ଆଗରପଡ଼ା :କ୍ରୀଡ଼ାର ବିକାଶ ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ବ୍ଲକ ସ୍ତରୀୟ ମିନି ଷ୍ଟାଡିୟମ ଅଧପନ୍ତରିଆ ଅବସ୍ଥାରେ ପନିରହିଛି । ଦୀର୍ଘ ବର୍ଷ ହେବ କେବଳ ପାଚେରିରେ ସୀମିତ ରହିଛି ଷ୍ଟାଡ଼ିୟମ ନିର୍ମାଣ ଯାହାକୁ ନେଇ କ୍ରୀଡାବିତ୍ ମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ସୂଚନା ଅନୁସାରେ, ମିନିଷ୍ଟାଡିୟମ ନିର୍ମାଣ ନିମନ୍ତେ ବନ୍ତ ପଂଚାୟତ ପୁରୁଷୋତ୍ତମପୁର ଗ୍ରାମର ଖାତା ନଂ୧୫୧ ଅନ୍ତର୍ଗତ ୫ ଏକର ଜମି ଯୋଗାଇ ଦିଆଯାଇଥିଲା । ଏନେଇ ଉକ୍ତ ଜମିରୁ ଗତ ୨୦୨୧ ମସିହା ଫେବ୍ରୁଆରି ୧ ତାରିଖରେ ଜବରଦଖଲ ମୁକ୍ତ କରାଯାଇଥିଲା । ସେହି ବର୍ଷ ଏପ୍ରିଲ ୬ ତାରିଖରେ ଜମିର ସୀମା ନିର୍ଦ୍ଧାରଣ କରାଯାଇ ଷ୍ଟାଡିୟମ ନିର୍ମାଣ ନିମନ୍ତେ ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ପାଚେରି ନିର୍ମାଣ ଓ ଭିତ୍ତିଭୂମିର ବିକାଶ ପାଇଁ ସରକାରଙ୍କ କ୍ରୀଡା ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିଲା । ମାତ୍ର ଉକ୍ତ ଅର୍ଥରେ ପାଚେରିର ନିର୍ମାଣ କରାଯାଇଥିଲେ ମଧ୍ୟ ଏହା ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ଇତି ମଧ୍ୟରେ ୪ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ପାଚେରି କାମରେ ଅଗ୍ରଗତି ହେଉନି କି ଭିତ୍ତିଭୂମିର ବିକାଶ ପ୍ରତି ଜେହି ଦୃଷ୍ଟି ଦେଉନାହାନ୍ତି । ଫଳରେ ଏହାର ଚାରିପାଖରେ ଅନାବନା ଗଛ ମାଡ଼ି ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । ସମଗ୍ର ଜିଲ୍ଲାରେ କ୍ରୀଡା କ୍ଷେତ୍ରରେ ବନ୍ତ ବ୍ଲକର ଏକ ସ୍ୱତନ୍ତ୍ର ଭୂମିକା ରହିଛି । ଉକ୍ତ ବ୍ଳକରୁ ବହୁ ଖେଳାଳି କ୍ରିକେଟ୍, ଭଲି ଓ କବାଡି ଖେଳରେ ରାଜ୍ୟ ତଥା ଜାତୀୟସ୍ତରରେ ମୁନାମ ଅର୍ଜନ କରିଛନ୍ତି । ଉକ୍ତ ସମସ୍ୟାକୁ ନେଇ ବ୍ଲକ କାର୍ଯ୍ୟନିର୍ବାହୀ ସହକାରୀ ଯନ୍ତ୍ରୀ ଶ୍ରଦ୍ଧାସୁମନ ନାଥଙ୍କୁ ଯୋଗାଯୋଗ କରିବାରୁ ମିନି ଷ୍ଟାଡିୟମ ନିର୍ମାଣ ନିମନ୍ତେ ଜିଲ୍ଲାର ଅନ୍ୟ ବ୍ଲକକୁ ୨୦ ଲକ୍ଷ ଟଙ୍କା ଲେଖାଏଁ ଯୋଗାଇ ଦିଆଯାଇଥିବା ବେଳେ ବନ୍ତ ବ୍ଲକକୁ ୧୦ ଲକ୍ଷ ଟଙ୍କା ମିଳିଛି । ସେଥିମଧ୍ୟରୁ ୪ ଲକ୍ଷ ଟଙ୍କା ବ୍ୟୟରେ ପାଚେରି ନିର୍ମାଣ କରାଯାଇଥିବା ବେଳେ ଅବଶିଷ୍ଟ ଅର୍ଥ ମହଜୁଦ ରହିଛି । ତହସିଲ ପ୍ରଶାସନ ଷ୍ଟାଡିୟମ ପାଇଁ ଉଦ୍ଦିଷ୍ଟ ଜମିର ସୀମା ନିର୍ଦ୍ଧାରଣ କରି ବୃକକୁ ଚିହ୍ନଟ ଦେଲା ପରେ ଏହାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ କହିଥିଲେ ।

