ବାରିପଦା : ମୟୂରଭଞ୍ଜ ଶୈଳୀ ଛଉ ନୃତ୍ୟର ପ୍ରଥମ ଓ ପ୍ରମୁଖ ସଂସ୍ଥା ଉତ୍ତରସାହି ଛଉନୃତ୍ୟ ପ୍ରତିଷ୍ଠାନର “କୟାକଳ୍ପ” ବୈଠକ ସ୍ଥାନୀୟ ଅମ୍ବିକା ସାହି ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି I ବୈଠକରେ ପ୍ରଥମେ ପ୍ରତିଷ୍ଠାନର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଦିଲ୍ଲୀପ କୁମାର ମିଶ୍ର – ସଭାପତି, ଆଇନଜୀବି ସୁଜାତା ମିଶ୍ର ଓ ବ୍ୟବସାୟୀ ସନ୍ଦୀପ କୁମାର ବିଶୋଇ – ଉପ ସଭାପତି, ଛଉ ନୃତ୍ୟ ଗବେଷକ ସୁଧୀର କୁମାର ନାୟକ – ସମ୍ପାଦକ, ଛଉ ନୃତ୍ୟଗୁରୁ ତଥା ଜାତୀୟ ସଂଗୀତ ନାଟକ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ ଲୋକନାଥ ଦାସ – ଯୁଗ୍ମ ସମ୍ପାଦକ, ଟେକ୍ସ ପରାମର୍ଶଦାତା ସରୋଜ କୁମାର ଶତପଥି – କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ I ମୟୁରଭଞ୍ଜ ଛଉକୁ ବିଶ୍ଵବ୍ୟାପୀ ପ୍ରତିଷ୍ଠା ଓ ପ୍ରସାର ପାଇଁ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ, ଡିଜିଟାଲ ପ୍ଲାଟଫର୍ମରେ ପ୍ରଚାର ସହ ଯୁବପିଢୀକୁ ଛଉ ପ୍ରତି ଆକୃଷ୍ଟ କରିବା ଏବଂ ଛଉକୁ ଆଧୁନିକ ଯୁଗରେ ଅନୁକୂଳ କରିବା ମୁଖ୍ୟ ଲକ୍ଷ୍ୟ ରହିବ ବୋଲି ସମ୍ପାଦକ ଶ୍ରୀ ନାୟକ ପ୍ରକାଶ କରିଛନ୍ତି I ମୟୁରଭଞ୍ଜର ସବୁଠାରୁ ବଡ଼ ସାଂସ୍କୃତିକ ଉତ୍ସବ ଅବସରରେ ଆୟୋଜିତ ହେବାକୁ ଥିବା ଚୈତ୍ର ପର୍ବ – ୨୦୨୬ ପାଇଁ ନୂତନ ନୃତ୍ୟଗୀତ ସହ ମହିଳା ନର୍ତ୍ତକୀୟ ଦଳ ଗଠନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଯୁଗ୍ମ ସମ୍ପାଦକ ଶ୍ରୀ ଦାସ ଜଣାଇଛନ୍ତି I ଏହି ଅବସରରେ ମୟୁରଭଞ୍ଜ କଳା ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମର ଜିଲ୍ଲା ପ୍ରତିନିଧି ମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା I ଜାତୀୟ ଓ ଅନ୍ତର୍ଜାତୀୟ ସାଂସ୍କୃତିକ ମଞ୍ଚରେ ଅଂଶଗ୍ରହଣ, ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛଉ ପରିଚୟ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ଉପ ସଭାପତି ସୁଜାତା ମିଶ୍ର ଓ ସନ୍ଦୀପ କୁମାର ବିଶୋଇ ପ୍ରକାଶ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ଚିନ୍ମୟ ଦାସ ପଟ୍ଟନାୟକ, ଶିକ୍ଷାବିତ ସୁନୀଲ କୁମାର ଜେନା, ଅବସରପ୍ରାପ୍ତ ଜିଲ୍ଲା କର୍ମନିଯୁକ୍ତି ଅଧିକାରୀ ରଞ୍ଜନ କୁମାର ମିଶ୍ର, ସମାଜସେବୀ ସରୋଜ କୁମାର ବୋଷ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ I ଶେଷରେ କାର୍ଯ୍ୟକ୍ରମର ସଫଳତା ପାଇଁ ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଭବିଷ୍ୟତରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ I

