- ଦେବଦୁତ ସାଜିଲେ ଜିଲ୍ଲା ଶିକ୍ଷା ଅଧିକାରୀ
ବାରିପଦା : ସ୍ଥାନୀୟ ତକତପୁର ଅଂଚଳରେ ଅଜା ଘରେ ରହି ନିକଟସ୍ଥ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ୫ମ ଶ୍ରେଣୀରେ ପଢ଼ୁଥିଲେ ୧୦ ବର୍ଷର ବାଳକ ବୈଭବ ମହାନ୍ତ I ମାତ୍ର ପାରିବାରିକ ଅବସ୍ଥା ଦିନକୁ ଦିନ ଖରାପ ହେବାରୁ ସେ ଆଉ ବିଦ୍ୟାଳୟକୁ ଯିବା ପାଇଁ ମନ ବଳାଇଲେ ନାହିଁ I ଖବର ପାଇ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି ପିଲାଟିକୁ ସାକ୍ଷାତ କରି ଷ୍ଟେସନ ବଜାର ସ୍ଥିତ ଆର ଡି ଏ ସି ଶିଶୁ ପ୍ରଯତ୍ନ କେନ୍ଦ୍ରରେ ଥଇଥାନ କରିବା ସହ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନହରପଦା ରେ ନାମ ଲେଖାଇ ତା’ର ପାଠପଢାକୁ ନିୟମିତ କରାଇଛନ୍ତି I ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଷ୍ନୁପ୍ରିୟା ନାୟକ ପିଲାଟିକୁ ଦୁଇ ଯୋଡ଼ା ସ୍କୁଲ ପୋଷକ ଏବଂ ବହିପତ୍ର ପ୍ରଦାନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଆର ଡି ଏ ସି ର ଅଧିକ୍ଷକ ବିଷ୍ଣୁ ନାରାୟଣ ପଟ୍ଟନାୟକ, ବରିଷ୍ଠ ଶିକ୍ଷୟତ୍ରୀ ସୁଦୀପ୍ତା ବେହେରା, ଅବସରପ୍ରାପ୍ତ ଶିକ୍ଷକ ବଳରାମ ନାଥ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ I ପୁଣି ଥରେ ପରିବାରକୁ ଫେରିବା ପର୍ଯ୍ୟନ୍ତ ବୈଭବର ସ୍ୱତନ୍ତ୍ର ଯତ୍ନ ନେବା ପାଇଁ ଶ୍ରୀ ସେଠି ଫୋନ ମାଧ୍ୟମରେ ଆର ଡି ଏ ସି ର ନିର୍ଦ୍ଦେଶକ ବିଜୟ କୁମାର ବେହେରାଙ୍କୁ ଅନୁରୋଧ କରିଥିଲେ I ଗୋଟିଏ ଅସହାୟ ଶିଶୁ ପାଇଁ ଦେବଦୁତ ସାଜି ପୁଣିଥରେ ତାକୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିଥିବାରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଥିଲେ I ତତସହିତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିଜ ନିଜ ଅଂଚଳରେ କୌଣସି କାରଣରୁ ସ୍କୁଲକୁ ଆସୁ ନଥିବା ପିଲାମାନଙ୍କୁ ତୁରନ୍ତ ବିଦ୍ୟାଳୟକୁ ଫେରାଇ ଆଣିବାପାଇଁ ସହାୟକ ହେବେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସେଠି ଆଶା ପୋଷଣ କରିଛନ୍ତି I
