ବାରିପଦା: ମୟୁରଭଞ୍ଜ ଜିଲ୍ଲାର ଐତିହାସିକ ଚୈତ୍ର ପର୍ବ-୨୦୨୬କୁ ଶାନ୍ତିପୂର୍ଣ୍ଣ, ଆଡମ୍ବରପୂର୍ଣ୍ଣ ତଥା ଯୋଜନାବଦ୍ଧ ଭାବେ ପାଳନ କରିବା ନିମନ୍ତେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ବିସ୍ତୃତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଉପ-ଜିଲ୍ଲାପାଳ ଡ଼ ଦୟାସିନ୍ଧୁ ପରିଡ଼ା, ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ପ୍ରଭାତ କୁମାର ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଶିଶିର କୁମାର ମୁନ୍ଦୁୟା, ଜିଲ୍ଲା ସଂସ୍କୃତି ଅଧିକାରୀ ଡ଼ ଶୁଭାଶିଷ ନାୟକ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଜିର ବୈଠକରେ ଉତ୍ତର ସାହି ଓ ଦକ୍ଷିଣ ସାହି ଛଉ ପ୍ରତିଷ୍ଠାନର କର୍ମକର୍ତ୍ତା ଆସି ଚୈତ୍ର ପର୍ବକୁ ଅଧିକ ଲୋକାଭିମୁଖୀ ତଥା ସଫଳତାର ସହ ଆୟୋଜନ କରିବା ପାଇଁ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଚୈତ୍ର ପର୍ବର ଐତିହ୍ୟ, ପାରମ୍ପରିକ ଗୁରୁତ୍ୱ ଓ ଜନସାଧାରଣଙ୍କ ଭାବନା ସହ ଏହାର ଗଭୀର ସମ୍ପର୍କ ବିଷୟରେ ଆଲୋଚନା ହୋଇଥିଲା। ସେହିପରି ପର୍ବ ପାଳନ ସମୟରେ ସମସ୍ତ ବ୍ୟବସ୍ଥା ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ବିଭିନ୍ନ ଦିଗରେ ପ୍ରାଥମିକତା ଦିଆଯାଇଥିଲା। ଚୈତ୍ର ପର୍ବ ଅବସରରେ ପାରମ୍ପରିକ ନୃତ୍ୟ, ଲୋକ ନୃତ୍ୟ, ଶାସ୍ତ୍ରୀୟ ନୃତ୍ୟ, ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ। ଜିଲ୍ଲାର ପ୍ରତିଭାଶାଳୀ କଳାକାରମାନଙ୍କୁ ମଞ୍ଚ ପ୍ରଦାନ କରି ସ୍ଥାନୀୟ ସଂସ୍କୃତିକୁ ପ୍ରୋତ୍ସାହନ ଦେବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ବୈଠକର ଶେଷରେ ଆସନ୍ତା ଚୈତ୍ର ପର୍ବକୁ ଜିଲ୍ଲାର ଏକ ସଫଳ ଓ ସ୍ମରଣୀୟ ଆୟୋଜନ ଭାବେ ପାଳନ କରିବାକୁ ସମସ୍ତେ ସଙ୍କଳ୍ପବଦ୍ଧ ହୋଇଥିଲେ।

