- ପଂଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ କାର୍ଯ୍ୟ କାରି ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତିର ସମୀକ୍ଷା
ବାରିପଦା: ବିଧାନସଭାର ୯ମ ଷ୍ଟାଣ୍ଡିଙ୍ଗ କମିଟିର ଅଧ୍ୟକ୍ଷ ତଥା ସଦସ୍ୟ ବୃନ୍ଦ ୨ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ ରେ ଆସି ଜିଲ୍ଲାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ରେ କାର୍ଯ୍ୟକାରି ହେଉଥିବା ବିଭିନ୍ନ ସରକାରୀ ଯୋଜନାର ପ୍ରକଳ୍ପ ଗୁଡିକ ଅଗ୍ରଗତି ଓ ଏହାର ସମୀକ୍ଷା କରିଥିଲେ।
ମାନ୍ୟବର ବିଧାୟକ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ କମିଟିର ଅନ୍ୟାନ୍ୟ ସଦସ୍ୟ ତଥା ବିଧାୟକଗଣ ପ୍ରଥମ ଦିନ ତା ୨୯-୦୪-୨୦୨୫ ରିଖ ଅପରାହ୍ନ ରେ କ୍ଷେତ୍ର ପରିଦର୍ଶନ ରେ ଉଠାଣି ନୂଆଗାଁ ର ମେଗା ପାନୀୟ ଜଳ ପ୍ରକଳ୍ପର ର ସ୍ଥିତି ଅନୁଧ୍ୟାନ କରିବା ସହ ଗ୍ରାମ୍ୟ ଉନ୍ନୟନ ଅଧୀନରେ ଗମନାଗମନ ପାଇଁ ନିର୍ମାଣ ହେଉଥିବା ସଡ଼କ, ପୋଲ ଇତ୍ୟାଦିର କାର୍ଯ୍ୟର ଅଗ୍ରଗତି ର ସମୀକ୍ଷା କରିଥିଲେ।
ସେହିପରି ଦ୍ଵିତୀୟ ଦିନ ତା. ୩୦-୦୪-୨୦୨୫ ରିଖ କମିଟି ଶିମିଳିପାଳ ର ଦୁର୍ଗମ ଅଂଚଳ ପରିଦର୍ଶନ ରେ ଯାଇ ଗମନାଗମନ, ଆବାସ ଓ ପାନୀୟ ଜଳ ଯୋଗାଣର ସ୍ଥିତି କୁ ଅନୁଧ୍ୟାନ କରିଥିଲେ। ଅପରାହ୍ନରେ ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ କମିଟିର ଅଧ୍ୟକ୍ଷ ଶ୍ରୀ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତା ରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ସମୀକ୍ଷା ବୈଠକ ରେ କମିଟି ର ସଦସ୍ୟ ବଡ଼ଚଣା ବିଧାୟକ ଶ୍ରୀ ଅମର ନାୟକ, କବିସୂର୍ଯ୍ୟ ନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ, ଲକ୍ଷ୍ମୀପୁର ବିଧାୟକ ଶ୍ରୀ ପବିତ୍ର ସାଉଁନ୍ତା, ଖଣ୍ଡପଡା ବିଧାୟକ ଶ୍ରୀ ଦୁଷ୍ମନ୍ତ କୁମାର ସ୍ୱାଇଁ, କରଞ୍ଜିଆ ବିଧାୟକ ଶ୍ରୀ ପଦ୍ମ ଚରଣ ହାଇବୁରୁ ଯୋଗ ଦେଇଥିଲେ। ତତ ସହିତ ସ୍ଥାନୀୟ ବିଧାୟକ ବାରିପଦା ଶ୍ରୀ ପ୍ରକାଶ ସୋରେନ ଓ ସାରସକଣା ବିଧାୟକ ଶ୍ରୀ ଭାଦବ ହାଁସଦାଙ୍କ ସହ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା ଯୋଗ ଦେଇଥିଲେ। ବୈଠକ ଆରମ୍ଭ ରେ ଜିଲ୍ଲାପାଳ ଶ୍ରୀ ସୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ଏହି ବୈଠକରେ କମିଟିର ଅଧକ୍ଷ ତଥା ଅନ୍ୟାନ୍ୟ ସଦସ୍ୟ ମାନ୍ୟବର ବିଧାୟକଗଣ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ପଂଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ କାର୍ଯ୍ୟ କାରି ହେଉଥିବା ବିଭିନ୍ନ ଜନ କଲ୍ୟାଣ କାରି ଉନ୍ନୟନ ମୂଳକ ଯୋଜନା ଗୁଡିକର ସ୍ଥିତି ଓ ଅଗ୍ରଗତି ବିଷୟରେ ଆଲୋଚନା କରିଥିଲେ।
ଆଲୋଚନା ପ୍ରସଙ୍ଗରେ କମିଟି ର ଅଧ୍ୟକ୍ଷ ତଥା ମାନ୍ୟବର ବିଧାୟକ ଶ୍ରୀ ବିଜୁଳି କହିଥିଲେ ଯେ ବର୍ତମାନ ଗ୍ରୀଷ୍ମ ପ୍ରବାହ ସମୟରେ ଲୋକମାନଙ୍କ ମୌଳିକ ଆବଶ୍ୟକତା ହେଉଛି ପାନୀୟ ଜଳ। ତେଣୁ ଏହାକୁ ଗୁରୁତର ସହିତ ଧ୍ୟାନ ଦେଇ ପ୍ରକଳ୍ପ କାର୍ଯ୍ୟ ଗୁଡିକ ତରାନ୍ୱିତ କରି ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦେଶ ଦେଇଥିଲେ। ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଗମନା ଗମନ ପାଇଁ ବିଭିନ୍ନ ସ୍ଥାନରେ ନଦୀ ଉପରେ ନିର୍ମାଣ ହେଉଥିବା ପୋଲ ଗୁଡିକ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ମଧ୍ଯ ନିର୍ଦେଶ ଦେଇଥିଲେ। ଏତଦ ବ୍ୟତୀତ ପ୍ରଧାନମନ୍ତ୍ରୀ ଆବାସ, ପି ଏମ ଜନ ମନ ଯୋଜନା, ଅନ୍ତଦ୍ୟୋୟ ଗୃହ ଯୋଜନା ର ସର୍ଭେ, ରାସନ କାର୍ଡ ବଣ୍ଟନ, ଏନ ଆର ଇ ଜି ଏସ ଅଧୀନରେ ବିଭିନ୍ନ ଯୋଜନା ଇତ୍ୟାଦିର ସମୀକ୍ଷା କରିଥିଲେ।
ଶେଷରେ କମିଟିର ଅଧକ୍ଷ ଜିଲ୍ଲାର ସାମଗ୍ରିକ ବିକାଶ ତଥା ପ୍ରତ୍ୟେକ ଯୋଗ୍ୟ ଲୋକମାନଙ୍କ ପାଖରେ ସରକାରୀ ଯୋଜନା କିପରି ସହଜ ଓ ସରଳରେ ପହଂଚି ପାରିବ ସେ ସମ୍ବନ୍ଧରେ ବିଭାଗୀୟ ଅଧିକାରୀ ମାନଙ୍କୁ ଯତ୍ନବାନ ହେବା ପାଇଁ ପରାମର୍ଶ ଦେବା ସହ ବିଭିନ୍ନ ଜନକଲ୍ୟାଣକାରି ପ୍ରକଳ୍ପ କାର୍ଯ୍ୟ ଗୁଡିକ ନିର୍ଧାରିତ ସମୟ ଅବଧି ମଧ୍ୟରେ ସମ୍ପୂର୍ଣ୍ଣ କରାଇବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ଯଥୋଚିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।
ବୈଠକ ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

