ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ସେଣ୍ଟର ଫର୍ ଶିମିଳିପାଳ ଷ୍ଟଡ଼ିଜ୍ ଓ ଯଶିପୁରସ୍ଥିତ ସେଣ୍ଟର ଫର୍ ରିଜିଓନାଲ୍ ଏଜୁକେସନ ଫରେଷ୍ଟ ଆଣ୍ଡ୍ ଟୁରିଜିମ ଡେଭଲପମେଣ୍ଟ ଏଜେନ୍ସି (ସିଆର୍ଇଏଫ୍ଟିଡିଏ)ର ମିଳିତ ସହଯୋଗରେ ଶିମିଳିପାଳ ଜୈବବିବିଧତା ଉତ୍ସବ ଅବସରରେ ଏକଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଯୋଗଦାନ କରି ନିଜ ବକ୍ତବ୍ୟରେ ଶିମିଳିପାଳର ଜୈବ ବିବିଧତା ଓ ପରିବେଶ ସୁରକ୍ଷାରେ ତାର ଭୂମିକା ସମ୍ବନ୍ଧରେ ଆଲୋକପାତ କରିଥିଲେ । ମୟୂରଭଞ୍ଜର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ଡକ୍ଟର ପି.ସି. ଗୋଗ୍ନେନୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିମିଳିପାଳର ସାମ୍ପ୍ରତିକ ସ୍ଥିତି ଓ ତାର ସୁରକ୍ଷା ଉପରେ ଅଭିଭାଷଣ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଏଫ୍ଇଏସ୍ ସଂସ୍ଥାର ସିନିୟର ପ୍ରୋଗ୍ରାମ ମ୍ୟାନେଜର ଡକ୍ଟର ଜ୍ୟୋତି ପ୍ରକାଶ ରଥ ଯୋଗଦାନ କରି ଶିମିଳିପାଳର ସମ୍ପର୍କରେ ଏକ ସାରଗର୍ଭକ ଅଭିଭାଷଣ ରଖିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ବାରିପଦାର ଶିମିଳିପାଳ ଅଭୟାରଣ୍ୟର ଉପନିର୍ଦ୍ଦେଶକ ଡକ୍ଟର ସମ୍ରାଟ ଗୌଡ଼ା ଯୋଗଦାନ କରି ଶିମିଳିପାଳରେ ବନ୍ୟଜନ୍ତୁ ମାନଙ୍କର ଅବସ୍ଥିତିର ଏକ ଚିତ୍ର ପ୍ରଦାନ କରିଥିଲେ । ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ ତଥା ଆବାହକ ପ୍ରଫେସର ହେମନ୍ତ କୁମାର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସିଆର୍ଇଏଫ୍ଟିଡିଏ ସଂସ୍ଥାର ଯୁଗ୍ମ ସମ୍ପାଦକ ଶ୍ରୀ ନିହାର ରଞ୍ଜନ ମିଶ୍ର କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ ଓ ଉପସଭାପତି ଡକ୍ଟର ବିଜୟଶ୍ରୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଐତିହାସିକ ଉତ୍ସବରେ ବିଶ୍ୱବିଦ୍ୟାଳୟର ପ୍ରାଣୀବିଜ୍ଞାନ, ବନ୍ୟପ୍ରାଣୀ ଓ ଜୈବବିବିଧତା ସଂରକ୍ଷଣ, ସାନ୍ତାଳୀ, ଅର୍ଥନୀତି, ରାଜନୀତି ବିଜ୍ଞାନ, ସାମାଜିକ କାର୍ଯ୍ୟ, ଜୈବପ୍ରଯୁକ୍ତି ଆଦି ବିଭାଗର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ ।

