ବାରିପଦା : ଆନ୍ତର୍ଜାତୀୟ ମହିଳା ଦିବସ-୨୦୨୬ ଅବସରରେ ଉତ୍ତର ସାହି ଛଉନୃତ୍ୟ ପ୍ରତିଷ୍ଠାନ ତଥା ମୟୁରଭଞ୍ଜ ଛଉର ପ୍ରଥମ ମହିଳା କଳାକାରଙ୍କୁ ସମ୍ମାନ ଦେଇ ତାଙ୍କ ସ୍ମୃତିରେ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ପୃଷ୍ଠା ମାଆ ଅମ୍ବିକା ମନ୍ଦିରରେ ପୂଜା ଅର୍ଚ୍ଚନା ପରେ ଲୋକାର୍ପଣ କରାଯାଇଛି I ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଅତିଥି ଭାବେ ଉପ ନଗରପାଳ ସୀମା ଦାସ, ବିଶିଷ୍ଟ ନୃତ୍ୟଗୁରୁ ଅନୁବାଳା ମହାନ୍ତି, ରେଡ଼ିଓ ତଥା ଦୂରଦର୍ଶନର ବର୍ଷୀୟାନ ଗାୟିକା ଅଞ୍ଜଳି ମିଶ୍ର ଓ ଏନ ଏଚ ଏମ, କୁଳିଅଣା ବ୍ଲକ ମ୍ୟାନେଜର ଦେବୀ ଅର୍ଚ୍ଚନା ମହାପାତ୍ର ପ୍ରମୁଖ ଯୋଗଦେଇ ମୟୁରଭଞ୍ଜ ଛଉରେ ସୁମିତ୍ରା ଦେବୀଙ୍କ ପ୍ରବେଶ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ସହ ପରବର୍ତ୍ତୀ ସମୟରେ ମହିଳା କଳାକାର ମାନଙ୍କୁ ଛଉ ନୃତ୍ୟ ପ୍ରତି ଆକୃଷ୍ଟ କରିଥିଲା ବୋଲି ଅତିଥିଗଣ ପ୍ରକାଶ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଉତ୍ତରସାହି ଛଉନୃତ୍ୟ ପ୍ରତିଷ୍ଠାନର ସମସ୍ତ ମହିଳା କଳାକାର ଉପସ୍ଥିତ ଥିଲେ ଏହି ପୃଷ୍ଠାରେ ଛଉର ଭିଡିଓ, ଫୋଟୋ ଓ ସାଂସ୍କୃତିକ ସୂଚନା ବିଶ୍ଵବ୍ୟାପୀ ପ୍ରଚାର କରାଯାଇପାରିବ ବୋଲି ସାଧାରଣ ସମ୍ପାଦକ ସୁଧୀର କୁମାର ନାୟକ ଜଣାଇଛନ୍ତି I ପ୍ରକାଶ ଥାଉକି ୧୯୭୦ ଦଶକରେ ପୁରୁଷ ପ୍ରଧାନ ପାରମ୍ପରିକ ଛଉନୃତ୍ୟରେ ସୁମିତ୍ରା ଦେବୀ ପ୍ରଥମ ଛଉ ନୃତ୍ୟଙ୍ଗନା ଭାବେ ଯୋଗଦେଇ ଇତିହାସ ରଚିଥିଲେ I ତତସହିତ ନିଜ ଶରୀରରେ ଛଉର ତାଣ୍ଡବ ଓ ଲାସ୍ୟ ପ୍ରକାଶ କରି ସେ ଲିଙ୍ଗ ସୀମା ଭାଙ୍ଗିବା ସହ ମହିଳା ସଶକ୍ତିକରଣର ପ୍ରଥମ ଉଦାହରଣ ପାଲଟିଥିଲେ I

