ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ନିଜ ବକ୍ତବ୍ୟରେ ଏହି ବର୍ଷର ଜାତୀୟ ବିଜ୍ଞାନ ଦିବସର ଥିମ୍ “ବିଜ୍ଞାନରେ ମହିଳା: ବିକଶିତ ଭାରତର ପ୍ରେରଣା” ଉପରେ ଆଲୋଚନା କରିବା ସହିତ ବିଜ୍ଞାନର ବିକାଶ ପାଇଁ ବିଶ୍ୱବିଦ୍ୟାଳୟର ଗବେଷଣାରତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଭୂମିକା ସଂପର୍କରେ ସଚେତନ କରାଇଥିଲେ । ଏତଦ୍ବ୍ୟତୀତ ବିଶ୍ୱବିଦ୍ୟାଳୟରେ ତୃଣମୂଳସ୍ତରୀୟ ଗବେଷଣା ଏବଂ ଏହାର ସୁଦୃଢୀକରଣ ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ଅଧ୍ୟକ୍ଷତା କରିଥିଲେ ଏବଂ ଆବାହକ ତଥା ଗବେଷଣା ଓ ବିକାଶ ସେଲ୍ର ନିର୍ଦ୍ଦେଶକ ପ୍ରଫେସର ବିଶ୍ୱଜିତ ରଥ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଆଇଆଇଟି ଭୁବନେଶ୍ୱରର ପ୍ରଫେସର ଚନ୍ଦ୍ରଶେଖର ଭାମିଡିପତି ନିଜ ବକ୍ତବ୍ୟରେ ଆଇନ୍ଷ୍ଟାଇନ୍ର ଗ୍ରାଭିଟି ତତ୍ତ୍ୱରେ ବ୍ଲାକ୍ ହୋଲ୍ର ଧାରଣା ବିଜ୍ଞାନର ଏକ ଆକର୍ଷଣୀୟ ଅଧ୍ୟାୟ ବୋଲି ଅଭିହିତ କରବା ସହ ଛାତ୍ରଛାତ୍ରୀଙ୍କୁ ଜୀବନର ସକଳ କାର୍ଯ୍ୟରେ ବୈଜ୍ଞାନିକ ଆଭିମୁଖ୍ୟ ରଖିବାକୁ ପରାମର୍ଶ ଦେଇଥିଲେ । ସେ ସୁଯୋଗ ଓ ଭିତ୍ତିଭୂମିର ଅଭାବ ଥିଲେ ହେଁ ବୈଜ୍ଞାନିକ ଗବେଷଣା ସମ୍ଭବ ବୋଲି ଆମ ପୂର୍ବସୁରୀ ବୈଜ୍ଞାନିକମାନଙ୍କଠୁ ଶିଖିବାର ଅଛି ବୋଲି ସେ କହିଥିଲେ । ଅନ୍ୟତମ ବକ୍ତା ଭାବେ ଆଇଆଇଟି ଖଡ଼ଗପୁରର ପ୍ରଫେସର ଶାନ୍ତନୁ ଧର ଅଭାଷୀ ମାଧ୍ୟମରେ “ସୁଲଭ ସ୍ୱାସ୍ଥ୍ୟ ପାଇଁ ଅଭିନବ ପ୍ରକ୍ରିୟାକରଣ ମାଧ୍ୟମରେ ସ୍ଥାୟୀ ବାୟାମାଟେରିଆଲ ଗୁଡ଼ିକ” ଶୀର୍ଷକ ବକ୍ତବ୍ୟ ରଖିଥିଲେ । ସେହିଭଳି ଆଇଆଇସିବି କଲିକତାର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୁଚେତା ତ୍ରିପାଠୀ ଆଭାଷୀ ମାଧ୍ୟମରେ ନିଜ ବକ୍ତବ୍ୟରେ ଓମିକ୍ସ ଯୁଗ ପରେ ଜିନୋମ ଡାଟାକୁ ମେସିନ୍ ଲର୍ନିଂ ମାଧ୍ୟମରେ ପରିଚାଳନା କରିବା ବିଜ୍ଞାନର ଏକ ନୂତନ ଅଧ୍ୟାୟ ଏବଂ ମହିଳାମାନେ ଏହି କ୍ଷେତ୍ରରେ ଅସାଧାରଣ ଯୋଗଦାନ ଦେଉଛନ୍ତି ବୋଲି ମତପ୍ରକାଶ କରିଥିଲେ । ପ୍ରାଣୀ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡଃ କୁକୁ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସର୍ବ ଶେଷରେ କମ୍ପ୍ୟୁଟର ପ୍ରୟୋଗ ବିଭାଗର ସହକାରୀ ପ୍ରଫେସର ଡକ୍ଟର ସ୍ୱରୂପାନନ୍ଦ ବିଷୟୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଆୟୋଜିତ ବିଜ୍ଞାନ ଗଳ୍ପ ଲିଖନ, କ୍ୱିଜ୍ ଓ ତର୍କ ଆଦି ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଶ୍ୱବିଦ୍ୟାଳୟ ଓ ବିଭିନ୍ନ ଅନୁବନ୍ଧିତ ମହାବିଦ୍ୟାଳୟର ବିଭିନ୍ନ ବିଜ୍ଞାନର ପ୍ରାୟ ୧୫୦ ଛାତ୍ରଛାତ୍ରୀ ପୋଷ୍ଟର ମାଧ୍ୟମରେ ନିଜର ଗବେଷଣା ପ୍ରଦର୍ଶନ ଷ୍ଟଲ୍ ଗୁଡ଼ିକ ଅତିଥିଗଣ ଉଦ୍ଘାଟନ କରିଥିଲେ । ଅନୁବନ୍ଧିତ ମହାବିଦ୍ୟାଳୟଙ୍କ ମଧ୍ୟରେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ, ବାରିପଦା ଡିଗ୍ରୀ ମହାବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ ବାରିପଦା, ମୟୂରଭଞ୍ଜ କଲେଜ ଅଫ୍ ଆକାଉଣ୍ଟେନ୍ସି ଆଣ୍ଡ୍ ମ୍ୟାନେଜମେଣ୍ଟ୍, ସାଇ ସାଧନା କଲେଜ ଅଫ୍ ବେସିକ୍ ସାଇନସ୍, ବି.ବି. ମହାବିଦ୍ୟାଳୟ ବାଇଗଣବାଡ଼ିଆ, ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ, ଆର୍.ଡି.ଏସ୍ ଡିଗ୍ରୀ ମହାବିଦ୍ୟାଳୟ କୁଣ୍ଡାବାଇ, ମହାତ୍ମା ଗାନ୍ଧୀ ମହାବିଦ୍ୟାଳୟ ବୈଶିଙ୍ଗା ଓ ସୁକୃଳି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟରେ ସମସ୍ତ ଅଧ୍ୟାପକ, ଅଧାପିକା ଓ ଛାତ୍ରଛାତ୍ରୀଗଣ ଯୋଗ ଦେଇଥିଲେ ।

