ବାରିପଦା: ଅଖିଳ ଭାରତ ଟ୍ରେଡ ୟୁନିଅନ କଂଗ୍ରେସ, ଏଆଇଟିୟୁସି ମୟୂରଭଞ୍ଜ ଜିଲ୍ଲା ସମ୍ମେଳନ ସ୍ଥାନୀୟ ହାମିଲଟନ ଆମ୍ବ ବଗିଚାରେ ମହିଳା ଶ୍ରମିକ ସାଥୀ ସୁବାସିନୀ ବିନ୍ଧାଣିକ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସମ୍ମେଳନକୁ ସିପିଆଇ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ସାଥୀ ଡା ପ୍ରଶାନ୍ତ ମିଶ୍ର ଉଦଘାଟନ କରି କହିଥିଲେ, କେନ୍ଦ୍ରରେ ବିଜେପି କ୍ଷମତା ଦଖଲ କଲା ପରେ କର୍ପୋରେଟ ସ୍ୱାର୍ଥରେ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ଶ୍ରମ ଆଇନ ଗୁଡିକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଂକ ବିନା ସହମତିରେ ବଦଳେଇ ୪ ଟି ଶ୍ରମ କୋଡ଼ରେ ରୂପାନ୍ତରିତ କରିବା ଦ୍ଵାରା ଶ୍ରମିକର ମୈଳିକ ଅଧିକାର ଛଡ଼ାଇ ନିଆ ଯାଉଛି। ଦେଶର ବିଭିନ୍ନ ବର୍ଗର ଶ୍ରମିକମାନେ ସର୍ବ ନିମ୍ନ ମଜୁରୀ ନିର୍ଦ୍ଧାରଣ ଆଇନ୍ ର ପରିସରରେ ନ ଆସିବା ପ୍ରଶ୍ନ ସରକାରୀ ପ୍ରାୟୋଜିତ କଳକୁ ଅଂଗୁଳି ନିର୍ଦେଶ କରୁଛି। ଠିକ୍ ସେହିପରି ନିର୍ବାଚିତ ସରକାର ସମ୍ବିଧାନ ପ୍ରଦତ୍ତ ଅଧିକାର ଉପରେ ହସ୍ତକ୍ଷେପ କରି ପଙ୍ଗୁ କରିବା ଏକଛତ୍ରବାଦର ନିଦର୍ଶନ, ଯାହା ପାଇଁ ମେ ୫ ଓ ମେ ୨୦ ଶ୍ରମିକ ଶ୍ରେଣୀକୁ ବାଧ୍ୟ କରିଛି ରାଜରାସ୍ତାକୁ ଓହ୍ଲାଇବାକୁ।ଦର ବୃଦ୍ଧି ହେତୁ ଶ୍ରମିକ ପାଉଥିବା ମଜୁରୀ ପରିବାର ଚଳାଇବା ପାଇଁ ନିଅଣ୍ଟ। ତେଣୁ ସର୍ବ ନିମ୍ନ ମଜୁରୀ ବୃଦ୍ଧିକୁ ନେଇ ମେ ୫ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହେବା ସହ ମେ ୨୦ କେନ୍ଦ୍ର ସରକାରର ଶ୍ରମିକ, କୃଷକ, ସାଧାରଣ ମଣିଷ ମାରଣ ନୀତି ବିରୋଧରେ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଅନୁଷ୍ଠିତ ହେବାକୁ ଯାଉଥିବା ସୂଚନା ଏଆଇଟିୟୁସି, ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର ଦେଇଛନ୍ତି।ନିର୍ମାଣ ଶ୍ରମିକ ଫରେଷ୍ଟ ଉଡର ନେତା ସାଥୀ କାହ୍ନୁଚରଣ ବେହେରା ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ବର୍ଷ ବର୍ଷ ଧରି ପଡିରହିଥିବା ସହାୟତା ରାଶିର ଆବେଦନକୁ କାର୍ଯ୍ୟକାରୀ ନ କରି ପାତର ଅନ୍ତର ନୀତିରେ କରାଯିଉଥିବା ଅଭିଯୋଗ ସହ ଭୂମିହୀନ ଶ୍ରମିକଙ୍କୁ ଜମିର ପଟ୍ଟା ଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ଦାବି ରଖିଛନ୍ତି।କେନ୍ଦ୍ରୀୟ ଯୋଜନାରେ ସ୍କିମ ୱାର୍କର ମାନଙ୍କର ବିବିଧ ସମସ୍ୟାକୁ ନେଇ ବାରମ୍ବାର ଆନ୍ଦୋଳନ ଜରିଆରେ କେନ୍ଦ୍ର ସରକାର ଅବଗତ ଥାଇ ସୁଦ୍ଧା ମାସିକ ୨୬ ହଜାର ଟଙ୍କା ମଜୁରୀକୁ କାର୍ଯକାରୀ କରାଯାଉ ନାହିଁ ବୋଲି ନିଖିଳ ଓଡ଼ିଶା ଏମ୍ ଡି ଏମ୍ ପାଚିକା ସହାୟିକା ସଂଘ ଜିଲ୍ଲା ସମ୍ପାଦିକା ମଧୁସ୍ମିତା ମହାନ୍ତ,ଲିଳାବତୀ ସିଂ, ନନ୍ଦିନୀ ମହାରଣା, ମାଳତୀ ସୋରେନ ଆଲୋଚନାରେ ଅଂଶଗ୍ରହଣ କରି କ୍ଷୋଭ ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ମହାନ୍ତି, ସୁକାନ୍ତି ନାଏକ, ବାସନ୍ତୀ ମହାନ୍ତ, ସଞୁଲତା ମହାକୁଡ଼, ମମତା ମିଶ୍ର, ମହେଶ୍ୱର ବେହେରା, ଶ୍ରେଷ୍ଠା ଆଚାର୍ଯ୍ୟ, ଦ୍ରୋପଦୀ ରାଉତ, ସସ୍ମିତା ବାରିକ,ସୁକୁରା ନାଏକ, ହେମଲତା ମହାନ୍ତ, ମଞ୍ଜୁଲତା ପାତ୍ର,ବୁଦୁ ସୋରେନ, ନିର୍ମଳି ହାଁସଦା, ସୁନେଲି ନାଏକ, ଦିବାକର ସିଂ ପ୍ରମୁଖ ଶତାଧିକ ଶ୍ରମିକ ସାଥୀମାନେ ଉପସ୍ଥିତ ଥିଲେ।

