ବାରିପଦା : ସ୍ଥାନୀୟ ତୁଳସୀଚଉରା ଦୁର୍ଗାପୂଜା ପଡିଆରେ ଫ୍ରେଣ୍ଡସ ୟୁନିୟନ ଓ ଶ୍ରୀଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱାଦଶ ଦିନର ଏକ ମାତ୍ର ମ୍ୟାଚ ଏଞ୍ଜେଲ ରଣା ଓ ମୟୁରଭଞ୍ଜ ରୟାଲସ ମଧ୍ୟରେ ଅନୁଷ୍ଠିତ ହୋଇଛି I ଖବର ପ୍ରଦାନ ବେଳକୁ ଏଞ୍ଜେଲ ରଣା ପ୍ରଥମେ ବ୍ୟାଟିଂ କରି ୫ ଓଭରରେ ୩ ଉଇକେଟ ହରାଇ ୫୭ ରନ ସଂଗ୍ରହ କରିଥିଲେ I ସୁଭାଶିଷ ଦେ ୨୪ ଓ ପ୍ରୀତିଦେବ ଜେନା ୧ ରନ କରି ଖେଳୁଥିଲେ I ପ୍ରିତମ ସାତୁଆ ଓ ଲକ୍ଷ୍ମୀଧର ସିଂ ଖେଳ ପରିଚାଳନା କରିଥିବା ବେଳେ କରନ ଖାନ ସ୍କୋରିଂରେ ସହାୟତା କରିଥିଲେ I ପଙ୍କଜ ମହାକୁଡ଼ ଧାରା ବିବରଣୀ ପ୍ରଦାନ କରିଥିଲେ I ପୂର୍ବ ଦିନର ୩ୟ ମ୍ୟାଚରେ ଜଗନ୍ନାଥ ୱରିୟାର ଦଳ ଅନୁପସ୍ଥିତ ରହିବାରୁ ରୁଦ୍ରାକ୍ଷ ଦଳକୁ ୱାକଓଭର ଦିଆଯାଇଥିଲା I ୪ର୍ଥ ମ୍ୟାଚରେ ପରି ଚାଲେଞ୍ଜର ୧ ଉଇକେଟରେ ଭାମ୍ପାୟାର ମାରୁତି ସ୍ପୋର୍ଟସ ଦଳକୁ ପରାସ୍ତ କରିଥିଲା I ଭାମ୍ପାୟାର ଦଳ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୭ ଉଇକେଟ ହରାଇ ୧୪୭ ରନ ସଂଗ୍ରହ କରିଥିବା ବେଳେ ପରି ଦଳ ୧୧. ୫ ଓଭରରେ ୯ ଉଇକେଟ ହରାଇ ୧୫୧ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଭାମ୍ପାୟାର ଦଳର ମନୋଜ କୁମାର ସି ୪୩ ଓ ହରିଶଙ୍କର ଘୋଷ ୩୯ ରନ ଓ ସୁଧାଂଶୁ ପାଲ ୩ଟି ଉଇକେଟ ହାସଲ କରିଥିଲେ I ପରି ଦଳର ସରୋଜ ପରିଡା ୫୧ ଓ ବିଶ୍ଵରୂପ ହୋତା ୩୫ ରନ କରିଥିଲେ I ମୁଖ୍ୟ ଅତିଥି ଭାବେ ବାରିପଦା ପୌରପାଳିକାର ଉପ ନଗରପାଳ ସୀମା ଦାସ ଓ ସମ୍ମାନିତ ଅତିଥି ଭାବେ ଡଃ ପି କେ ଦାସ ତଥା କମିଟି ସଭାପତି ସୌମ୍ୟ ରଞ୍ଜନ ମିଶ୍ର ଓ ଉପ ସଭାପତି ରତିକାନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I

