ବାରିପଦା: ସ୍ଥାନିୟ ପୋଡା ଅସ୍ତିଆଠାରେ ଥିବା ନବଯୁଗ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଆଇନଜୀବି ତଥା ସମାଜସେବୀ ଅଶ୍ୱିନୀ କୁମାର ମହାନ୍ତଙ୍କ ସଭାପତିତ୍ୱରେ ବିଦ୍ୟାଳୟ ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ “ପ୍ରତିଶ୍ରୁତି” ପତ୍ରିକାର ସମ୍ପାଦକ ବରିଷ୍ଠ ସାହିତ୍ୟିକ ଓ ଜଗନ୍ନାଥ ସଂସ୍କୃତିର ଗବେଷକ ଭାଗବତ ପଣ୍ଡା ମୁଖ୍ୟ ଅତିଥି, ସମାଜସେବୀ ତଥା ସାମ୍ବାଦିକ କାଶୀନାଥ ସିଂ, ମୁଖ୍ୟବକ୍ତା ତଥା ସୁନାରାମ ମହାନ୍ତ ଓ ସୁମନ୍ତ କୁମାର ମହାନ୍ତ ସମ୍ମାନିତ ଅତିଥିଭାବେ ମଞ୍ଚାସିନ ଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଣ୍ଡା ଉତ୍ତମ ପରିବେଶ ହିଁ ଛାତ୍ର ଛାତ୍ରୀଙ୍କୁ ସଫଳ ମଣିଷ କରିବାରେ ସହାୟକ ହୋଇଥାଏ ବୋଲି କହିବା ସହିତ ସତ୍ୟବାଦତା, ନିଭୀକତା ଓ ଏକାଗ୍ରତା ଗୁଣ ଗୁଡିକ ପିଲାଙ୍କ ଜୀନବ ନିର୍ମାଣ କରି ସାର୍ଥକ ମଣିଷ କରିବାରେ ପ୍ରମୁଖ ଭୂମିକା ନିଭାଇଥାଏ ବୋଲି କହିଥିଲେ । ମୁଖ୍ୟବକ୍ତା ଶ୍ରୀଯୁକ୍ତ ସିଂ ଛାତ୍ର ଛାତ୍ରୀମାନଙ୍କର ନୈବିକ ଓ ଶୃଙ୍ଖଳିତ ଜୀବନ ହିଁ ଅନ୍ୟମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିଥାଏ ବୋଲି ଉଲ୍ଲେଖ କରିଥିଲେ । ବିଦ୍ୟାଳୟର ପ୍ରତିଷ୍ଠତା ସମ୍ପାଦକ ଆଶିଷ କୁମାର ମହାନ୍ତି ନୃତ୍ୟ ସଂଗୀତ ପ୍ରଭୃତି କଳାତ୍ମକ କାର୍ଯ୍ୟକ୍ରମ ପିଲାମାନଙ୍କ ଅନ୍ତର୍ନିହିତ ଗୁଣର ବିକାଶ ଘଟାଏ ବୋଲି ବକ୍ତବ୍ୟରେ କହିଥିଲେ । ବିଦ୍ୟାଳୟର ପ୍ରଧାନ ଗୁରୁମା ଅର୍ଚ୍ଚନା ସିଂ ବାର୍ଷିକ ବିବରଣୀ ପ୍ରଦାନ କରିଥିବା ବେଳେ ଅନ୍ୟତମ ଗୁରୁମା କୁଞ୍ଜଲତା ସିଂ ମଞ୍ଚାସିନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ରୂପମ୍ ରାମ ଓ ସଞ୍ଜୟ ନାଏକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ ପରିଶେଷରେ ସମ୍ପାଦକ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

