ଯୋଜନାକୁ ୩ ବର୍ଷ ପୂରିଲା, କାମରେ ଲାଗୁନି ଆବର୍ଜନା ପୃଥକୀକରଣ କେନ୍ଦ୍ର

ରାଜ୍ୟ

ଆଗରପଡ଼ା :ସରକାର ପରିବେଶକୁ ସରସ ଓ ସୁନ୍ଦର କରିବା ସହ ଆବର୍ଜନା ମୁକ୍ତ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ ନିର୍ମିତ ହୋଇଥିବା ଆବର୍ଜନା ପୃଥକୀକରଣ କେନ୍ଦ୍ର କୌଣସି କାମରେ ଲାଗି ପାରୁନଥିବାରୁ ଏକ ସଫଳ ଯୋଜନା ଅସଫଳ ହୋଇଛି ବୋଲି ଅଭିଯୋଗ ହେଉଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଆନୁକୁଲ୍ୟରେ ସ୍ୱଚ୍ଛ ଭାରତ ମିଶନ ପକ୍ଷରୁ ଏକଲକ୍ଷ ଟଙ୍କା ବ୍ୟୟରେ ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ ଆବର୍ଜନା ପୃଥକୀ କରଣ କେନ୍ଦ୍ରମାନ ନିର୍ମାଣ କରାଯାଇଥିଲା । ଇତି ମଧ୍ୟରେ ନିର୍ମାଣକୁ ୩ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ବିଭିନ୍ନ ପଂଚାୟତରେ ଏହା ତାର ମୂଳ ଲକ୍ଷ୍ୟ ଠାରୁ ବହୁ ଦୂରରେ ରହିଯାଇଥିବା ବେଳେ କାର୍ଯ୍ୟକ୍ଷମ ନହେଉଣୁ ଛୟାଳସିଂହ ପଂଚାୟତର ଛୟାଳସିଂହ ଗ୍ରାମରେ ନିର୍ମିତ କେନ୍ଦ୍ରର ଅଧା ଛାତ(ଆଜବେଷ୍ଟସ)ଉଡ଼ି ଯାଇଥିବା ବେଳେ ଅନ୍ୟ ପଂଚାୟତରେ ନିର୍ମିତ କେନ୍ଦ୍ର କାମରେ ଲାଗି ପାରିନିି ।

Photo3 for the news of dustbin

ସୁନ୍ଦର ରଙ୍ଗ କାମକୁ ତିନି ଗୋଟି ଅଲଗା ଅଲଗା କୋଠରୀ ନିର୍ମାଣ କରାଯାଇଥିବା ବେଳେ ନିର୍ମିତ କେନ୍ଦ୍ରର କାନ୍ଥ ଚାରିପଟେ ଏହାର ଉପଯୋଗିତା ଉପରେ ବ୍ୟଙ୍ଗ ଚିତ୍ର ମଧ୍ୟ ଅଙ୍କା ଯାଇଛି । କିନ୍ତୁ ନିର୍ମାଣକୁ ବହୁଦିନ ବିତିଯାଇଥିଲେ ସୁଦ୍ଧା ଏହା କାମରେ ଲାଗି ପାରୁନଥିବାରୁ ଉକ୍ତ ଯୋଜନାର ସଫଳ ରୂପାୟନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅପର ପକ୍ଷରେ କାଦବରାଙ୍ଗ ପଂଚାୟତରେ ନିର୍ମିର କେନ୍ଦ୍ରଟି କାଦବରାଙ୍ଗ ବଜାର ଅଂଚଳରେ ନିର୍ମିତ ହୋଇଥିବାରୁ ବଜାର ଅଂଚଳ ସ୍ୱଚ୍ଚ ରହିବାରେ ଏହାର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଥିବା ବେଳେ କୁଣ୍ଡ ପଡ଼ିଛି ଫାଙ୍କା କିନ୍ତୁ ବାହାରେ ଗଦା ଗଦା ଅଳିଆ ପଡ଼ି ପରିବେଶକୁ ପ୍ରଦୂଷଣ କରୁଥିବା ଦେଖିବାକୁ ମିଳୁଛି । ପ୍ରକଳ୍ପ ନିର୍ମାଣ ହେଉଛି କିନ୍ତୁ ଏହାର ବ୍ୟବହାର ଓ କାର୍ଯ୍ୟକାରିତା ଉପରେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ପ୍ରକଳ୍ପର ସଫଳ ରୂପାୟନ ହୋଇପାରୁନଥିବା ଉକ୍ତ ପ୍ରକଳ୍ପକୁ ଦେଖିଲେ ସ୍ପଷ୍ଟ ବାରୀ ହୋଇ ପଡ଼ୁଛି । ସେହିପରି ବିଟିପୁର ପଂଚାୟତରେ ନିର୍ମିତ କେନ୍ଦ୍ରର ଆବଶ୍ୟକତା ଥିଲେ ସୁଦ୍ଧା ତାହା ନିର୍ମାଣର ବହୁଦିନପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇନପାରି ପଡ଼ିରହିଛି । ଯାହାକି ସ୍ୱଚ୍ଛ ଭାରତର ସ୍ୱଜ୍ଝତା ପ୍ରତି ଉପହାସ ସଦୃଶ ହୋଇଛି । ତେଣୁ ପରିବେଶକୁ ସରସ ଓ ସୁନ୍ଦର କରିବା ସହ ଆବର୍ଜନା ମୁକ୍ତ କରିବା ପାଇଁ ଲକ୍ଷାଧିକ ଟଙ୍କାରେ ନିର୍ମିତ ଏକ ସଫଳ ଯୋଜନା ଅସଫଳ ହେବା ଆଗରୁ କିପରି କାର୍ଯ୍ୟକ୍ଷମ ହୋଇ ପାରିବ ସେଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Photo2 for the news of dustbin

Shrutilipi ad