Photo for the news of btpur

କାଗଜ କଲମରେ ସୀମିତ ଉନ୍ନୟନମୂଳକ କାର୍ଯ୍ୟ, ବିଭାଗୀୟ ଅଧିକାରୀଙ୍କ ଅଣଦେଖାକୁ ନେଇ ଚର୍ଚ୍ଚା

ରାଜ୍ୟ

ଆଗରପଡ଼ା :ପଂଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବନ୍ତ ତହସିଲଦାରଙ୍କ ଅଣଦେଖା ତାଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳନିର୍ଦ୍ଦେଶ କରୁଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଳକ ବଡ଼ହାଟ ତ୍ରିଲୋଚନପୁର(ବିଟିପୁର)ପଂଚାୟତରେ । ଗତ ଜୁଲାଇ ମାସରେ ବିଟିପୁର ସରପଂଚ ଓ ପଂଚାୟତବାସୀ ପଂଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ସରକାରୀ ଜାଗାର ଆବଶ୍ୟକତା ଥିବାରୁ ଉକ୍ତ ଆବଶ୍ୟକତାକୁ ପୂରଣ ନିମନ୍ତେ ପତ୍ର ମାଧ୍ୟମରେ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୭ଟି ବିଭିନ୍ନ କାର୍ଯ୍ୟ ପଂଚାୟତ ଊପସ୍ୱାସ୍ଥ୍ୟ କେନ୍ଦ୍ର,ଜଳ ଓ ପରିମଳ ବିଭାଗ କ୍ୱାର୍ଟର,ପଥପ୍ରାନ୍ତ ସୁବିଧା କେନ୍ଦ୍ର(ବିଟିପୁର ସୁଲଭ ଶୌଚାଳୟ ପାଖରେ),ଲକ୍ଷ୍ମୀ ବସ୍‌ଷ୍ଟପ୍‌(ଲକ୍ଷ୍ମୀ ବଜାର ନିକଟରେ),ଶ୍ମଶାନଘାଟ,ନକୁଳ ଚୁଆ ପୋଖରୀ ସୌନ୍ଦର୍ଯ୍ୟକରଣ ଏବଂ ଗ୍ରାମ୍ୟ ଊନ୍ନୟମ ବିଭାଗ ୨ଗୋଟି କାର୍ଯ୍ୟ ଆଦି ପ୍ରକଳ୍ପ ନିର୍ମାଣ ଏବଂ ତତ୍‌ସହିତ ପଂଚାୟତରେ ଏକ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ନିମନ୍ତେ ସରକାରୀ ଜାଗାର ଆବଶ୍ୟକତାକୁ ଆଖି ଆଗରେ ରଖି ଅପବ୍ୟବହୃତ ସରକାରୀ ଜାଗାକୁ ଖୋଜି ବାହାର କରିବା ସହିତ ଏହାକୁ ପଂଚାୟତକୁ ହସ୍ତାନ୍ତର କରିବା ପାଇଁ ଶ୍ରୀ ମଲ୍ଲିକ ଗତ ଅଗଷ୍ଟ ମାସରେ ତହସିଲଦାର,ବନ୍ତଙ୍କୁ ପତ୍ର ମାଧ୍ୟମରେ ନିବେଦନ କରିଥିଲେ । କିନ୍ତୁ ଇତି ମଧ୍ୟରେ ୭ମାସରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ସୁଦ୍ଧା ବ୍ଲକ ପ୍ରଶାସନ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେହିପରି ଉନ୍ନୟନ ମୂଳକ କାର୍ଯ୍ୟରେ ଜବରଦଖଲ ମଧ୍ୟ ବାଧା ସୃଷ୍ଟି କରୁଥିବାରୁ ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ ନିମନ୍ତେ ପଂଚାୟତ ପକ୍ଷରୁ ଗତ ଜାନୁଆରୀ ମାସରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପରେ ଜିଲ୍ଲାପାଳ ବ୍ଲକ ପ୍ରଶାସନକୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ନିର୍ଦ୍ଦେଶକୁ ଆଧାର କରି ବ୍ଲକ ବିଡ଼ିଓ ବିଟିପୁର ପଂଚାୟତକୁ ଜାନୁଆରୀ ୩୦ରେ ଆସି ବିଭିନ୍ନ ସମସ୍ୟାର ଅନୁଧ୍ୟାନ କରି ତହସିଲଦାରଙ୍କୁ ପଂଚାୟତର ସୀମା ଚିହ୍ନଟ କରିବା ସହ ଜବରଦଖଲରେ ଥିବା ଜାଗାକୁ ଜବରଦଖଲ ମୁକ୍ତ କରିବା ଏବଂ ଉନ୍ନୟନମୂଳକ କାର୍ଯ୍ୟକୁ ସୁରୁଖୁରୁରେ ଆଗେଇ ନେବା ପାଇଁ ଉଚିତ୍ ପଦକ୍ଷେପ ଗ୍ରହଣ କରିବା ପାଇଁ ନିବେଦନ କରିଥିଲେ । ପରେ ତହସିଲଦାର ଜବରଦଖଲରେ ଥିବା ଜାଗାକୁ ଚିହ୍ନଟ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହୋଇପାରୁନଥିବା ଜଣାପଡ଼ିଛି । ପ୍ରଥମେ ବିଧାୟକଙ୍କ ଅନୁରୋଧ ତା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଓ ପରେ ବିଡ଼ିଓଙ୍କ ପତ୍ର ମାଧ୍ୟମରେ ଅନୁରୋଧ । ଏତେ ପରେବି ତହସିଲଦାରଙ୍କ ବିଟିପୁର ପଂଚାୟତର ଉନ୍ନୟନମୂଳକ କାର୍ଯ୍ୟକୁ ଅଣଦେଖା କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେଣୁ ପଂଚାୟତର ଉନ୍ନତିକୁ ଆଖିଆଗରେ ରଖି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଆଗରୁ ପଂଚାୟତର ଉନ୍ନୟନ ମୁଳକ କାର୍ଯ୍ୟରେ ବିଭିତ ପଦକ୍ଷେପ ନେବାକୁ ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

Shrutilipi ad