନୀୟ ଅଂଚଳର ବିଶିଷ୍ଟ ସମାଜସେବୀ,କ୍ରୀଡ଼ାବିତ୍ ତଥା ବିଜୁ ଜନତାଦଳ ଅନ୍ୟତମ ଆଗଧାଡ଼ି ନେତା ଶଶାଙ୍କ ଶେଖର ଦାସଙ୍କ ପରଲୋକ ଘଟିଛି । ସେ ଛାତିରେ ଯଂତ୍ରଣା ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ମେଡିକାଲକୁ ଅଣା ଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ସର୍ବ ପୁରାତନ ରାଜୟୁଥ କ୍ଳବର ସେ ଅନ୍ୟତମ ପ୍ରତିଷ୍ଠାତା ଥିଲେ । ସେ ଜଣେ ଭଲିବଲ ଖେଳାଳୀ ହେବା ସହ ଅନ୍ୟ ଖେଳାଳୀମାନଙ୍କୁ ସବୁବେଳେ ଉତ୍ସାହିତ କରି ଆସୁଥିଲେ । ସେ ବିଜୁ ଜନତାଦଳର ଦୃଢ଼ ଓ ଦକ୍ଷ ସଂଗଠକ ଥିଲେ । ତତ୍କାଳୀନ କେନ୍ଦ୍ରମଂତ୍ରୀ ସ୍ୱର୍ଗତ ଅର୍ଜ୍ଜୁନ ଚରଣ ସେଠୀଙ୍କ ସହାୟତାରେ ଅନେକ ଜନମଙ୍ଗଳ କାର୍ଯ୍ୟ କରିଛନ୍ତି । ସମାଜସେବୀ ଭାବେ ଅନ୍ୟର ପରୋପକାର କରି ଆସୁଥିଲେ । ବହୁ ବିଶିଷ୍ଟ ବ୍ୟକ୍ତି ପରଲୋକ ଖବର ପାଇ ଶ୍ରୀରାମପୁର ବାସଭବନରେ ତାଙ୍କ ମରଶରୀରକୁ ଶେଷଦର୍ଶନ କରିବା ସହ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଥିଲେ । ଜିଲ୍ଲାପରିଷଦ ସଭାପତି ତଥା ପ୍ରାକ୍ତନ ବିଧାୟକ ପ୍ରଫୁଲ୍ଲ ଜେନା,ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ବିଜେଡି ନେତା ପ୍ରଶାନ୍ତ ଦାଶ, ବିଜ୍ଞାନଭୂଷଣ ମହାନ୍ତି, କ୍ରୀଡ଼ାବିତ୍ ରଣେନ୍ଦ୍ର ମହାନ୍ତି, ବିଜୟ ନାୟକ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି ।

