ବାରିପଦା : ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଆଜି ବାରିପଦାସ୍ଥିତ ଆବର୍ଜନା ପ୍ରକ୍ରିୟାକରଣ କେନ୍ଦ୍ର ପରିସରରେ ଥିବା ସମ୍ମିଳନୀ ଗୃହରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଅଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ସୁଦୀପ୍ତ ଆଚାର୍ଯ୍ୟ ଙ୍କ ତତ୍ଵାଵଧାନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ପୌରହିତ୍ୟ କରି ସାମ୍ପ୍ରତିକ ସମୟରେ ଜାତୀୟ ଓ ଆଞ୍ଚଳିକ ସ୍ତରରେ ପ୍ରଗତି ନିମନ୍ତେ ମହିଳା ମାନଙ୍କ ଅବଦାନ ଓ ଗୁରୁତ୍ଵ ସମ୍ବନ୍ଧରେ ମହିଳା ମାନଙ୍କୁ ସଚେତନ କରାଇଥିଲେ। ମହିଳା ମାନେ କିପରି ନିଜେ ନିଜର ଉନ୍ନତି ସାଧନ କରିବା ସହିତ ଦେଶର ଉନ୍ନତିରେ ମଧ୍ୟ କର୍ଣ୍ଣଧାର ସାଜିପରିବେ ସେ ନେଇ ଏକ ବିସ୍ତୃତ ଆଲୋଚନା କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିନିୟର ସିଭିଲ ଜଜ ଶ୍ରୀମତୀ ସତରୂପା ଶତପଥି, SDJM ଶ୍ରୀମତୀ ଜୁଏଲ ପଟ୍ଟନାଏକ, JMFC-1 (Cog. Taking) ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସ୍ଵାଇଁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସବିତା ମାଝି, ଓଡିଶା ଜୀବିକା ମିସନର ସଂଯୋଜିକା ମିନତୀ ମହାପାତ୍ର, ନ୍ୟାୟ ରକ୍ଷକ ଶ୍ରୀ ସତ୍ୟ ନାରାୟଣ ବେହେରା ଓ ସଂଯୁକ୍ତା ସିଂ ପ୍ରମୁଖ ଯୋଗ ଦେଇ ମହିଳା ମାନଙ୍କ ବିଭିନ୍ନ ଅଧିକାର ତଥା ମହିଳା ମାନେ ଦୈନନ୍ଦିନ ଜୀବନରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ଓ ତାହାର ନିରାକରଣ ନିମନ୍ତେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଆଇନ ସମ୍ପର୍କରେ ନିଜର ମତାମତ ରଖିଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରକ୍ରିୟାକରଣ କେନ୍ଦ୍ରର ଅଧ୍ୟକ୍ଷା ଶ୍ରୀମତୀ ନିରୂପମା ସ୍ଵାଇଁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଆଇନ ସେବା ପ୍ରାଧିକରଣର କର୍ମଚାରୀ ମାନେ ସହଯୋଗ କରିଥିଲେ ।

