IMG 20260313 WA0159

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ବିବାହ ବନ୍ଧନରେ ବାନ୍ଧି ହେଲେ ୪୩ ଦମ୍ପତି 

ରାଜ୍ୟ
ବାରିପଦା : ରାଜ୍ୟ ସରକାରଙ୍କ ସାମାଜିକ କଳ୍ୟାଣମୂଳକ ପଦକ୍ଷେପ ଭାବେ ଆରମ୍ଭ ହୋଇଥିବା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଆର୍ଥିକ ଦୁର୍ବଳ ଶ୍ରେଣୀର କନ୍ୟାମାନଙ୍କୁ ବିବାହ ସମୟରେ ସହାୟତା ପ୍ରଦାନ କରି ସମାଜରେ ସାମାଜିକ ସୁରକ୍ଷା ଓ ସମତା ସୃଷ୍ଟି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରୂପେ ପ୍ରମାଣିତ ହେଉଛି। ଏହି ଯୋଜନା ମାଧ୍ୟମରେ ଯୋଗ୍ୟ ହିତାଧିକାରୀ କନ୍ୟାମାନଙ୍କ ବିବାହକୁ ସମୂହ ଭାବେ ସମ୍ପନ୍ନ କରାଯାଇ ସେମାନଙ୍କୁ ଏକ ସୁନ୍ଦର ଓ ସୁରକ୍ଷିତ ଭବିଷ୍ୟତ ପାଇଁ ପ୍ରେରିତ କରାଯାଉଛି ।
ଏହି ପରିପ୍ରେକ୍ଷୀରେ ଆଜି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ବାରିପଦା ସ୍ଥିତ ଛଉ ପଡ଼ିଆ ଠାରେ ଏକ ବିଶାଳ ସମୂହ ବିବାହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ମୋଟ ୪୩ ଯୋଡ଼ି ବର ଓ ବଧୂ ପାରମ୍ପରିକ ରୀତିନୀତି ଅନୁସାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏହି ମାଙ୍ଗଳିକ କାର୍ଯ୍ୟକ୍ରମ ନବଦମ୍ପତ୍ତିମାନଙ୍କ ଜୀବନରେ ନୂଆ ଆଶା, ଆନନ୍ଦ ଓ ଆତ୍ମବିଶ୍ୱାସ ସୃଷ୍ଟି କରିଥିଲା।
ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ନବଦମ୍ପତ୍ତିମାନଙ୍କୁ ତାଙ୍କର ନୂତନ ବୈବାହିକ ଜୀବନ ପାଇଁ ଶୁଭେଚ୍ଛା ଓ ଆଶୀର୍ବାଦ ଜଣାଇଥିଲେ। ତାଙ୍କ ଅଭିଭାଷଣରେ ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସହାୟକ ହେବ। ଏହା ମାଧ୍ୟମରେ ଆର୍ଥିକ ଦୁର୍ବଳ ପରିବାରମାନେ ନିଜ କନ୍ୟାଙ୍କ ବିବାହ ସମୟରେ ଆର୍ଥିକ ଚାପରୁ ମୁକ୍ତି ପାଇପାରିବେ ଏବଂ ସମ୍ମାନପୂର୍ଣ୍ଣ ଭାବରେ ସେମାନଙ୍କ ଜୀବନ ଯାପନ କରିପାରିବେ।
ସେ ଆହୁରି କହିଥିଲେ ଯେ, ଏହି ଯୋଜନା ମାଧ୍ୟମରେ ବିଧବା ବିବାହକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି, ଯାହା ଦ୍ୱାରା ସମାଜରେ ସାମାଜିକ ସଚେତନତା ବୃଦ୍ଧି ପାଇବା ସହିତ ବିଧବାମାନଙ୍କୁ ପୁନର୍ବାର ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇ ସେମାନଙ୍କୁ ସଶକ୍ତିକରଣ କରାଯାଇପାରିବ ।
ଏହି ଯୋଜନା ଅନୁସାରେ ପ୍ରତ୍ୟେକ କନ୍ୟାଙ୍କୁ ସରକାରଙ୍କ ପକ୍ଷରୁ ସର୍ବମୋଟ ୬୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏଥିରୁ ୪୫,୦୦୦ ଟଙ୍କା Direct Benefit Transfer (DBT) ମାଧ୍ୟମରେ ସିଧାସଳଖ କନ୍ୟାଙ୍କ ବ୍ୟାଙ୍କ ଖାତାରେ  ଜମା ହେବାର ବ୍ୟବସ୍ଥା ରହିଛି। ଅବଶିଷ୍ଟ ୧୫,୦୦୦ ଟଙ୍କା ବିବାହ ସମ୍ପର୍କିତ ଆନୁସଙ୍ଗିକ ଖର୍ଚ୍ଚ ପାଇଁ ନିୟୋଜିତ କାର୍ଯ୍ୟକାରୀ ସଂସ୍ଥା ଗ୍ରାମୀଣ ବିକାଶ କାର୍ଯ୍ୟକାରୀଣୀ କମିଟି (RDAC) କୁ ପ୍ରଦାନ କରାଯାଇଛି।
ଏହି ସମୂହ ବିବାହ କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା। ବର ଓ ବଧୂମାନଙ୍କ ପାଇଁ ପାରମ୍ପରିକ ରୀତିନୀତି ଅନୁସାରେ ବିବାହ ଆୟୋଜନ ସହିତ ସମସ୍ତ ଆବଶ୍ୟକ ସୁବିଧା ଯଥା ଆସନ ବ୍ୟବସ୍ଥା, ପୂଜା ପାଠ, ଭୋଜନ ବ୍ୟବସ୍ଥା ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିଲା। ନବଦମ୍ପତ୍ତିମାନଙ୍କ ପରିବାରସଦସ୍ୟ ଓ ଆତ୍ମୀୟସ୍ୱଜନମାନଙ୍କ ଉପସ୍ଥିତିରେ ଏହି ମାଙ୍ଗଳିକ କାର୍ଯ୍ୟକ୍ରମ ଆନନ୍ଦମୟ ପରିବେଶରେ ସମ୍ପନ୍ନ ହୋଇଥିଲା।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ, ଉପ-ଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡ଼ା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଶିଶିର କୁମାର ମୁନ୍ଦୁୟା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ଶ୍ରୀମତୀ ନିହାରିକା ମହାନ୍ତି, ଜିଲ୍ଲା ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ସସ୍ମିତା ମହାନ୍ତି, ସାମାଜିକ ମଙ୍ଗଳ ଅଧିକାରୀଣୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ବୁରୁଡ଼ା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ ସହିତ ଅନ୍ୟାନ୍ୟ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷମାନେ ଉପସ୍ଥିତ ଥିଲେ।
ଜିଲ୍ଲା ପ୍ରଶାସନଙ୍କ ଏହି ପ୍ରୟାସ ମାଧ୍ୟମରେ ସମୂହ ବିବାହ ପ୍ରଥାକୁ ପ୍ରୋତ୍ସାହନ ମିଳୁଥିବା ସହିତ ଆର୍ଥିକ ଦୁର୍ବଳ ପରିବାରମାନଙ୍କୁ ସହାୟତା ମିଳୁଛି । ଏହା ସମାଜରେ ସମାନତା, ସାମାଜିକ ସୁରକ୍ଷା ଓ ସଚେତନତା ବୃଦ୍ଧି କରିବାରେ ଏକ ଉତ୍କୃଷ୍ଟ ପଦକ୍ଷେପ ଭାବେ ପରିଗଣିତ ହେଉଛି ।
Shrutilipi ad