ବାରିପଦା : କୁଳିଅଣା ଦିସମ ଜାହେର ଶୁଖୁଆପୋଡାଠାରେ ଦିସମ ଜାହେର ପାଳନ କମିଟି ପକ୍ଷରୁ ସାନ୍ତାଳୀ ସମ୍ପ୍ରଦାୟର ପବିତ୍ର ବାହାବଙ୍ଗା ଉତ୍ସବ ଭକ୍ତିମୟ ପରିବେଶ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ କୁଳିଅଣା ବ୍ଲକର ବିଭିନ୍ନ ଅଞ୍ଚଳରୁ ଶତାଧିକ ସାନ୍ତାଳୀ ଶ୍ରଦ୍ଧାଳୁ ଯୋଗଦେଇଥିଲେ।
ଶୁକ୍ରବାର ସକାଳେ “ଜାହେର ସାଳିମ ଦାଲବ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ରାତିରେ ଜାଗରଣ ଓ ବିନତି କାର୍ଯ୍ୟ ସମାପନ କରାଯାଇଥିଲା। ଶନିବାର ସକାଳେ ଦିସମ ଜାହେରର ନାୟକେ ବାବା ସୁଧିର ଚପେୟାର ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ଏହି ପୂଜା କାର୍ଯ୍ୟରେ ଗୁରୁ ବାବା ଠାକୁର ଦାସ ହେମ୍ବ୍ରମ, ମାଝୀ ବାବା ହରିମୋହନ ବେଶ୍ରା, ଯୋଗ ମାଝୀ ବିଶ୍ୱନାଥ ହାଁସଦା, ଗଡେତ ହାରା ଟୁଡୁ, ହରି ହାଁସଦା, ପାଣ୍ଡୁ ସୋରେନ, ସାନ୍ତାଳୀ ଶିକ୍ଷକ ଶରତ ଚନ୍ଦ୍ର ହେମ୍ବ୍ରମ ଓ ମୁଲୁକ ପାର୍ଗାନା ମାଙ୍ଗାତ ଚପେୟାର ସହଯୋଗ କରିଥିଲେ।
ଅପରାହ୍ନରେ ବ୍ଲକର ବିଭିନ୍ନ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ସମବେତ ଭାବେ ପାରମ୍ପରିକ ବାହା ନୃତ୍ୟରେ ଅଂଶଗ୍ରହଣ କରି ଉତ୍ସବକୁ ଆହୁରି ରଙ୍ଗିନ କରିଥିଲେ। ରବିବାର ଦିନ ନାୟକେ ବାବାଙ୍କ ଦ୍ୱାରା “ଆଃ ରାଳା” କାର୍ଯ୍ୟ ସମ୍ପନ୍ନ ହେବା ପରେ ବାହାବଙ୍ଗା ଉତ୍ସବର ସମାପନ ହୋଇଥିଲା।
ଏହି ସମଗ୍ର କାର୍ଯ୍ୟକ୍ରମକୁ ରବୀନ୍ଦ୍ରନାଥ ସୋରେନ, ଧନୁ ହାଁସଦା, ପପ୍ପୁ ଶାଙ୍ଖ ବେଶ୍ରା, ଭଗଲା ବେଶ୍ରା, ଆମ୍ପା ଟୁଡୁ, କମଳା ବେଶ୍ରା, ଅର୍ଜୁନ ବେଶ୍ରା, ହପନା ଚପେୟାର, କୁନୁ ଶାଙ୍ଖ ବେଶ୍ରା, ଲକ୍ଷ୍ମଣ ହାଁସଦା, ଗଜେନ୍ଦ୍ର ଚପେୟାର, ପୁପି ହାଁସଦା, ସରସ୍ୱତୀ ସୋରେନ, ପାଣ୍ଡୁ ହାଁସଦା ଓ ବାଜୁନ ହେମ୍ବ୍ରମ ପ୍ରମୁଖ ପରିଚାଳନା କରିଥିଲେ।

